ଫୁଲବାଣୀ: ବୈବାହିକ ଜୀବନ ଆରମ୍ଭ କଲେ ଦୁଇ ଆତ୍ମସମର୍ପଣକାରୀ ମହିଳା ମାଓବାଦୀ

ଫୁଲବାଣୀ: ସାଧାରଣ ବିବାହ ଭଳି ବାଦ୍ୟବାଜଣା ବାଜୁଥିଲା। ପୁରୋହିତଙ୍କ ମନ୍ତ୍ରପାଠ ବି ଚାଲିଥିଲା। ଭୋଜିଭାତରେ ଆଗନ୍ତୁକ ଆପାୟିତ ବି ହେଉଥିଲେ। ଏକାସାଙ୍ଗରେ ଦୁଇ ଯୋଡ଼ା କନ୍ୟା- ବର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ନିଆରା ଥିଲା ତ କନ୍ୟା ପକ୍ଷଙ୍କ କଥା। କାରଣ ବିବାହ ବେଦୀରେ ବସିଥିବା ଦୁଇ କନ୍ୟା ସାଧାରଣ ଯୁବତୀ ନଥିଲେ। ବରଂ ସେମାନେ ଥିଲେ ଲାଲ୍ ବାହିନୀର ହିଂସ୍ର ବିଚାରଧାରା, ବନ୍ଧୁକର ପନ୍ଥା ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ଦୁଇ ପୂର୍ବତନ ମହିଳା ମାଓବାଦୀ। କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ରିଜର୍ଭ ପୋଲିସ ଲାଇନ୍ ରାଧାକୃଷ୍ଣ ମନ୍ଦିରରେ ରବିବାର ଏହି ନିଆରା ତଥା ଅନୁକରଣୀୟ ବୈବାହିକ ରୀତିନୀତି ସମ୍ପନ୍ନ ହୋଇଛି। କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ତଥା ପୋଲିସ ବାହିନୀ ସହଯୋଗରେ ଏହି ବିବାହ ହୋଇଥିଲା। ପୋଲିସ ବିଭାଗ ଭୋଜିଭାତରେ ସମସ୍ତଙ୍କୁ ଆପାୟିତ କରାଇଥିଲା। ରାଜ୍ୟ ସରକାରଙ୍କ ମାଓବାଦୀ ଆତ୍ମସମର୍ପଣ ନୀତି ତଥା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଅଭିଯାନ ଏବଂ ପୋଲିସ ବାହିନୀର ଏ ଦିଗରେ ପ୍ରୟାସର ଏହା ଥିଲା ଏକ ସଫଳ ନଜିର।

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତ ଗୁଡ଼ି ଗ୍ରାମର ସ୍ଵପ୍ନିତା ପାଙ୍ଗମାଝୀ (ନନ୍ଦିନୀ) ୨୦୧୮ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ୨୦୧୯ ମସିହାରେ ସେ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ଆଜି ତାଙ୍କର ବିବାହ ଦାରିଙ୍ଗବାଡ଼ି ଅଞ୍ଚଳର ବିନୋଦଙ୍କ ସହ ହୋଇଥିଲା। ସେହିଭଳି ଦେଶର ସର୍ବାଧିକ ମାଓପ୍ରବଣ ରାଜ୍ୟ ଛତିଶଗଡ଼ର କାଙ୍କେର ଜିଲ୍ଲା ଦୁରକୋଣ୍ଡାଲ ଥାନା ଅନ୍ତର୍ଗତ ଗୁମୁଡ଼ି ଗ୍ରାମର ଫୁଲବତୀ ଉଷେଣ୍ଡି (କରୁଣା) ୨୦୦୮ ମସିହାରୁ ମାଓ ବାହିନୀରେ ଯୋଗ ଦେଇଥିବା ବେଳେ ୨୦୨୧ ପର୍ଯ୍ୟନ୍ତ ସକ୍ରିୟ ଥିଲେ। ଗତବର୍ଷ ସେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଜି ତାଙ୍କର ବିବାହ ଜି.ଉଦୟଗିରିର ସ୍ଵପ୍ନେଶ୍ଵରଙ୍କ ସହ ହୋଇଛି।

ଏହି ବିବାହରେ ଉଭୟ ବର ଓ କନ୍ୟା ପକ୍ଷ ନିଜର ସହମତି ପ୍ରଦାନ କରି ହସଖୁସିରେ ସାମିଲ ହୋଇଥିଲେ। ବିବାହ ଉତ୍ସବରେ ଉଭୟ ପକ୍ଷର ପରିବାର ଲୋକ, ପୋଲିସ ବାହିନୀର ବହୁ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେଉ ବୋଲି କାମନା କରିଥିଲେ। ରାଜ୍ୟ ସରକାର ଓ ଜିଲ୍ଲା ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ନନ୍ଦିନୀ ଓ କରୁଣାଙ୍କ ପରିବାରବର୍ଗ। ଅନ୍ୟ ମାଓବାଦୀମାନେ ମଧ୍ୟ ବନ୍ଧୁକ ତଥା ରକ୍ତପାତର ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷିତ ଆକର୍ଷଣୀୟ ଥଇଥାନ ପ୍ୟାକେଜ୍‌ର ସୁଯୋଗ ନେବା ପାଇଁ ଆହ୍ବାନ ମଧ୍ୟ ଜଣାଇଛନ୍ତି। ଏସ୍‌ପି ଅଗ୍ରୱାଲ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଯୋଜନା ମୁତାବକ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ସହ ଆତ୍ମନିର୍ଭର ହେବା ପାଇଁ ସିଲେଇ ତାଲିମ ଦିଆଯାଇଛି ଳ। ଅନ୍ୟ ମାଓବାଦୀମାନେ ମଧ୍ୟ ସମାନ ପନ୍ଥା ଗ୍ରହଣ କରିବାକୁ ଏସ୍‌ପି ପରାମର୍ଶ ଦେଇଛନ୍ତି।

Comments are closed.