ପଦ୍ମପୁରରେ ରେକର୍ଡ ମତଦାନ, ସଂଧ୍ୟା ୬ଟା ସୁଦ୍ଧା ୮୦ ଦଶମିକ ୫ ପ୍ରତିଶତ ଭୋଟିଂ

ଭୁବନେଶ୍ୱର – ପଦ୍ମପୁର ଉପନିର୍ବାଚନରେ ବମ୍ପର ମତଦାନ ହୋଇଛି । ସଂଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଛି । ଏବେ ବି ୭୧ଟି ବୁଥ୍‌ରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ । ଯାହା ଜଣାପଡ଼ୁଛି, ମତଦାନରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବ ପଦ୍ମପୁର। ଆଜି ସକାଳେ ୭ଟାରୁ ମତଦାନ ଆରମ୍ଭ ‌ହୋଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ମତଦାନ ହୋଇଛି। କୋୖଣସି ପ୍ରକାର ଅପ୍ରୀତିକର ଘଟଣା ଘଟିନାହିଁ। ବେଶ ଉତ୍ସାହର ସହ ଲୋକେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି।

ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି। ବିଜେଡି ପକ୍ଷରୁ ବର୍ଷା ସିଂହ ବରିହା ପ୍ରାର୍ଥୀ ହୋଇଛନ୍ତି । ବିଜେପି ପ୍ରଦୀପ ପୁରୋହିତ ଓ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛନ୍ତି । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହଙ୍କ ଦେହାନ୍ତ ହେବା ପରେ ପଦ୍ମପୁରରେ ମତଦାନ ହୋଇଛି ।

୨୦୧୯ ନିର୍ବାଚନରେ ୭୯ ଦଶମିକ ୧୬ ପ୍ରତିଶତ ମତଦାନ ହୋଇଥିଲା ।

Comments are closed.