ନକଲି ମେଡିସିନ ମାମଲା : ରାଜଧାନୀର ବିଭିନ୍ନ ହୋଲସେଲ ଔଷଧ ଦୋକାନରେ ଚଢ଼ାଉ

ଭୁବନେଶ୍ୱର – ନକଲି ମେଡିସିନ ବିକ୍ରି ଅଭିଯୋଗରେ ରାଜଧାନୀର ଅଶୋକ ନଗରରେ ଥିବା ବିଭିନ୍ନ ହୋଲସେଲ ମେଡିସିନ ଦୋକାନରେ ଚଢ଼ାଉ ହୋଇଛି । ଡ୍ରଗ ସ୍କ୍ବାଡର ୫ଜଣିଆ ଟିମ୍ ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରିଛି । ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା -୪୦ର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି ହୋଇଥିବା ଜଣାପଡିବା ପରେ ଦେଶବ୍ୟାପୀ ଖୋଳତାଡ଼ ଜାରି ରହିଛି ।

କେବଳ କଟକ, ଭୁବନେଶ୍ବର ନୁହେଁ , ବରଗଡ଼ ଓ ଝାରସୁଗୁଡାରୁ ମଧ୍ୟ ବହୁ ପରିମାଣର ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧର ଚେର ହିମାଚଳପ୍ରଦେଶ ଓ ଉତ୍ତର ପ୍ରଦେଶକୁ ବ୍ୟାପିଥିବା ଜଣାପଡିଛି । ହିମାଚଳର ବାଦୀ ଓ ବାରଣାସୀରୁ ନକଲି ଔଷଧ ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ଓ ବରଗଡର ଅଶୋକ ମେଡିକାଲ ଏଜେନ୍ସିକୁ ଆସିଥିଲା ।

ବିଭିନ୍ନ ରାଜ୍ୟରୁ ବହୁ ପରିମାଣରେ ନକଲି ମେଡିସିନ ଜବତ ପରେ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ କମ୍ପାନୀର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ରି-କଲ କରିବାକୁ ସବୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ରାଜ୍ୟର ସବୁ ଜିଲ୍ଲା ଔଷଧ ନିରୀକ୍ଷକଙ୍କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୂର୍ବରୁ ସମସ୍ତ ଡିଲର ଓ ରିଟେଲରଙ୍କୁ ସୂଚନା ଦିଆଯାଇଥିଲା । ଆଜି ଭୁବନେଶ୍ବରରେ ଏକାଧିକ ସ୍ଥାନରେ ଚଢ଼ାଉ ସହ ଯାଞ୍ଚ ଜାରି ରହିଛି।

Comments are closed.