ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ- ଆନ୍ଦୋଳନ ସ୍ଥଗିତ ଘୋଷଣା କଲା ସିଏସି

ସମ୍ବଲପୁର : ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଚାଲିଥିବା ଆନ୍ଦୋଳନକୁ ଶେଷରେ ସ୍ଥଗିତ ଘୋଷଣା କରିଛି ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି)। ଏନେଇ ପ୍ରେସ ବିବୃତି ଜରିଆରେ ସୂଚନା ଦିଆଯାଇଛି। ଗତକାଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ବେଳେ ବିଚାରପତିଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ଓ ଗଣ୍ଡଗୋଳ ଘଟଣାରେ ଆଜି ପୁଲିସ 16 ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ଏହାଛଡା 29 ଜଣ ଓକିଲଙ୍କ ଲାଇସେନ୍ସକୁ ସର୍ବଭାରତୀୟ ଆଇନଜୀବୀ ପରିଷଦ ଗତକାଲି ଦେଢ ବର୍ଷ ପାଇଁ ବାତିଲ କରିଥିବା ବେଳେ ବାରର ସମସ୍ତ ସଦସ୍ୟଙ୍କ ଲାଇସେନ୍ସକୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଥିଲା।

ସେପଟେ, ସମଗ୍ର କଚେରୀ ପରିସରକୁ 23 ପ୍ଲାଟୁନ ପୁଲିସ ଫୋର୍ସ କର୍ଡନରେ ରଖି କୋର୍ଟ କାର୍ଯ୍ୟକୁ ସ୍ବାଭାବିକ ରଖିଛି। ହେଲେ ସମସ୍ତ ଓକିଲଙ୍କ ଅନୁପସ୍ଥିତିରେ କେବଳ ପ୍ରଶାସନିକ କାମ ହିଁ ଚାଲିଛି। ଏଭଳି ସ୍ଥିତିରେ ଆଜି ଦିନତମାମ ଜିଲ୍ଲା ଓକିଲ ସଂଘ ସିଏସି ସହ ପରାମର୍ଶ ଏବଂ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ସିଏସି ପକ୍ଷରୁ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସିଏସି ନିଷ୍ପତ୍ତି ନେବା ସହ ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ଉପରେ ବେଞ୍ଚ ସ୍ଥାପନ ନେଇ ପୂର୍ଣ ଆଶାବାଦୀ ଥିବା ଉଲ୍ଲେଖ କରିଛି।

Comments are closed.