ଭକ୍ତିର ଅନନ୍ୟ ନିଦର୍ଶନ: ମନ୍ଦିରକୁ ଲକ୍ଷାଧିକ ଟଙ୍କା ଦାନ କଲେ ବୃଦ୍ଧା ଭିକ୍ଷୁକ 

ଫୁଲବାଣୀ: ମୋର ବୋଲି କିଛି ନାହିଁ। ଯାହା ଅଛି ସବୁ ତୁମର। ତୁମକୁ ହିଁ ଦେଉଛି ପ୍ରଭୁ। ମୋତେ ଖାଲି ତୁମ ପାଖରେ ଶରଣ ଦିଅ। ଗତ ୪୦ ବର୍ଷ ଧରି ଭିକ୍ଷା ବୃତ୍ତି କରି ପ୍ରତିଦିନ କିଛି କିଛି ସଞ୍ଚୟ କରିଥିବା ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି ଫୁଲବାଣୀର ୭୦ ବର୍ଷ ବୟସ୍କ ତୁଳା ବେହେରା। ନିଜର ସର୍ବସ୍ବ ଦାନ କରି ମଧ୍ୟ ତାଙ୍କ ମୁହଁରେ ଥିଲା ତୃପ୍ତି, ସନ୍ତୁଷ୍ଟିର ଭାବ। ଆଉ ତାଙ୍କର ଏହି ଦାନ ବଦଳରେ ତାଙ୍କୁ ପରିଚାଳନା କମିଟିରେ ସ୍ଥାନ ଦେବା ସହ ଜୀବନଯାକ ପାଇଁ ତାଙ୍କର ଭରଣପୋଷଣ ଦାୟିତ୍ଵ ଆପଣାଇଛନ୍ତି ମନ୍ଦିର କର୍ତ୍ତୃପକ୍ଷ।

ବର୍ଷ ବର୍ଷ ଧରି ମନ୍ଦିର ବାହାରେ ବସି ଭିକ୍ଷା ବୃତ୍ତି କରି ପେଟ ପୋଷୁଥିଲେ ସେ। ପେଟକୁ ଦାନା ଯୋଗାଡ଼ ହୋଇଯିବା ପରେ ଯାହା ବଳୁଥିଲା ତାହାକୁ ସଞ୍ଚୟ କରି ରଖୁଥିଲେ। ହେଲେ ତାଙ୍କ ପରିବାର କି ଜୀବନରେ ସେ ଥିଲେ ଏକାକୀ। ଭିନ୍ନକ୍ଷମ ସ୍ବାମୀଙ୍କ ପ୍ରାୟ ୨୦ ବର୍ଷ ତଳୁ ବିୟୋଗ ହୋଇ ସାରିଥିଲା। ମନ୍ଦିର ସାମନାରେ ହିଁ ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ତେଣୁ ପରିଣତ ବୟସରେ ନିଜର ବୋଲି ଯାହା କିଛି ସମ୍ପତ୍ତି ଥିଲା ସବୁ କିଛି ଠାକୁରଙ୍କୁ ଦାନ କରି ଦେଇଥିଲେ ସେ। ଭକ୍ତି, ବଦାନ୍ୟତାର ଅନୁକରଣୀୟ ଉଦାହରଣ ସାଜିଛନ୍ତି ଏହି ବୃଦ୍ଧା ଭିକ୍ଷୁକ ଜଣକ। ମନ୍ଦିର କମିଟି ସଭାପତି ସୁନାଶୀର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ସମେତ ଅନ୍ୟ ସଦସ୍ୟମାନେ ଶୁକ୍ରବାର ଏହି ଦାନ ଅର୍ଥ ଗ୍ରହଣ କରିବା ସହ ତୁଳାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଜଗନ୍ନାଥ ମନ୍ଦିର ପରିସରରେ ଥିବା ଏକ ପୁରୁଣା ମନ୍ଦିରକୁ ଉକ୍ତ ଦାନ ଅର୍ଥରେ ପୁନରୁଦ୍ଧାର କରାଯାଇ ସାଧୁସନ୍ଥଙ୍କୁ ଆଶ୍ରୟ ଦିଆଯାଉ ବୋଲି ଇଚ୍ଛା ବ୍ୟକ୍ତ କରିଛନ୍ତି ତୁଳା ବେହେରା।

Comments are closed.