ଗଞ୍ଜାମ ଜିଲ୍ଲାରେ ଦୁଇ ହତ୍ୟାକାଣ୍ଡ: ହତ୍ୟାର ଶିକାର ବ୍ୟବସାୟୀ ଓ ମହିଳା

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ। ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ଓ ପାଟପୁର ଥାନା ଇଲାକାରେ ଯଥାକ୍ରମେ ଜଣେ ବ୍ୟବସାୟୀ ଓ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉଠିଛି।

ଭଞ୍ଜନଗର ଥାନା ପୋଲିସ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ଦାରିଙ୍ଗିବାଡ଼ି ଘାଟି ରାସ୍ତାରୁ ଜଣେ ବ୍ୟବସାୟୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି। ସମ୍ପୃକ୍ତ ବ୍ୟବସାୟୀ ଭଞ୍ଜନଗର ଏଲ୍ଆଇସି କଲୋନୀ ଛକର ହିତେନ୍ ସ୍ବାଇଁଙ୍କୁ ଅପହରଣ କରି ହତ୍ୟା ଘଟଣାର ୫ ଦିନ ପରେ ତାଙ୍କ ଶବ ମିଳିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି ପୋଲିସ। ହିତେନଙ୍କୁ ତାଙ୍କ ଘରୁ ଗତ ମଙ୍ଗଳବାର ଜଣେ ଯୁବକ ଡାକି ନେଇଥିଲେ। ତେବେ ଆଉ ଘରକୁ ଫେରି ନଥିଲେ ସେ। ଚାରିଆଡ଼େ ଖୋଜାଖୋଜି ପରେ ନିରାଶ ପତ୍ନୀ ଏକ ନିଖୋଜ ମାମଲା ଭଞ୍ଜନଗର ଥାନାରେ ରୁଜୁ କରିଥିଲେ। ସନ୍ଦେହରେ ଥାନାକୁ ଜଣେ ସନ୍ଦିଗ୍ଧ ଯୁବକକୁ ଆଣି ପଚରାଉଚରା କରିବା ପରେ ସେ ଘଟଣା ସ୍ବୀକାର କରିଥିଲା ବୋଲି ଥାନାଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

ସେପଟେ ସ୍ତ୍ରୀକୁ ହତ୍ୟା କରି ଖୋଦ୍ ସ୍ୱାମୀ ଘର ପଛପଟ ବିଲରେ ଫୋପାଡି ଦେଇଥିବା ଅଭିଯୋଗ ଉଠିଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜୁରା ଗ୍ରାମ ବଡ଼ ସାହିର ସ୍ତ୍ରୀ ଜୟନ୍ତୀ ସାହୁଙ୍କୁ ହତ୍ୟା କରିଛି ତାଙ୍କ ସ୍ବାମୀ। ତେବେ ସେ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା ବେଳେ ଗାଁ ଲୋକ ଅଭିଯୁକ୍ତ ସ୍ୱାମୀକୁ କାବୁ କରି ପୋଲିସ ଜିମା ଦେଇଛନ୍ତି।

Comments are closed.