ମାଟିରେ ମିଶିଲା ଲାନକୋ ଚିମିନି

ଓଡାପଡା – ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ କୁରୁଣ୍ଟିସ୍ଥିତ ଲାନକୋ ବାବନ୍ଧ ପାଓ୍ବାରପ୍ଲାଣ୍ଟର ବୃହତ ଚିମିନି ଆଜି ମାଟିରେ ମିଶିଛି । ୨୦୨୧ ମସିହାରେ ଏନସିଏଲଟି ଦ୍ଵାରା ପ୍ଲାଣ୍ଟଟି ଚିନ୍ନାରା ନାମକ ଏକ କମ୍ପାନୀକୁ ବିକ୍ରି ହେବାପରେ ଏହାର ସମସ୍ତ ଯନ୍ତ୍ରାଂଶ କାଟି ନିଆସରିବା ପରେ ପୃଥିବୀର ଅନ୍ୟତମ ଵୃହତ ଚିମିନିଟିକୁ ଭାଙ୍ଗିବାକୁ ରାଜସ୍ଥାନ ଜୟପୁରର ଏକ୍ସକ୍ୟୁଇଡ ପ୍ରାଇଭେଟ ଲିମିଟେଡ ଦ୍ଵାରା ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ପ୍ରଥମେ ଏ ବର୍ଷ ଅକ୍ଟୋବର ୧୩ ତାରିଖରେ ମାତ୍ର ୨୫୦ କିଲୋଗ୍ରାମ ଜିଲେଟିନ୍ ବିସ୍ଫୋରକ ବ୍ୟବହାର କରି ଆଂଶିକ ଭାଙ୍ଗି ଦିଆଯାଇଥିଲା । ଗତ ନଭେମ୍ବର ୧୭ରେ ୭୫୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରି ଚିମିନିକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା । ୨୬୫ ମିଟର ଉଚ୍ଚତା ବିଶିଷ୍ଟ ଚିମିନିର ମାତ୍ର ୩୦ ମିଟର ଭାଙ୍ଗି ପୂର୍ବଭଳି ଦଣ୍ଡାୟମାନ ହୋଇ ରହିଗଲା । ଜିଲ୍ଲା ପ୍ରଶାସନର ଅନୁମତି ପରେ ଆଜି ତୃତୀୟଥର ୭୫୦ କିଲୋ ବିସ୍ଫୋରକ ବ୍ୟବହାର କରାଯାଇ ବିସ୍ଫୋରଣ କରାଯାଇଥିଲା । ଏଥର ସଫଳତାର ସହିତ ଚିମିନିଟି ଭାଙ୍ଗି ମାଟିରେ ମିଶିଯାଇଥିଲା । ଚିମିନିରେ ବିସ୍ଫୋରଣ କରାଯିବା ପୂର୍ବରୁ ଆଖପାଖ ଗ୍ରାମବାସୀମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ସତର୍କ କରିଥିଲା ସ୍ଥାନୀୟ ପ୍ରଶାସନ । ବିସ୍ଫୋରଣ ସମୟରେ ସ୍ଥାନୀୟ ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ମୋଟଙ୍ଗାଥାନା ଭାରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.