ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଉନ୍ନକୋଟୀଶ୍ୱର ମନ୍ଦିର

ଘଞ୍ଚ ଜଙ୍ଗଲ, ନଦୀ, ନାଳ, ଝରଣା ଓ ଅନେକ ଜୈବ ବିବିଧତା, ସବୁଜିମା ପାଇଁ ବିଶେଷ କରି ଗଜରାଜ ହାତୀଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ l ଠିକ୍ ସେହିପରି କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବ, ନାଗେନାର ଶତାବ୍ଦୀ ପୁରାତନ ନାଗନାଥେଶ୍ୱର ମନ୍ଦିର, ଯୋରନ୍ଦାର ମହିମା ଧର୍ମ ଓ ଶୂନ୍ୟ ମନ୍ଦିର ତଥା ସହିଦ ବାଜି ରାଉତଙ୍କ ପାଇଁ ବି ସାରା ଓଡ଼ିଶାରେ ଜଣାଶୁଣା ଢେଙ୍କାନାଳ l

ଇତି ମଧ୍ୟରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର କେତେଗୁଡିଏ ଐତିହାସିକ କୀର୍ତ୍ତିରାଜି ତଥା ପ୍ରାଚୀନ ମନ୍ଦିର ଆଦି ବୁଲିଦେଖିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି l ଢେଙ୍କାନାଳ ସହରର ରାଜବାଟୀ, ଯତନ୍ ନଗର କୋଠି, ସିଦ୍ଧବଳରାମ ମନ୍ଦିର, ଦକ୍ଷିଣକାଳୀ ମନ୍ଦିର, କପିଳାସର ଶ୍ରୀଚନ୍ଦ୍ରଶେଖର, ଯୋରନ୍ଦାର ଶୂନ୍ୟ ମନ୍ଦିର, ସପ୍ତଶଯ୍ୟା, ତପୋବନ, ଶଙ୍କରପୁର ନିକଟରେ ଥିବା ପଶ୍ଚିମେଶ୍ୱର ତଥା ବହୁ ପ୍ରାଚୀନ ସୋମନାଥ ଓ ସିଦ୍ଧେଶ୍ୱର ମନ୍ଦିର, ନାଗନାଥେଶ୍ୱର ମନ୍ଦିର, ଦୌଡ଼େଶ୍ୱର ମହାଦେବ ମନ୍ଦିର, ସରାଙ୍ଗ ଓ ଏନ.ଟି. ପି. ସି. ର ଅନନ୍ତଶାୟୀ ବିଷ୍ଣୁ ପ୍ରତିମା, କୁଆଲୋର ଅଷ୍ଟଶମ୍ଭୁ ମନ୍ଦିର ସମୂହ ତଥା ଭ୍ରିଙ୍ଗେଶ୍ୱର ମହାଦେବ ମନ୍ଦିର ଆଦି ଅନ୍ୟତମ l

ସେହିପରି ଢେଙ୍କାନାଳର ଆଉ ଏକ ପ୍ରାଚୀନ ମନ୍ଦିର ହେଉଛି, ଉନ୍ନକୋଟୀଶ୍ୱର ମନ୍ଦିର ବା ଲୋକମୁଖରେ ପରିଚିତ ଅନ୍ନକୋଟୀଶ୍ୱର ମନ୍ଦିର l ଏହି ମନ୍ଦିରଟି ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲତାଦେଇପୁର ଗାଁରେ ଅବସ୍ଥିତ, ଯାହାକି ଯୋରନ୍ଦା ଠାରୁ ମାତ୍ର ଦଶ ବାର କିଲୋମିଟର ଦୂର ହେବ l ସବୁଜ ବନଭୂମି ତଥା ପାହାଡ଼ ପର୍ବତ ଘେରା ଲତାଦେଇପୁର ଗାଁର ଶାନ୍ତ ପରିବେଶରେ ମହାରୁଦ୍ରଙ୍କ ଏହି ପ୍ରାଚୀନ ମନ୍ଦିରଟି ସଗର୍ବେ ଦଣ୍ଡାୟମାନ l
କୁହାଯାଏ ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଶାସକଙ୍କ ଦ୍ୱାରା ଏହି ଉନ୍ନକୋଟୀଶ୍ୱର ମନ୍ଦିରଟି ନିର୍ମାଣ ହୋଇଥିଲା l ମନ୍ଦିରର ବିମାନଟି ଏକ ରେଖ ଦେଉଳ ମାତ୍ର ସୁକ୍ଷ୍ମ କାରୁକାର୍ଯ୍ୟ ରହିତ l ବିମାନର ମଧ୍ୟ ଭାଗରେ ଅର୍ଥାତ ସିଂହମୁଖର ନିମ୍ନ ଭାଗରେ ଅନେକ ଗୁଡ଼ିଏ ରେଖମୁଣ୍ଡି ନିର୍ମାଣ ହୋଇଥିବା ଦେଖିବାକୁ ମିଳେ l ମନ୍ଦିରଟିର କୌଣସି ସ୍ଥାୟୀ ଜଗମୋହନ ନାହିଁ ମାତ୍ର କେତେକ ପଥର ଖୁମ୍ବ ଉପରେ ଟିଣର ଛାତ ପଡ଼ିଛି ଯାହା l
ମନ୍ଦିରରେ ପହଞ୍ଚିଲା ବେଳକୁ ସେଦିନ ଦ୍ବିପହର ଗଡ଼ି ଯାଇଥିବାରୁ, ଗର୍ଭଗୃହସ୍ଥ ଶିବଲିଙ୍ଗ ଦର୍ଶନ ହୋଇ ପାରିନଥିଲା l ଗର୍ଭଗୃହରେ ଥିବା ମହାଦେବଙ୍କ ଲିଙ୍ଗ ସ୍ୱରୂପ କୋଟିଏରୁ ଗୋଟିଏ ଊଣା ବୋଲି ବିବେଚନା କରାଯାଏ l ଏଣୁ ରୁଦ୍ରଙ୍କ ନାମକରଣ, କୋଟିଏରୁ ଊଣା ଈଶ୍ୱର ବା ଉନ୍ନକୋଟୀଶ୍ୱର ବୋଲି ହୋଇଥିବା ଅନୁମାନ କରାଯାଏ ମାତ୍ର ଆଉ କେହିକେହି ଠାକୁରଙ୍କୁ ଅନ୍ନକୋଟୀଶ୍ୱର ବୋଲି ମଧ୍ୟ ସମ୍ବୋଧନ କରନ୍ତି l
ବଣ ପାହାଡ଼ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗ୍ରାମ୍ୟ ପରିବେଶରେ ଦଣ୍ଡାୟମାନ ଏହି ଉନ୍ନକୋଟୀଶ୍ୱର ମନ୍ଦିରଟି ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଓ ସୁରକ୍ଷିତ ଏକ ପ୍ରାଚୀନ ମନ୍ଦିର l ବର୍ଷର ଯେ କୌଣସି ସମୟରେ ରୁଦ୍ର ଦର୍ଶନରେ ଏଠାକୁ ଯାଇଆସି ହେବ, ମାତ୍ର ବର୍ଷା ଦିନରେ ଟିକେ ସତର୍କ ହୋଇ ଯିବାକୁ ହେବ l

( ସଂଗୃହିତ )

Comments are closed.