ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଆଙ୍କିଲେ ଯାତ୍ରା ସମ୍ପର୍କିତ ଜୀବନ୍ତ ରଙ୍ଗୋଲି

ବରଗଡ:  ଧନୁଯାତ୍ରା ପୂର୍ବରୁ ଧନୁଯାତ୍ରାର ଭ୍ରମ ସୃଷ୍ଟି କରିଛି ରଙ୍ଗୋଲି ଓ ପେଣ୍ଟିଂ କାର୍ଯ୍ୟକ୍ରମ । ବରଗଡ ଧନୁଯାତ୍ରାକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ବରଗଡ଼ର ବିଭିନ୍ନ ସ୍କୁଲ କଲେଜ ତଥା ସଂଗଠନର ୩୫୦ ରୁ ଅଧିକ ଛାତ୍ରଛାତ୍ରୀ ଓ ସଦସ୍ୟଙ୍କ ଦ୍ବାରା ବିଭିନ୍ନ ପ୍ରକାରର ରଙ୍ଗୋଲି ପ୍ରସ୍ତୁତ କରାଯାଇଛି । ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଓ ସ୍କୁଲ ଅଫ ଫାଇନ୍ ଆର୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ପ୍ରତିଟି ଦୃଶ୍ୟକୁ ଜୀବନ୍ତ ଭାବେ ଆଙ୍କିଥିଲେ ପ୍ରତିଯୋଗୀମାନେ । ଏହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଥିଲା ।

ବରଗଡ ଧନୁଯାତ୍ରାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଏବଂ ସ୍କୁଲ ଅଫ ଫାଇନ୍ ଆର୍ଟ ପକ୍ଷରୁ ଧନୁଯାତ୍ରାକୁ ନେଇ ତୃତୀୟ ଥର ପାଇଁ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣଙ୍କ ଜନ୍ମ , କାଳିୟ ଦଳନ , ନାବକେଳି , ବହରଣ , କଂସ , ପୁତନା ବଧ ଓ କଂସଙ୍କ ନଗର ଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ଭାବେ ଗଢ଼ି ତୋଲିଥିଲେ ଏହି କଳାକାରମାନେ । ଯେହେତୁ ଚଳିତ ବର୍ଷ ଧନୁଯାତ୍ରାକୁ ୭୫ ବର୍ଷ ପୂର୍ତ୍ତି ହେଉ ଥିବାରୁ ହିରକ୍ ଜୟନ୍ତୀ ପାଳନ କରା ଯାଉଛି । ତେଣୁ ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ଭାଗ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

Comments are closed.