ଆଜିଠାରୁ ଆରମ୍ଭ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ବରଗଡ଼ ପାଲଟିବ ମଥୁରାନଗରୀ 

ବରଗଡ଼ : ଆଜିଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସବୁ କ୍ଷେତ୍ରରେ ପ୍ରସ୍ତୁତିକୁ ଶେଷସ୍ପର୍ଶ ଦିଆଯାଇଛି । କଳାକାର , ଆୟୋଜକମାନେ ସଫଳ ଯାତ୍ରା ଆୟୋଜନ ପାଇଁ ଉଦ୍ୟମ ଚଳାଇଛନ୍ତି । ନିଖୁଣ ଅଭିନୟ ପାଇଁ ଚାଲିଥିବା ଆଖଡ଼ାଶାଳ ବି ଫାଙ୍କା ରହିଛି । କଳାକାରମାନେ ଏବେ ଖୋଲା ରଙ୍ଗମଞ୍ଚରେ ନିଜ ଅଭିନୟ ଦେଖାଇବେ ଗତ ୯ତାରିଖରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ କଂସ ମହାରାଜଙ୍କ ସମେତ ଅନ୍ୟ ଚରିତ୍ରମାନେ ଆଖଡ଼ାରେ ଯୋଗଦେଇ ପ୍ରସ୍ତୁତି ଚଳାଇଥିଲେ । ଠିକ୍ ସେହିପରି ଅମ୍ବାପାଲିଠାରେ କୃଷ୍ଣ – ବଳରାମ , ଗୋପୀ ଗୋପାଙ୍ଗନାମାନେ ଆଖଡ଼ାରେ ସାମିଲ୍ ଥିଲେ । କଳାକାରମାନଙ୍କ ପୋଷାକପତ୍ର ପ୍ରସ୍ତୁତ ହୋଇ ସାରିଲାଣି । ବରଗଡ଼ରେ ଉଭୟ ରଙ୍ଗମହଲ ଏବଂ ଦରବାର ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଁଚିଛି । ହାଟପଦା ପଡ଼ାଠାରେ ପଡ଼ାଠାରେ ଏମ୍ଏମ୍ ଇଭେଣ୍ଟସ୍ ଦରବାର ତିଆରି ଦାୟିତ୍ଵ ମୁଣ୍ଡାଇଛନ୍ତି । ଏହାବାଦ୍ ମୁଖ୍ୟ ତୋରଣ ମଧ୍ୟ ଏହି ସଂସ୍ଥା ତିଆରି କରୁଛି । ଏଥର ଦରବାରକୁ ରାଜସ୍ଥାନୀ ମହଲର ରୂପ ଦିଆଯାଇଛି । ଅର୍ଥାତ୍ ରାଜସ୍ଥାନୀ ମହଲରେ ମହାରାଜା କଂସଙ୍କ ରାଜୁତି ଚାଲିବ । ମୁଖ୍ୟତୋରଣକୁ ମଧ୍ୟ ସେହି ହିସାବରେ ପ୍ରସ୍ତୁତ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ତୋରଣ ଏବଂ ଆଲୋକ ସାଜସଜ୍ଜା ସରିଯାଇଛି । ନିଶାମଣି ପଡ଼ିଆରେ ରଙ୍ଗମହଲ ମଧ୍ୟ ପାଖାପାଖି ପ୍ରସ୍ତୁତ ହୋଇସାରିଲାଣି । ବର୍ତ୍ତମାନ ଛୁଟି ଥିବାରୁ ପ୍ରଥମଦିନରୁ ହିଁ ଧନୁଯାତ୍ରା ଭିଡ଼ ଜମିବ ବୋଲି ଆକଳନ କରାଯାଉଛି ।

Comments are closed.