ସ୍ଥିର ହେଲା ନାଜାଲ୍ ଟିକାର ମୂଲ୍ୟ, ଗୋଟିଏ ଡୋଜ୍ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ ଜାଣନ୍ତୁ

ଦିଲ୍ଲୀ: କରୋନା ମୁକାବିଲା ନେଇ ଭାରତରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଥିବା ବେଳେ ଏହି ମହାମାରୀ ସହ ଲଢ଼ିବା ପାଇଁ ଦେଶକୁ ଆଉ ଏକ ଅସ୍ତ୍ର ମିଳିଯାଇଛି । କୋଭିଡ୍-୧୯ ଟିକାକରଣ ଅଭିଯାନରେ ସାମିଲ ହୋଇଛି ଭରତ ବାୟୋଟେକର ନାଜାଲ୍ ଟିକା । ନିକଟରେ ଏହି ଟିକାକୁ ସରକାରଙ୍କ ମଞ୍ଜୁରି ମିଳିବା ପରେ ଏବେ ଏହାର ମୂଲ୍ୟ ଘୋଷଣା କରାଯାଇଛି । ଏହି ନାଜାଲ୍ ଟିକାର ଗୋଟିଏ ଡୋଜର ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି ।

ଏହି ଟିକା ନାକ ପୁଡ଼ା ପଟେ ଦିଆଯିବ । ଘରୋଇ ହସ୍ପିଟାଲ ଗୁଡ଼ିକରେ ଏହି ନାଜାଲ୍ ଟିକାର ଗୋଟିଏ ଡୋଜର ମୂଲ୍ୟ ୮୦୦ ଟଙ୍କା ହେବ। ଏହାଛଡ଼ା ଏହା ଉପରେ ପାଞ୍ଚ ପ୍ରତିଶତ ଜିଏସଟି ଲାଗିବ। ଘରୋଇ ହସ୍ପିଟାଲ ଗୁଡ଼ିକରେ ମଧ୍ୟ ଗୋଟିଏ ଡୋଜ୍ ଟିକା ପିଛା ୧୫୦ ଟଙ୍କା ଚାର୍ଜ ଆଦାୟ କରିବାକୁ ଅନୁମତି ଦିଆଯାଇଛି। ଜିଏସଟି ଓ ହସ୍ପିଟାଲ ଚାର୍ଜ ମିଶାଇ ଏହି ନଜାଲ୍ ଟିକାର ଗୋଟିଏ ଡୋଜ୍ ପିଛା ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା ହେବ |

ବିନା ସିରିଞ୍ଜରେ ନାକରେ ସ୍ପ୍ରେ କରି ଏହି ନାଜାଲ୍ ଟିକା ଦିଆଯିବ । ଏହି ନାଜାଲ୍ ଟିକାର ନାମ ହେଉଛି ‘ବିବିଭି୧୫୪’ । ଭାରତ ବାୟୋଟେକ୍ ଏହି ଟିକାକୁ ୪୦୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଟ୍ରାଏଲ କରିଥିଲା | ଏହି ନାଜାଲ୍ ଟିକା ନେବା ପରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଜନିତ ଅଭିଯୋଗ ହୋଇନଥିଲା। ଟ୍ରାଏଲରୁ ‘ବିବିଭି୧୫୪’ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି।

ନାଜାଲ୍ ଟିକାକୁ ‘ହେଟେରୋଲୋଗସ୍ ବୁଷ୍ଟର୍’ ଭାବରେ ଗ୍ରହଣ କରାଯାଇପାରିବ | ଅର୍ଥାତ ଯେଉଁମାନେ କୋଭିଶିଲ୍ଡ କିମ୍ବା କୋଭାକ୍ସିନ୍ ନେଇଛନ୍ତି ସେମାନେ ଏହି ନାଜାଲ୍ ଟିକାକୁ ବୁଷ୍ଟର୍ ଭାବରେ ନେଇପାରିବେ । ଆଜିଠାରୁ ଟିକାକରଣ ଅଭିଯାନରେ ଏହାକୁ ସାମିଲ କରାଯାଇଛି । କୋ-ଓ୍ବିନ୍ ଆପରେ ମଧ୍ୟ ଏହି ଟିକାକୁ ରିଲିଜ୍ କରାଯାଇଛି | ଭରତ ବାୟୋଟେକର ଏହି ନାଜାଲ୍ ଟିକା ସମ୍ପ୍ରତି କେବଳ ଘରୋଇ ଟିକା କେନ୍ଦ୍ରରେ ଉପଲବ୍ଧ ହେବ । ଏହାକୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ ।

Comments are closed.