ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଫରହାନ୍ ବେହାର୍ଡିନଙ୍କ ଅବସର

କେପଟାଉନ୍: ଦକ୍ଷିଣ ଆଫ୍ରିକାର ସୀମିତ ଓଭର ବିଶେଷଜ୍ଞ ତଥା ପୂର୍ବତନ ଟି-୨୦ ଅଧିନାୟକ ଫରହାନ୍ ବେହାର୍ଡିନ୍ ମଙ୍ଗଳବାର ପେସାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

୩୯ ବର୍ଷୀୟ ଏହି କ୍ରିକେଟର୍ ୫୯ଟି ଦିନିକିଆ ଏବଂ ୩୮ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ | ସେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଇଥିଲେ । ବେହାର୍ଡିନ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଅବସର ନିଷ୍ପତ୍ତି ଘୋଷଣା କରିଛନ୍ତି।

ଏହି ଅଲରାଉଣ୍ଡର କହିଛନ୍ତି ଯେ ୧୮ ବର୍ଷରୁ ଅଧିକ ସମୟ ଧରି ଖେଳିବା ପରେ ପେସାଦାର କ୍ରିକେଟ୍ ଛାଡିବା ନିଷ୍ପତ୍ତି କଷ୍ଟକର ଥିଲା । ଏହି ନିଷ୍ପତ୍ତି ଉପରେ ଚିନ୍ତା କଲାବେଳେ ଗତ କିଛି ସପ୍ତାହ ତାଙ୍କ ପାଇଁ ବେଶ୍ କଠିଣ ଥିଲା।

ବେହାର୍ଡିନ ଦିନିକିଆରେ ୧୦୭୪ ରନ୍ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ୫୧୮ ରନ୍ କରିଛନ୍ତି। ତେବେ ଘରୋଇ କ୍ରିକେଟରେ ତାଙ୍କର ରେକର୍ଡ ଭଲ ରହିଛି। ବେହାର୍ଡିନ ୨୦୦୪ରେ ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ ଏବଂ ୧୨୫ ମ୍ୟାଚରେ ୭,୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିଲେ ।ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ସର୍ବାଧିକ ସ୍କୋର ଥିଲା ୧୫୦ ରନ୍ ।

ଜାତୀୟ ଦଳ ପାଇଁ ଡେବ୍ୟୁ କରିବାକୁ ତାଙ୍କୁ ଆଠ ବର୍ଷ ଅପେକ୍ଷା କରିବାକୁ ପଡିଲା।

ସେ ୨୦୧୨, ୨୦୧୪ ଏବଂ ୨୦୧୬ ଟି-୨୦ ବିଶ୍ୱକପ୍ ଖେଳିଥିବା ଦକ୍ଷିଣ ଆଫ୍ରିକା ଦଳର ସଦସ୍ୟ ଥିଲେ। ଏହା ସହ ସେ ୨୦୧୫ରେ ଦିନିକିଆ ବିଶ୍ୱକପ ମଧ୍ୟ ଖେଳିଥିଲେ |

ବେହାର୍ଡିନ ଲେଖିଛନ୍ତି, “୧୮ ବର୍ଷ ବିତିଗଲାଣି। ମୁଁ ଦେଶ ପାଇଁ ୯୭ଟି ମ୍ୟାଚ୍ ଖେଳିଛି | ମୋ ପାଖରେ ୧୭ଟି ଟ୍ରଫି ଥିବା ବେଳେ ଚାରିଟି ବିଶ୍ୱକପ୍ ଏବଂ ୫୬୦ଟି ପେସାଦାର ମ୍ୟାଚ୍ ଖେଳିବାର ଅଭିଜ୍ଞତା ଅଛି |

ବେହାର୍ଡିନ ଶେଷ ଥର ପାଇଁ ନଭେମ୍ବର ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟି -୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାର ପ୍ରତିନିଧିତ୍ୱ କରିଥିଲେ।

Comments are closed.