ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପ୍ରଥମ ଦିବସରେ ଦେବକୀ-ବାସୁଦେବ ବିବାହ ମଞ୍ଚସ୍ତ

ମଥୁରାନଗରୀ (ବରଗଡ଼) : ୭୫ତମ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ସମାରୋହ ଆଜି ହାଟପଦା ସ୍ଥିତ ରାଜ ଦରବାର ଠାରେ ଉଦଘାଟିତ ହୋଇଯାଇଛି। ରାଜକୀୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ପୈାର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମୋନୀଷା ବାନାର୍ଜୀ, ଜିଲ୍ଲା ଏସପି ତଥା ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ସଭାପତି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଦୀପ ପ୍ରଜ୍ବଳନ ଓ ଫିତା କାଟି ଉଦଘାଟନ କରିଥିଲେ।

ସମିତିର ଆବାହକ ସୁରେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ମାନେ ମଥୁରାନଗରୀର ଉନ୍ନତି ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ରାଜଦରବାରର ଆବାହକ ରାଜେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଥମ ଦିବସରେ ଦେବକୀ ବସୁଦେବଙ୍କ ବିବାହ, ଦୈବିବାଣୀ, ଉଗ୍ରସେନ ମହାରାଜାଙ୍କୁ ଗାଦିଚ୍ୟୁତ କରି ଯୁବ ରାଜା କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ ମହାରାଜା କଂସଙ୍କ ଦ୍ଵାରା କାରାଗାର ପ୍ରେରଣ ଆଦି ଦୃଶ୍ୟ ସହରର ବିଭିନ୍ନ ସ୍ଥାନରେ ଅଭିନିତ ହୋଇଥିଲା।

Comments are closed.