ବିଶ୍ବ କପ୍ ଟ୍ରଫି ପରିକ୍ରମାରୁ ଗଞ୍ଜାମରେ ସୃଷ୍ଟି ହେଲା ହକି ଫିଭର୍

ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଦ୍ବାରା ଦେଶର କ୍ରୀଡ଼ା ରାଜଧାନୀ ରୂପେ ପରିଗଣିତ ହେଉଥିବା ଭୁବନେଶ୍ୱର ସମେତ ରାଉରକେଲା ଠାରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ବ କପ୍। ଆସନ୍ତା ମାସ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ହକି ମହାକୁମ୍ଭରେ ଭାଗ ନେବେ ୧୬ଟି ଦେଶ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ସାଙ୍ଗକୁ ଏହାର ପ୍ରଚାର ପ୍ରସାର ଏବଂ ଏ ନେଇ ଜନମାନସରେ ଉନ୍ମାଦନା ସୃଷ୍ଟି ପାଇଁ ରାଜ୍ୟସାରା ପ୍ରତିଯୋଗିତାର ଟ୍ରଫି ପରିକ୍ରମା କରାଯାଉଛି। ସେହି କ୍ରମରେ ବୁଧବାର ଓ ଗୁରୁବାର ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହକି ବିଶ୍ବକପକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଶେଷ କରି ଆଜି ବ୍ରହ୍ମପୁର ମହାନଗର ପରିକ୍ରମା ବେଳେ କ୍ରୀଡ଼ାବିତ୍, କ୍ରୀଡ଼ାପ୍ରେମୀ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ, ନିର୍ବାଚିତ ଜନପ୍ରତିନିଧି, ପ୍ରଶାସକ ତଥା ଜନସାଧାରଣଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ହକି ଫିଭର୍।‌

କନ୍ଧମାଳ ଜିଲ୍ଲାରୁ ଟ୍ରଫି ନେଇ ଆସୁଥିବା ରଥକୁ ବୁଧବାର ପୂର୍ବାହ୍ନ ୧୧ଟାରେ ଗଞ୍ଜାମ ଜିଲ୍ଲାର ଦୁର୍ଗାପ୍ରସାଦ ଠାରେ ହର୍ଷୋଲ୍ଲାସର ସହ ପାଛୋଟି ଭଞ୍ଜନଗର ସହରକୁ ଅଣାଯାଇଥିଲା। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ତତ୍ତ୍ୱାବଧାନରେ ଭଞ୍ଜନଗର ମୁଜାଗଡ, ଆରଟିଓ ଅଫିସ୍, କେଏସୟୁବି କଲେଜ ସମ୍ମୁଖରେ ଟ୍ରଫିକୁ ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ସ୍ବାଗତ କରିଥିଲେ। ଏହାପରେ ଭଞ୍ଜନଗର କଲେଜ ରୋଡ୍, ଚକରା ବିଷୋୟୀ ଛକ ଠାରେ ସ୍ବାଗତ ପରେ ଭଞ୍ଜନଗର ସହର ପରିକ୍ରମା କରିଥିଲା ଟ୍ରଫି। ସେଠାରୁ ଆସିକା, ହିଞ୍ଜିଳିକାଟୁ, ତାରାତାରିଣୀ ପୀଠ ହୋଇ ଛତ୍ରପୁରରେ ପହଞ୍ଚି ଥିଲା ଟ୍ରଫି।

ଛତ୍ରପୁର ଠାରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ବାଗତ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା। ହଜାର ହଜାର ଦର୍ଶକ ଟ୍ରଫିକୁ ଦେଖିବା ସହ ଚକ୍ ଦେ ଇଣ୍ଡିଆ ଓ ଚକ୍ର ଦେ ଓଡ଼ିଶା ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ। ଛତ୍ରପୁର ଖେଳ ପଡ଼ିଆ ଠାରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ବାଗତ କରାଯିବା ସହ ନ୍ତର୍ଜାତୀୟ କ୍ରୀଡ଼ାରେ ସଫଳ ଜିଲ୍ଲାର ୭ ଜଣ କ୍ରୀଡାବିତ୍ ଚନ୍ଦନ କୁମାର ସାହୁ, ମାର୍କଣ୍ଡ ରେଡ୍ଡୀ, ଭି. ରମେଶ ରାଓ, ସୁନୀଲ ପ୍ରଧାନ, ଶୁଭ୍ରଜିତ୍ ସାହୁ, ଆଶୁତୋଷ ପାଢୀ, ଅନ୍ଵେଷା ବିଶୋୟୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନୀତ କରାଯାଇଥିଲା। ପୁଲିସ ବ୍ୟାଣ୍ଡ୍ ସହ ଏନସିସି, ସ୍କାଉଟ୍ ଗାଇଡ୍, ସ୍କୁଲ କଲେଜ ଛାତ୍ରଛାତ୍ରୀ, କଳାକାର, ଜନ ପ୍ରତିନିଧି, ସାମ୍ବାଦିକ, କ୍ରୀଡାବିତ୍ ଓ ସାଧାରଣ ଜନତା ହକି ବିଶ୍ବ କପକୁ ସ୍ଵାଗତ କରିଥିଲେ। ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ବ୍ରିଜେଶ ରାଏ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଲୀନା କୁମାରୀ ଖେସ୍ ପ୍ରମୁଖ ଉପସ୍ଥିତ ଥିଲେ। ଆମ ଦେଶର ଜାତୀୟ ଖେଳ ହକିକୁ ବିଶ୍ବ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ଓଡ଼ିଶା ସମ୍ପ୍ରତି ପ୍ରମୁଖ ଭୂମିକା ନିର୍ବାହ କରୁଛି ତାହା ଉପରେ ସମସ୍ତେ ଗୁରୁତ୍ବ ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଥିଲେ ଯେ ବିଶ୍ୱ କପ୍ ଭଳି ବିଶ୍ବସ୍ତରୀୟ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟକୁ ଓଡ଼ିଶା ଦୁଇ ଥର ଆୟୋଜନ କରିବା ଗୌରବର କଥା। ଜିଲ୍ଲାବାସୀ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିବାରୁ ସମସ୍ତଙ୍କୁ ସେ କୃତଜ୍ଞତା ଜଣାଇଥିଲେ।

ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର ସହର ପରିକ୍ରମା କରିଥିଲା ବିଶ୍ବ କପ୍ ଟ୍ରଫି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପଡ଼ିଆରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଆୟୋଜିତ ହୋଇଥିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ଏଥିରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଡା. ସର୍ବଣା ବିବେକ ଏମ୍, ବିଏମସି କମିଶନର୍ ଜେ.ସୋନାଲ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଏସ୍.କୁଲକର୍ଣ୍ଣି, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଖେଳକୁଦର ଉତ୍ସାହ ଭରା ମାହୋଲରେ ଟ୍ରଫି କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାମଲିଙ୍ଗମ୍ ଟ୍ୟାଙ୍କ୍ ରୋଡରୁ ସହର ପରିକ୍ରମା କରି ଦିଗପହଣ୍ଡି ଓ ତପ୍ତପାଣି ହୋଇ ଗଜପତି ଜିଲ୍ଲା ଅଭିମୁଖେ ଯାଇଥିଲା ଟ୍ରଫି। ମୋଟାମୋଟି ଭାବରେ ଦୁଇ ଦିନ କାଳ ଗଞ୍ଜାମ ଜିଲ୍ଲାରେ ପରିକ୍ରମା ମଧ୍ୟରେ ଜିଲ୍ଲାବାସୀଙ୍କ ମଧ୍ୟରେ ହକି ବିଶ୍ବ କପ୍ ନେଇ ବେଶ୍ ଉତ୍ସାହ ଉନ୍ମାଦନା ସୃଷ୍ଟି କରିପାରିଛି ଟ୍ରଫି।

Comments are closed.