ସମ୍ବଲପୁର : ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ବୀରତା ଦିବସ ଓ ଗୁ ସତ୍ୟନାରାୟଣ ବହିଦାରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସାଂସ୍କୃତିକ ସମାଜର ସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ବଲପୁର ମ୍ୟୁନିସିପାଲିଟି କମିଶନର ପ୍ରଦୀପ କୁମାର ସାହୁ ଯୋଗଦେଇ କହିଥିଲେ ଯେ, ପ୍ରତ୍ୟେକ ଭାଷାର ନିଜସ୍ବ ମହତ୍ତ୍ୱ ରହିଛି ଗୁରୁ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷାର ସେହି ମହତ୍ତ୍ୱକୁ ହୃଦୟଙ୍ଗମ କରି ପାରିଥିଲେ।ନିଜ ଭାଷାର ସଂରକ୍ଷଣ ଆମ ନିଜ ଦାୟିତ୍ତ୍ୱ।ବୀରତା ଦିବସ ଉପଲକ୍ଷେ ସେ ଘେଁସ ଜମିଦାରୀର ଶହିଦମାନଙ୍କ ସମେତ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବକ୍ତା ଅଧ୍ୟାପକ ସୁଶାନ୍ତ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ସମ୍ବଲପୁର ମାଟି ହେଉଛି ଉଲ୍ଗୁଲାନର ମାଟି।ଆଜିର ଦିନରେ ଉଭୟ ଅଶୀ ଓ ମସୀର ସଂଗ୍ରାମ ଏହି ମାଟିରୁ ଆରମ୍ଭ ହୋଇଛି। ଇଂରେଜ ଶାସନ ବିରୁଦ୍ଧରେ ବୀର ସୁରେନ୍ଦ୍ର ସାଏ ଓ ସମ୍ବଲପୁରୀ ଭାଷା ସାହିତ୍ୟର ବିକାଶ ପାଇଁ ସତ୍ୟନାରାୟଣ ବହିଦାରଙ୍କ ଯେଉଁ ସଂଗ୍ରାମର ଆଧାରଶୀଳା ଦେଇଥିଲେ ଆଜି ତା’ରି ଉପରେ ଆମ ଦେଶର ସ୍ୱାଧୀନତା ଓ ମର୍ଯାଦାଜନକ ସମ୍ବଲପୁରୀ ସାହିତ୍ୟର ସୌଧ ଦଣ୍ଡାୟମାନ। ସେହି ଉଲ୍ଗୁଲାନର ମୁକସାକ୍ଷୀ ଭାବରେ ଆଜି ମଧ୍ୟ ଘେଁସ ଅଂଚଳରେ ଥିବା ବୁଢାରଜା,ବାହାରନ୍ ଖୁଲିଆ,ଭାଟେନଡଙ୍ଗର୍,ଧନୁପଦର,ଭଁଅରଖୋଲ୍,ନିଶାଘାଟି,ଚିତାଖାଇ ଆଦି ସ୍ଥାନମାନ ରହିଛି ତେବେ ସେହି ସ୍ଥାନ ଓ ସେହି ଅଂଚଳରେ ଘଟିଥିବା ଘଟଣା ଗୁଡିକ ଉପରେ ଇତିହାସ ନିରବ ରହିବା କ୍ଷୋଭର ବିଷୟ। ସୁରେନ୍ଦ୍ର ସାଏଙ୍କ ଉଲ୍ଗୁଲାନ କେବଳ ରାଜା ଜମିଦାରଙ୍କ ମଧ୍ୟରେ ସୀମିତ ନଥିଲା ଏଥିରେ ଅତି ସାଧାରଣ କୃଷକ ଓ ଖଟିଖିଆଙ୍କ ଏପରି କି ବୁଢାବୁଢୀମାନଙ୍କ ମଧ୍ୟ ଅବଦାନ ରହିଥିଲା ଯାହା ଲୋକଲୋଚନକୁ ଆସିବା ନିହାତି ଆବଶ୍ୟକ। ବକ୍ତା ଭବାନୀଶ ଭୋଇ ତାଙ୍କ ବକ୍ତବ୍ୟରେ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଉପରେ ଆଲୋକପାତ କରି କହିଥିଲେ ଯେ,ଗୁରୁ ବହିଦାରଙ୍କ ଜୀବନ ସଂଗ୍ରାମ ଅତି କଠିନ ଥିଲେ ମଧ୍ୟ ସେ କେବେ ହାର ମାନି ନଥିଲେ। ସମ୍ବଲପୁରୀ ଭାଷାକୁ ଏକ ମର୍ଯାଦାଜନକ ସ୍ଥିତିକୁ ଆଣିବା ସକାଶେ ସେ ଅନବରତ ଲାଗି ରହିଥିଲେ ତାଙ୍କ ଏହି ଅବଦାନ ଫଳରେ ସମ୍ବଲପୁରୀ ଗୀତ,ନୃତ୍ଯ ସଂଗୀତ ଓ ସାହିତ୍ଯ କ୍ଷେତ୍ରରେ ବହୁ ପ୍ରତିଭା ପ୍ରତିଷ୍ଠା ପାଇ ସୁନାମ ଅର୍ଜନ କରି ପାରିଛନ୍ତି। ସଭାରେ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସମାଜର କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା,ଉପ ସଭାପତି ସୂର୍ଯ୍ୟ ପାଣିଗ୍ରାହୀ,ସହ ସମ୍ପାଦକ ସବ୍ୟସାଚୀ ମିଶ୍ର ପ୍ରମୁଖ କାର୍ଯକ୍ରମରେ ସହଯୋଗ କରିଥିଲେ।
Comments are closed.