ବାଡି ଓ ବଲ୍‌ର କ୍ଷିପ୍ରତର, ଉଚ୍ଚ କଳାକୌଶଳର ଖେଳ

ଲେଖକ : ବିଜନ କୁମାର ମହାପାତ୍ର

ଓଡିଶାରେ ହକି ଫିଭର । ପାଖେଇ ଆସୁଛି ବିଶ୍ୱକପ । ଲଗାତର ଦ୍ୱିତୀୟ ଥର ପାଇଁ ଓଡିଶାରେ ହେଉଛି ହକି ବିଶ୍ୱକପ୍ । ଆଉ ମାତ୍ର ଦିନ କେଇଟା ପରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ନବନିର୍ମିତ ଦେଶର ବୃହତମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦର୍ଶକ ଦେଖିବାକୁ ପାଇବେ ଉଚ୍ଚକୋଟୀର ହକିର ପ୍ରଦର୍ଶନ । ୧୬ଟି ଦେଶର ଦଳ ମଧ୍ୟରେ ହେବ ଶ୍ରେଷ୍ଠତା ପାଇଁ ଲଢେଇ । ବିଶ୍ୱକପ୍ ପାଇଁ ଦେଶବିଦେଶର ହକିପ୍ରେମୀଙ୍କ ରୋମାଂଚ ବଢିବାରେ ଲାଗିଥିବା ବେଳେ ନ୍ୟୁଜରୁମ ଓଡିଶା ପକ୍ଷରୁ ହକି ସଂପର୍କିତ କିଛି ଜଣାଅଜଣା ତଥ୍ୟ ସମ୍ବଳିତ କିଛି ଲେଖା ପାଠକଙ୍କ ପାଇଁ ଉପସ୍ଥାପନ କରାଯାଉଛି । ହକି କାହିଁକି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଓ ଶ୍ରେଷ୍ଠ ଦଳୀୟ କ୍ରୀଡା ହୋଇ ରହିଛି, କ’ଣ ଏହାର ବିଶେଷତ୍ୱ, ସେ ସଂପର୍କରେ ଜାଣିବା ।

ଫୁଟବଲ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ । ହେଲେ ‘ଟିମ୍ ସ୍ପୋର୍ଟ’ ବା ଦଳୀୟ କ୍ରୀଡା ମଧ୍ୟରେ ‘ଫିଲ୍‌ଡ ହକି’ର ଲୋକପ୍ରିୟତା ମଧ୍ୟ କମ୍ ନୁହେଁ । ଫିଲ୍‌ଡ ହକି ହେଉଛି ବିଶ୍ୱର ତୃତୀୟ ଲୋକପ୍ରିୟ ଦଳୀୟ କ୍ରୀଡା । ଏକ ବକ୍ର ବାଡି ଓ ବଲ୍‌ର ଉଚ୍ଚ କଳାକୌଶଳର ଖେଳ ହେଲା ଫିଲ୍‌ଡ ହକି । ଏଥିରେ କୌଣସି ଜଟିଳତା ନାହିଁ । ଏକ ଅପେକ୍ଷାକୃତ ଛୋଟ ପଡିଆରେ ଷାଠିଏ ମିନିଟରେ କଳାକୌଶଳ ଦେଖାଇବାକୁ ପଡେ ଏହି ଖେଳରେ । ଖେଳର ନିୟମ ବି ସରଳ । ଏ ଦୃଷ୍ଟିରୁ ହକିକୁ ମଧ୍ୟ ଏକ ସୁନ୍ଦର ଓ ଶ୍ରେଷ୍ଠ ଖେଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥିପାଇଁ ତ ବିଶ୍ୱର ୧୦୦ରୁ ଅଧିକ ଦେଶରେ ହକି ଅନ୍ୟତମ ଲୋକପ୍ରିୟ ଦଳୀୟ କ୍ରୀଡା ।

ହକି କାହିଁକି ଶ୍ରେଷ୍ଠ ଦଳୀୟ କ୍ରୀଡା ମଧ୍ୟରେ ପରିଗଣିତ ହୁଏ? ଏହାର ବିଭିନ୍ନ କାରଣ ରହିଛି ।

ହକି ହେଉଛି ଅତି ଗତିଶୀଳ ଖେଳ । ‘ସେଲଫ ପାସ୍‌’ ଭଳି କିଛି ନିୟମ ହକିର ଗତିଶୀଳତା ବୃଦ୍ଧି ଳହଲଛି । ‘ଆଡଭାନଟେଜ୍ ରୁଲ୍‌’ ଦ୍ୱାରା ଖେଳରେ ଶିଥିଳତା ଆସେ ନାହିଁ କି ଅନାବଶ୍ୟକ ଭାବେ ଖେଳ ଅଟକେ ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ହକି ବଲ୍‌ର ‘ସ୍ୱିଙ୍ଗ୍ ସ୍ପିଡ୍‌’ ଘଂଟା ପ୍ରତି ୧୦୩ ମାଇଲ, ଯାହା କି ଏକ ଟେନିସ ସର୍ଭ, ବେସବଲ ସ୍ୱିଙ୍ଗ୍‌, ଗଲଫ୍ ଡ୍ରାଇଭଠାରୁ ଅଧିକ । ବଲ୍ ଦ୍ରୁତଗତିରେ ଗଡୁଥିବାରୁ ଖେଳାଳିଙ୍କ କଳାକୌଶଳ ପ୍ରତି ଏହା ବଡ ଆହ୍ୱାନ ସୃଷ୍ଟି କରିବା ସହ ଖେଳର ରୋମାଞ୍ଚ ବି ବଢାଇଥାଏ ।

ହକିରେ ବଲ୍ ନିୟନ୍ତ୍ରଣ, ଡ୍ରିବଲିଂ, ପାସିଂରେ ଉଚ୍ଚକୋଟୀର କୌଶଳର ଦରକାର ପଡେ । ଏଥିସହିତ ଶାରୀରିକ ଦୃଢତା ବି ଦରକାର । ମାତ୍ର ଅଳ୍ପ ସମୟ ମଧ୍ୟରେ ଖେଳାଳିମାନଙ୍କୁ ଅଧିକ ଦୌଡିବାକୁ ପଡେ । ତୁଳନାତ୍ମକ ଭାବେ ଦେଖିବାକୁ ହେଲେ, ଅନ୍ୟ ଦଳୀୟ କ୍ରୀଡା ଅପେକ୍ଷା ହକି ଖେଳାଳିମାନେ ମ୍ୟାଚ ବେଳେ ଅଧିକ ଦୌଡିଥାଆନ୍ତି । ହକି ଖେଳାଳିମାନଙ୍କୁ ଶାରୀରିକ ଭାବେ ଫିଟ୍ ରହିବାକୁ ପଡେ । ସିନ୍ଥେଟିକ ଅଷ୍ଟ୍ରୋଟର୍ଫରେ ହକି ଖେଳ ତ ଆହୁରି ଆହ୍ୱାନମୂଳକ ।

ହକି ଖେଳାଳିଙ୍କୁ ନିଜ ନିଜର ପୋଜିସନ ଅନୁଯାୟୀ ଉଚ୍ଚ କ୍ରୀଡା କୌଶଳ ପ୍ରଦର୍ଶନ କରିବାକୁ ପଡେ । ବିଶ୍ୱର ଉଚ୍ଚ କଳାକୌଶଳ ଭିତ୍ତିକ କ୍ରୀଡା ମଧ୍ୟରେ ହକି ଅନ୍ୟତମ । କାରଣ ହକିରେ ଷ୍ଟିକ୍ ଓ ବଲ୍ ଉଭୟ ବ୍ୟବହାର ହୁଏ । ତେଣୁ ଷ୍ଟିକ୍ ଦ୍ୱାରା ବଲ୍ ନିୟନ୍ତ୍ରଣ କରି ଖେଳିବା ପାଇଁ ଉନ୍ନତ କଳାକୌଶଳ ଓ ସମନ୍ୱୟ ଆବଶ୍ୟକ । ‘ହିଟିଂ ଦି ବଲ୍‌’, ‘ଓଭରହେଡ୍ ସଟ୍‌’, ପୁସ୍‌, ସ୍ଲାପ୍‌, ଫ୍ଲିକ୍‌, ଡ୍ରାଗଫ୍ଲିକ୍‌, ଥ୍ରୀ-ଡି ସ୍କିଲ୍‌, ଡ୍ରିବଲିଂ, ଟ୍ରାପିଂ ପାଇଁ ଉନ୍ନତ କୌଶଳ ଜରୁରୀ । ଫିଲ୍‌ଡ ହକିରେ କୌଣସି ଅଫସାଇଡ ରୁଲ୍ ନାହିଁ । ଏହାଦ୍ୱାରା ଖେଳର ଗତିଶୀଳତା ଆହୁରି ବଢିଛି ।

ରକ୍ଷଣପନ୍ଥୀମାନେ ବଡ ଧରଣର ତ୍ରୁଟି ନ କଲେ , ହକିରେ ଫିଲ୍ଡ ଗୋଲ୍ ସ୍କୋର କରିବା ସେତେଟା ସହଜ ହୋଇନଥାଏ । କାରଣ ହକି ଗୋଲପୋଷ୍ଟ ଅପେକ୍ଷାକୃତ ଛୋଟ ହୋଇଥାଏ । ଗୋଲକିପର ମଧ୍ୟ ହେଲମେଟ୍ ଓ ପ୍ୟାଡ୍ ପିନ୍ଧି ଗୋଲକୁ ଅଟକାଇବାକୁ ଚେଷ୍ଟା କରନ୍ତି । ଗୋଲ୍ କିପରକୁ ସହଜରେ ମାତ ଦେଇହେବ ନାହିଁ । ତେଣୁ ହକିରେ ଗୋଲ୍ ସ୍କୋର କରିବା ଖେଳାଳିଙ୍କ ପାଇଁ ବଡ ଆହ୍ୱାନ ହୋଇଥାଏ ।

ହକିରେ କାର୍ଡ ସିଷ୍ଟମ ନିୟମ ଅପେକ୍ଷାକୃତ ସରଳ । ସେମିତି ଗୁରୁତର ଫାଉଲ ନକଲେ ଖେଳାଳିମାନେ ରେଫରିଙ୍କ ରେଡ୍ କାର୍ଡର ସମ୍ମଖୀନ ହୁଅନ୍ତି ନାହିଁ । ପଡିଆରେ ଖେଳାଳିଙ୍କ ରୁକ୍ଷ ବ୍ୟବହାର ଓ ଫାଉଲ ପ୍ଲେ ନିୟନ୍ତ୍ରଣ ପାଇଁ ରେଫରି ଗ୍ରୀନ ଓ ୟେଲୋ କାର୍ଡ ଦେଖାଇବା ବ୍ୟବସ୍ଥା ରହିଛି । ବେଶୀ ହେଲେ ଖେଳାଳିମାନଙ୍କୁ ୫ରୁ ୧୦ ମିନିଟ ପଡିଆ ବାହାରକୁ ଯିବାକୁ ପଡେ ।

ହକି ଖେଳିବା ପାଇଁ ବୟସ ବାଧକ ନୁହେଁ । ସବୁ ବୟସ ବର୍ଗର ଖେଳାଳି ପ୍ରତିଦ୍ୱନ୍ଦିତାମୂଳକ ହକି ଖେଳିପାରିବେ । କେବଳ ଫିଟନେସ ଥିବା ଦରକାର । ହକି ଖେଳିବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହେ । ହକିରେ ନୂଆ ନୂଆ କୌଶଳ ଶିଖିବାକୁ ମିଳେ । ଏହା ଏକ ଟିମ୍ ସ୍ପୋର୍ଟ ହୋଇଥିବାରୁ ଜଣେ ଖେଳାଳି ଅନ୍ୟଜଣଙ୍କର ସଫଳତାରେ ସହାୟକ ହୋଇଥାଆନ୍ତି । ଆଉ ଗୋଟିଏ କଥା ହେଲା ମାତ୍ର ଏକ ଘଣ୍ଟା ପାଇଁ ହକି ଖେଳାଯାଏ । ଆଉ ସବୁ ପ୍ରକାର ଜଳବାୟୁରେ ହକି ବେଶ୍ ଆରାମରେ ଖେଳାଯାଇପାରିବ । ତେଣୁ ବାଡି ଓ ବଲ୍‌ର ଖେଳ ହକି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳୀୟ କ୍ରୀଡା ଭାବେ ଆଦୃତ ହୋଇଛି ।

ଲେଖକ : ବିଜନ କୁମାର ମହାପାତ୍ର, ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।

Comments are closed.