ଦୁବାଇରୁ ଶୁଭେଚ୍ଛା ବାର୍ତ୍ତା, ବିଶ୍ଵର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜଖଲିଫା ସମ୍ମୁଖରେ ଧନୁଯାତ୍ରା ପ୍ରଚାର

ମଥୁରାନଗରୀ (ବରଗଡ) : ଦୁବାଇରୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଝଲକ ଦେଖିବାକୁ ମିଳିଛି। ବରଗଡର କିଛି ଯୁବକ ନିଜର ମାଟିର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବକୁ ବିଶ୍ଵ ଦରବାରରେ ଆହୁରି ପ୍ରଚାର କରିବାକୁ ବିଶ୍ଵର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଜଖଲିଫା ସମ୍ମୁଖରେ ଧନୁଯାତ୍ରା ବ୍ୟାନର ପ୍ରଦର୍ଶନ କରି ସେଠାକାର ସାଧାରଣ ଜନତା ଓ ଅନ୍ୟାନ୍ୟ ଦେଶର ପର୍ଯ୍ୟଟକଙ୍କୁ ଧନୁଯାତ୍ରା ମହୋତ୍ସବ ଉପରେ ପ୍ରଚାର କରିବା ସହ ସମସ୍ତଙ୍କୁ ବିଶ୍ଵର ଏହି ସର୍ବବୃହତ୍ ଖୋଲା ରଙ୍ଗମଞ୍ଚକୁ ଦେଖି ଆସିବାକୁ ଅନୁରୋଧ କରିଛନ୍ତି। ବରଗଡର ଦୁଇ ସଂସ୍ଥା ହେପି ବରଗଡ ଓ ଡିଏନଏମ ଫଟୋଗ୍ରାଫି ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଚାର ପ୍ରସାର କମିଟି ସହ ଆଲୋଚନା କରି ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ । ଦୁବାଇରୁ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଦୁଇ ଜଣ ବରଗଡ଼ର ଯୁବକ । ସାରା ବିଶ୍ବରେ ବେଶ ପରିଚିତ ବୁର୍ଜ ଖଲିଫାରୁ ହେପି ବରଗଡ଼ ଟିମର ସହଯୋଗରେ ଡିଏନଏମ ଫୋଟୋଗ୍ରାଫି ଟିମ୍ ଓ ଦାଉଦ୍ ନୁର୍ ସନ୍ ମଲ୍ଲିକ ଏକ ଧନୁଯାତ୍ରା ବ୍ୟାନର ଧରି ସମସ୍ତ ବରଗଡ଼ ତଥା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଧନୁଯାତ୍ରାକୁ ବାସ୍ତବରେ ବିଶ୍ଵ ଦରବାରରେ ପହଞ୍ଚେଇବାର ହେଲେ ପ୍ରଥମେ ଆମକୁ ଏହାର ପ୍ରଚାର ପ୍ରସାର ଦେଶ ବିଦେଶରେ ମଧ୍ୟ କରିବାକୁ ହେବ କେବଳ ବରଗଡ଼ କିମ୍ବା ଓଡ଼ିଶାରେ ଏହାର ପ୍ରଚାର ପ୍ରସାର ସୀମିତ ନରହୁ । ଆଜି ଦୁବାଇରେ କରିଛୁ ଆଗକୁ ଆହୁରି ଏଭଳି ପ୍ରୟାସ ଆରମ୍ଭ କରିବା ପାଇଁ ପଛାଇବୁ ନାହିଁ ବୋଲି କହିଛନ୍ତି ହେପି ବରଗଡର ପ୍ରତିଷ୍ଠାତା ପପୁନ ଷଡ଼ଙ୍ଗୀ। ଯଦି ସମ୍ଭବ ହେଉଛି ତେବେ ଆପଣମାନେ ଯେଉଁମାନେ ବିଦେଶରେ ରହୁଛନ୍ତି ବା ବିଦେଶ ଯାଉଛନ୍ତି ମଧ୍ୟ ସ୍ୱଇଚ୍ଛାରେ ଦେଶ ବିଦେଶରେ ପ୍ରଚାର ପ୍ରସାର କରିପାରିବେ ‌ବୋଲି କହନ୍ତି ଶ୍ରୀ ଷଡ଼ଙ୍ଗୀ। ବରଗଡ଼ ପାଇଁ ଆମେ ଡିଏନଏମ ଟିମ୍ ଫୋଟୋଗ୍ରାଫି ଟିମ୍ର ଏଭଳି ସୁନ୍ଦର ପ୍ରୟାସ ଏକ ଛୋଟିଆ ଉପହାର ଧନୁଯାତ୍ରା ମହୋତ୍ସବ ସମିତି, ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଏବଂ ସମସ୍ତ ବରଗଡ଼ ବାସୀଙ୍କୁ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ। ହେପୀ ବରଗଡ ଓ ଡିଏନଏମ ଫୋଟୋଗ୍ରାଫି ଟିମକୁ ଏଭଳି ଅଭିନବ ପ୍ରଚାର ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି।

Comments are closed.