ତିନି ଦିନ ହେଲା ଉପବାସରେ ମହାପ୍ରଭୁ ଲିଙ୍ଗରାଜ, ଭକ୍ତ ମହଲରେ ଅସନ୍ତୋଷ

ଭୁବନେଶ୍ୱର – ଉପବାସରେ ମହାପ୍ରଭୁ ଲିଙ୍ଗରାଜ। ଆଜି କ୍ରମାଗତ ତୃତୀୟ ଦିନ ପାଇଁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ବିନା ପୂଜାର୍ଚ୍ଚନାରେ, ବିନା ଭୋଗରେ ଉପବାସରେ ଅଛନ୍ତି ମହାପ୍ରଭୁ । ତେବେ ସାହାଣ ମେଲା ସହ ଭକ୍ତଙ୍କ ଦର୍ଶନ ଜାରି ରହିଛି। ମନ୍ଦିରରେ ଅନ୍ନ ଭୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ମନ୍ଦିରରେ। ଅଛୁଆଁ ଭୋଗକୁ ଅମୁଣିଆ କୂପରେ ନ ପୋତି ଭକ୍ତଙ୍କୁ ବିକ୍ରି କରିବା ଅଭିଯୋଗ ହେଲା ପରେ ବିବାଦ ସୃଷ୍ଟି ହେବାରୁ ଏଭଳି ସ୍ଥିତି ହୋଇଛି । ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲେ ହେଁ ବାହାରି ପାରିନି କୌଣସି ନିଷ୍କର୍ଷ। ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛି ମନ୍ଦିର ପ୍ରଶାସନ। ଆଜି ୧୧ ଟା ସମୟରେ ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୁଣି ଆଲୋଚନା ଜରିଆରେ ସମସ୍ୟାର ସମାଧାନ ହେବା ନେଇ ଆଶା ରହିଛି ।
ସୂଚନା ଅନିସାରେ, ଦୁଇ ପ୍ରମୁଖ ନିଯୋଗକୁ ନେଇ ଉପୁଜିଥିବା ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିଛନ୍ତି। ରବିବାରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇପାରିନାହିଁ। ସୋମବାର ପୂର୍ବାହ୍ଣ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅବନ୍ତୀକାନ୍ତ ପଟ୍ଟନାୟକ ସମସ୍ୟାର ସମାଧାନ ପାଇଁ ମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ପ୍ରମୁଖ ତିନି ନିଯୋଗର ପଦାଧିକାରୀମାନେ ବୈଠକକୁ ଆସି ନ ଥିଲେ। ଫଳରେ ବିବାଦ ଥମିବା ବଦଳରେ ଘନେଇବାରେ ଲାଗିଛି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ମିଶ୍ର ଘଟଣାରେ ହସ୍ତକ୍ଷେପ କରି ନଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

Comments are closed.