କାଲି ଦେଶର ବୃହତ ହକି ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରିବେ । ଦେଶର ଏହି ବୃହତ ହକି ଷ୍ଟାଡିୟମରେ ବିଶ୍ୱକପ ହକିର କିଛି ମ୍ୟାଚ ଖେଳାଯିବ । ମୁଖ୍ୟମନ୍ତ୍ରୀ ଏହି ଗସ୍ତକାଳରେ ୧୧ ଶହ କୋଟିରୂ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ଉଦ୍‌ଘାଟନ କରିବା ପରେ ବାସନ୍ତୀ କଲୋନି ଡିଏଭି ପୋଖରୀର ୱାଟର ପାର୍କ ଉଦ୍‌ଘାଟନ କରିବେ। ତା’ପରେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ, ମଲ୍ଡିଂ କାର୍‌ ପାର୍କିଂ ବ୍ୟବସ୍ଥା, ୧୧ କୋଟି ୯୯ ଲକ୍ଷ ବ୍ୟୟରେ ତିଆରି ଡିଏଭି ପୋଖରୀର ୱାଟର ପାର୍କ, ୧୭ କୋଟି ୯୩ ଲକ୍ଷ ଟଙ୍କାର ହନୁମାନବାଟିକା ଛକରୁ ଆର୍‌ଏସ୍‌ପି ମେନ୍‌ ଗେଟ୍‌ ଯାଏଁ ରିଂ ରୋଡର ସୌନ୍ଦର୍ଯ୍ୟକରଣ, ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ।

ଏହାଛଡା ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ ମଧ୍ୟ ଉଦ୍‌ଘାଟନ କରିବେ। ଏଥିସହ ୨ କୋଟି ୩୩ ଲକ୍ଷ ବ୍ୟୟରେ ଟ୍ରାଫିକ ଛକ ନିକଟ ସେନ୍ସରି ପାର୍କ , ୩ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌, ୫୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ପାନପୋଷ ଏନ୍‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Comments are closed.