ସିଲ୍କ ସିଟି ଫେଷ୍ଟ ସାଙ୍ଗକୁ ବ୍ରହ୍ମପୁରରେ ଆୟୋଜିତ ହେବ ହକି ମହୋତ୍ସବ

ବ୍ରହ୍ମପୁର: ନିକଟରେ ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ଗୋପାଳପୁର ବେଳାଭୂମି ମହୋତ୍ସବ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଆଉ ନୂଆ ବର୍ଷର ଆଗମନ ସହ ରାଜ୍ୟରେ ହକି ଫିଭର୍ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ରେଶମ ସହରରେ ସାଂସ୍କୃତିକ, କ୍ରୀଡ଼ା, ମନୋରଞ୍ଜନ, ଆମୋଦପ୍ରମୋଦ ତଥା ପ୍ରତିଭା ପ୍ରଦର୍ଶନର ଅବସର ସହ ଆୟୋଜିତ ହେବାକୁ ଯାଉଛି ସିଲ୍କ ସିଟି ଫେଷ୍ଟ। ଏଥିସହ ରାଜ୍ୟରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବ କପ୍ ଦୃଷ୍ଟିରୁ ବ୍ରହ୍ମପୁରରେ ମଧ୍ୟ ଏକା ସମୟରେ ହକି ମହୋତ୍ସବର ଆୟୋଜନ କରାଯାଉଛି। ଏଥିପାଇଁ ବ୍ରହ୍ମପୁର ମହାନଗର, ଉପଖଣ୍ଡ ଓ ଜିଲ୍ଲାର ପ୍ରଶାସନିକ କଳ ତଥା ନିର୍ବାଚିତ ଜନପ୍ରତିନିଧିମାନେ ତତ୍ପରତାର ସହ ପ୍ରସ୍ତୁତି କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ଲାଗିଛନ୍ତି। ବ୍ରହ୍ମପୁର ମହାନଗର ବାସିନ୍ଦା ପୁଣି କେଇ ବର୍ଷ ବ୍ୟବଧାନରେ ନିଜ ସହରରେ ଏଭଳି ଏକ ମହୋତ୍ସବରେ ସାମିଲ ହେବାର ସୁଯୋଗକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

ସିଲ୍କ ସିଟି ଫେଷ୍ଟ ସାଙ୍ଗକୁ ହକି ମହୋତ୍ସବର ଏକତ୍ର ଆୟୋଜନକୁ ଗୋପାଳପୁର ବେଳାଭୂମି ମହୋତ୍ସବ ଭଳି ସୁରୁଖୁରୁରେ ସମ୍ପନ୍ନ ତଥା ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସମେତ ନିର୍ବାଚିତ ‌ପୌର ପ୍ରତିନିଧିଗଣ। ଏହି ବହୁଚର୍ଚ୍ଚିତ କାର୍ଯ୍ୟକ୍ରମରେ ସାମିଲ ହେବେ ବଲିଉଡ୍ ଏବଂ ଓଲିଉଡ୍ ତାରକାଙ୍କ ସମେତ ସ୍ଥାନୀୟ କଳାକାର, ତାରକା କ୍ରୀଡ଼ାବିତଗଣ। ଏ ନେଇ ଏକାଧିକ ବୈଠକ, କ୍ଷେତ୍ର ପରିଦର୍ଶନ ସାଙ୍ଗକୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଶାସନର, ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍, ବିଏମସି କମିଶନର୍ ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସିଂ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ। ଗୋଟିଏ ମଞ୍ଚରେ ସମାନ୍ତରାଳ ଭାବେ ଆୟୋଜିତ ହେବ ଉଭୟ ମହୋତ୍ସବ।

କଳା, ସାହିତ୍ୟ, କ୍ରୀଡ଼ା ଓ ମନୋରଞ୍ଜନର ମଞ୍ଚ ସାଜିବ ସିଲ୍କ ସିଟି ଫେଷ୍ଟ। ଏଥିସହ ହକି ମହୋତ୍ସବ ସାଙ୍ଗକୁ ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା, ଫୁଡ୍ ଷ୍ଟଲ୍ ଆଦିର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ। ହକି ବିଶ୍ବ କପ୍ ପାଇଁ ଚାରିଆଡ଼େ ଉତ୍ସାହ ଭରା ପରିବେଶକୁ ନଜରରେ ରଖି ମହାନଗରର ମୁଖ୍ୟ ରାସ୍ତା କଡ଼ କାନ୍ଥରେ ହକି ଓ କ୍ରୀଡ଼ା ବାବଦ ଓ୍ବାଲ୍ ପେଣ୍ଟିଂ କରାଯିବ। ଆସନ୍ତା ୧୧ ତାରିଖରେ ହକି ଫେଷ୍ଟରେ ସମସ୍ତଙ୍କୁ ସାମିଲ କରାଯିବ। ଏଥି ଅନ୍ତର୍ଗତ ଆୟୋଜିତ ହେବ ବିଭିନ୍ନ କ୍ରୀଡ଼ା, ସାଇକେଲ ରେସ୍, ମାରାଥନ୍ ଆଦି କାର୍ଯ୍ୟକ୍ରମ। ଏହି ଆୟୋଜନ ଦୃଷ୍ଟିରୁ ବିଭିନ୍ନ କମିଟି ଗଠନ କରାଯାଇଛି। ସେହିପରି ୧୩ ତାରିଖରୁ ହକି ବିଶ୍ବ କପ୍ ସାଙ୍ଗକୁ ବ୍ରହ୍ମପୁରରେ ଆରମ୍ଭ ହେବ ରେଶମ ମହାନଗର ମହୋତ୍ସବ। କାର୍ଯ୍ୟକ୍ରମସ୍ଥଳ ତଥା ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତିକୁ ତ୍ବରାନ୍ବିତ କରାଯାଉଛି। ପଡ଼ିଆ ସମତୁଲ କରିବା, ସାଜସଜ୍ଜା, ମଞ୍ଚ ପ୍ରସ୍ତୁତି, ପ୍ରବେଶ ଓ ପ୍ରସ୍ଥାନ ମାର୍ଗ, ସ୍ବାଗତ ତୋରଣ, ପାର୍କିଂ ସ୍ଥଳକୁ ପ୍ରସ୍ତୁତ କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ସହ ପ୍ରବଳ ଜନସମାଗମକୁ ନଜରରେ ରଖି ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ମୋଟାମୋଟି ଭାବରେ ଗୋଟିଏ ପଟେ ହକି ବିଶ୍ବ କପ୍ ପାଇଁ ରେଶମ ସହରରେ ହକି ମହୋତ୍ସବ ଏବଂ ଆରପଟେ ଖେଳକୁଦ- ସାହିତ୍ୟ- କଳା ସଂସ୍କୃତିକୁ ନେଇ ସିଲ୍କ ସିଟି ଫେଷ୍ଟ ବ୍ରହ୍ମପୁର ମହାନଗର ତଥା ଗଞ୍ଜାମ ଜିଲ୍ଲାବାସୀ ଓ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଆମୋଦପ୍ରମୋଦ ଓ ମନୋରଞ୍ଜନର ଭରପୁର ସୁଯୋଗ ଆଣିଦେବ।

Comments are closed.