୫-ଜି ଟେଲିକମ ସେବା ପବ୍ଲିସିଟି ଷ୍ଟଣ୍ଟ ନ ହେଉ, ଓଡ଼ିଶାରେ ଟେଲି ସାନ୍ଧ୍ରତା ବଢାଅ : ବିଜେଡି

ଭୁବନେଶ୍ୱର – ଓଡ଼ିଶାରେ ୫-ଜି ଟେଲିକମ ସେବାର ଶୁଭାରମ୍ଭକୁ ବିଜେଡି ସ୍ୱାଗତ କରିଛି । ତେବେ ଏହାକୁ କେନ୍ଦ୍ର ପବ୍ଲିସିଟି ଷ୍ଟଣ୍ଟ ନ କରୁ ବୋଲି ଦଳ କହିଛି । ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି ଯେ,ଓଡ଼ିଶାର ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ଏବେ ବି ମୋବାଇଲ ସେବା ପହଞ୍ଚି ପାରିନାହିଁ। ତେଣୁ ଉନ୍ନତ ସେବା ଯୋଗାଇ ଦେବା ଉପରେ କେନ୍ଦ୍ର ଧ୍ୟାନ ଦେବା ଦରକାର। ଓଡ଼ିଶାରେ ବର୍ତ୍ତମାନ ଟେଲି ସାନ୍ଧ୍ରତା ମାତ୍ର ୭୫ ପ୍ରତିଶତ ରହିଛି । ଏପରିକି ଉତ୍ତର -ପୂର୍ବ ରାଜ୍ୟଗୁଡ଼ିକରେ ଟେଲିକମ ସେବା ଓଡ଼ିଶାଠାରୁ ଭଲ ଅଛି ବୋଲି ଅମର ପଟ୍ଟନାୟକ କହିଛନ୍ତି ।

ଟେଲି ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଉଛି। ଏଥିପାଇଁ କେନ୍ଦ୍ରକୁ ସମାଲୋଚନା କରିଛି ବିଜେଡି । ଓଡ଼ିଶାର ଅନେକ ଅଞ୍ଚଳରେ ଟୁଜି ଓ ଥ୍ରୀଜି ସେବା ମଧ୍ୟ ଠିକରେ ଉପଲବ୍ଧ ହେଉନାହିଁ। ତେଣୁ ୫-ଜି ସେବା ସହ କେନ୍ଦ୍ର ଏହା ଉପରେ ଧ୍ୟାନ ଦେବା ଜରୁରୀ ବୋଲି ବିଜେଡି ମୁଖପାତ୍ର କହିଛନ୍ତି। ରାଜ୍ୟରେ ୨୫୦୦ ନୂଆ ଟେଲିକମ ଟାୱାର ପ୍ରତିଷ୍ଠା ଆବଶ୍ୟକ ହେଉଥିବା ବେଳେ ଏ ଯାଏଁ ମାତ୍ର ୫୦୦ ଟାୱାର ପାଇଁ ମଞ୍ଜୁରୀ ମିଳିଛି । ରାଜ୍ୟର ଗ୍ରାମାଞ୍ଚଳରେ ଯାହା ବି ମୋବାଇଲ ଓ ଇଣ୍ଟରନେଟ ସେବା ମିଳୁଛି , ତାହା ଅତି ନିମ୍ନମାନର । ଏଥିଯୋଗୁଁ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ଏ ପରିପ୍ରେକ୍ଷୀରେ ରାଜ୍ୟରେ ୫-ଜି ସେବା ଦ୍ୱାରା ଲୋକେ କେମିତି ଉପକୃତ ହେବେ ଓ କିଭଳି ଏହି ସେବା ସେମାନଙ୍କ ପାଖରେ ପହଞ୍ଚିବ , ସେ ନେଇ କେନ୍ଦ୍ର ସରକାର ଚିନ୍ତା କରନ୍ତୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି। ଏହା ଓଡ଼ିଶାର ଗ୍ରାମାଞ୍ଚଳରେ ପହଞ୍ଚି ପାରିବ ନାହିଁ। ତେଣୁ ରାଜ୍ୟର ଲୋକେ ୫-ଜି ସେବାକୁ କେବଳ ପବ୍ଲିସିଟି ଷ୍ଟଣ୍ଟ ବୋଲି ଭାବିବେ ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

Comments are closed.