ହୀରାକୁଦରେ ପକ୍ଷୀ ଗଣନା, ରେକର୍ଡ ଟପିଲା ସଂଖ୍ୟା  

ସମ୍ବଲପୁର : ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ରେକର୍ଡ ଟପିଛି। ଏଥର ଗତବର୍ଷ ଠାରୁ 1 ଲକ୍ଷ 16 ହଜାର ଅଧିକ ସଂଖ୍ୟାରେ ପକ୍ଷୀ ଆସିଥିବା ଜଣାପଡିଛି। ସେହିପରି 3ଟି ଅଧିକ ପ୍ରଜାତିର ପକ୍ଷୀ ବି ଠାବ ହୋଇଛନ୍ତି। ଚଳିତ ବର୍ଷ ହୀରାକୁଦରେ ପକ୍ଷୀଗଣନା ଗତ 8 ତାରିଖରେ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଫଳାଫଳ ଆଜି ଘୋଷଣା ହୋଇଛି।

ଏଥର ରେକର୍ଡ ସଂଖ୍ୟ 108 ପ୍ରଜାତିର 3 ଲକ୍ଷ 16 ହଜାର 676ଟି ପକ୍ଷୀ ଜଳଭଣ୍ଡାରକୁ ଆସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ 10 ପ୍ରଜାତିର ନୂଆ ପକ୍ଷୀ ରହିଥିବା ନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 2022 ମସିହାରେ ହୀରାକୁଦ ଜଳଭଣ୍ଡାରକୁ 104 ପ୍ରଜାତିର 2 ଲକ୍ଷ 8 ହଜାର ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିଲା। ହେଲେ ଏବର୍ଷ 1 ଲକ୍ଷ 16 ହଜାର ଅଧିକ ପକ୍ଷୀ ଆସିଛନ୍ତି। 2021ରେ ହୀରାକୁଦକୁ 98 ପ୍ରଜାତିର 1 ଲକ୍ଷ 24 ହଜାର ପକ୍ଷୀ, 2020ରେ 41ଟି ପ୍ରଜାତିର 1 ଲକ୍ଷ 3 ହଜାର 117ଟି ବିଦେଶୀ ପକ୍ଷୀ ଆସିଥିଲେ।

ଚଳିତ ବର୍ଷ ନୂତନ ଭାବେ ଠାବ ହୋଇଥିବା ପ୍ରଜାତି ଗୁଡିକ ହେଲେ ବାର୍ ଟେଲ୍ଡ ଗୋଡବିଟ୍, ପାଏଡ୍ ହାରିଅର୍, କରଲି ସାଣ୍ଡପାଇପର୍, କଟନ୍ ପିଗମି ଗୁସ୍, କାସପିଆନ୍ ଟର୍ନ, ବ୍ଲୁ ଟେଲ୍ଡ ବି-ଇଟର, କ୍ରେଷ୍ଟେଡ୍ ସରପେଣ୍ଟ ଇଗଲ୍, ଉଲି ନେକ୍ଡ ଷ୍ଟ୍ରୋକ୍, ୟେଲେଶ ବିଲ୍ଡ ଡକ୍ ଓ ପେଣ୍ଟେଡ୍ ଷ୍ଟ୍ରୋକ୍। ଚଳିତ ବର୍ଷ ଜଳଭଣ୍ଡାରକୁ ଅଧିକ ସଂଖ୍ୟକ 3ଟି ପ୍ରଜାତିର ପକ୍ଷୀ ଆସିଥିଲେ। ସେମାନଙ୍କ ମଧ୍ୟରେ 66 ହଜାର 712ଟି ଲେସର ହ୍ବିସଲିଂ ଡକ୍, 44 ହଜାର 820ଟି ଟଫଡ ଡକ୍ ଓ 34 ହଜାର 680ଟି କନ୍ କୁଟ୍ ରହିଥିବା ଜଣାପଡ଼ିଛି। ଏହାବାଦ୍ ଜଳଭଣ୍ଡାରର ମୋଟ 15ଟି ସେକ୍ଟର ମଧ୍ୟରୁ ଦୁଇ ତୃତୀୟାଂଶ ପକ୍ଷୀ କେବଳ 3ଟି ସେକ୍ଟରରେ ହିଁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାରର 533 ବର୍ଗ କିମି ଓ ପାବାର ଚ୍ୟାନେଲର 5.7 ବର୍ଗ କିମି ପରିବ୍ୟାପ୍ତ ଅଞ୍ଚଳକୁ ମୋଟ 15ଟି ସେକ୍ଟରରେ ଭାଗ କରାଯାଇ ଏହି ପକ୍ଷୀ ଗଣନା କରାଯାଇଥିଲା। ପ୍ରତିବର୍ଷ ନଭେମ୍ବରରେ ସାଇବେରିଆ, ମଙ୍ଗୋଲିଆ, ହିମାଳୟ, କାସ୍ପିଆନ୍ ସି, ଆଫଗାନିସ୍ତାନ, ଇରାକ୍ ରୁ ଏହି ପକ୍ଷୀମାନେ ହୀରାକୁଦ ଜଳଭଣ୍ଡାରକୁ ଆସି ମାର୍ଚ୍ଚରେ ଫେରିଯାନ୍ତି।

Comments are closed.