ବ୍ରହ୍ମପୁର: ହକି ମହାକୁମ୍ଭରେ ନିଆରା ପ୍ରୟାସ

ବ୍ରହ୍ମପୁର: ହକି ଖେଳର ମହାକୁମ୍ଭ ଅର୍ଥାତ୍ ବିଶ୍ବକପ୍ ପ୍ରତିଯୋଗିତା ଲଗାତର ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି। ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହାରି ମଧ୍ୟରେ ବ୍ରହ୍ମପୁର ମହାନଗରରେ ମଧ୍ୟ ଏ ଦୃଷ୍ଟିରୁ କିଛି ନିଆରା ପ୍ରୟାସ ଦେଖିବାକୁ ମିଳିଛି। ବ୍ରହ୍ମପୁର ଆଇଟିଆଇ, କ୍ଷୁଦ୍ରାକୃତି ଶିଳ୍ପୀ ହରିଗୋବିନ୍ଦ ମହାରଣା, ବାଲୁକା ଶିଳ୍ପୀ ସତ୍ୟ ମହାରଣା, ଇଞ୍ଜିନିୟରିଂ ଛାତ୍ର କେ.ବିଜୟ ରେଡ୍ଡୀ ପ୍ରମୁଖ ଏଭଳି କିଛି କଳାକୃତି ପ୍ରସ୍ତୁତ କରିଛନ୍ତି ଯାହା ସମସ୍ତଙ୍କୁ ଚମତ୍କୃତ କରୁଛି।

୪୩ ଫୁଟ ଉଚ୍ଚର ୨ଟି ହକି ଷ୍ଟିକ୍ ଓ ୨.୫ ଫୁଟ ଗୋଲେଇର ବ୍ଲକ୍। ବ୍ରହ୍ମପୁର ସରକାରୀ ଆଇଟିଆଇ ଓପନ୍ ଏୟାର୍ ସ୍କ୍ରାପ୍ ମ୍ୟୁଜିୟମରେ ବୁଧବାର ସ୍ଥାପିତ ହୋଇଛି ଏହି କଳାକୃତି। ହକି ବିଶ୍ବକପ୍ ଉଦଘାଟନୀ ଅବସରରେ ଏହି ବିଶାଳ ଆକୃତି ସ୍ଥାପନ ଆଇଟିଆଇ ଛାତ୍ରଛାତ୍ରୀଙ୍କ ୧୫ ଦିନର ଅକ୍ଲାନ୍ତ ପରିଶ୍ରମର ଫଳ ସ୍ବରୂପ ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି। ଆଗାମୀ ଦିନରେ ଏହାକୁ ଗିନିଜ ବୁକ୍ ଅଫ୍ ଓ୍ବର୍ଲଡ ରେକର୍ଡସରେ ସ୍ଥାନ ଦେବାକୁ ଚେଷ୍ଟା କରାଯିବ। ପୂର୍ବରୁ ସ୍କ୍ରାପରେ ହକି ଷ୍ଟିକର ଏତେ ବଡ଼ ଆକୃତି କେବେ ପ୍ରସ୍ତୁତ ହୋଇନଥିବା କହିଛନ୍ତି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ। ଏହାଦ୍ବାରା ଲୋକଙ୍କ ମନରେ ଜାତୀୟ କ୍ରୀଡ଼ା ପ୍ରତି ଆଗ୍ରହ, ଉଦ୍ଦୀପନା ଓ ସମ୍ମାନ ସୃଷ୍ଟି ହେବା ଆଶା କରାଯାଉଛି।

ରାଜ୍ୟର ଦ୍ବିତୀୟ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍। ମାତ୍ର ୧୫ ମାସରେ ନିର୍ମିତ ଏହି ଅତ୍ୟାଧୁନିକ ସୁନ୍ଦର ଷ୍ଟାଡିୟମ୍ ଏବେ ଆମ ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଉତ୍କୃଷ୍ଟ ନମୁନା ପାଲଟିଛି। ତାହାର ଏକ କ୍ଷୁଦ୍ର ନିଆରା କଳାକୃତି ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଶ୍ରୀରାମ ନଗରର ହରିଗୋବିନ୍ଦ ମହାରଣା। ଦୁଇଟି ନଡ଼ିଆ ଷଢେଇରେ ସେ ତିଆରି କରିଛନ୍ତି ବିର୍ସା ମୁଣ୍ଡା ଷ୍ଟାଡିୟମର ଭିନ୍ନ ଏକ କଳାକୃତି। ମୁଗ ଜାଇ, ଚଣା ଜାଇ, ମସୁରି ଡାଲି, କାନ୍ଦୁଲ ଡାଲି, ଧଳା ସୋରିଷ, ଶାଗୁ ଦାନା, ବୁଟ ଚଣା, ଲବଙ୍ଗ, ଅଳେଇଚ ଆଦି ଖାଦ୍ୟ ସାମଗ୍ରୀ ବ୍ୟବହାର କରିଛନ୍ତି ସେ। ଏଥିସହ ୮ ଜଣ ହକି ଖେଳାଳିଙ୍କ ଆକୃତି ଲବଙ୍ଗ ଓ ଅଳେଇଚରେ ତିଆରି କରାଯାଇଛି। ଦିନକୁ ଦୁଇ ଘଣ୍ଟା ସମୟ ଦେଇ ଦୁଇ ସପ୍ତାହରେ ସେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି। ଗତ ବିଶ୍ବକପ୍ ବେଳେ ଖାଦ୍ୟ ସାମଗ୍ରୀରେ ସେ ନିର୍ମାଣ କରିଥିଲେ ଦୁଇ ଫୁଟର ହକି ଷ୍ଟିକ୍ ଯାହା ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ଓ୍ବର୍ଲଡ ରେକର୍ଡସରେ ସାମିଲ ହୋଇଥିଲା। ଏଥରର କଳାକୃତି ମଧ୍ୟ ରେକର୍ଡ କରିବ ବୋଲି ସେ ଆଶା ରଖିଛନ୍ତି।

ସେପଟେ ହକି ବିଶ୍ବକପ୍ ପାଇଁ ଚକ୍ ଆର୍ଟ ସହ ପେନସିଲ୍ କାର୍ଭିଂ ଆର୍ଟ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଛାତ୍ର କେ.ବିଜୟ ରେଡ୍ଡୀ। ଚତୁର୍ଥ ବର୍ଷର ଇଞ୍ଜିନିୟରିଂ ଛାତ୍ର ବିଜୟ ମାତ୍ର ୨ ସେଣ୍ଟିମିଟର ଉଚ୍ଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକୃତି ସହ ମାସ୍କଟ୍ ଓଲି ପ୍ରତିକୃତି ତିଆରି କରିଛନ୍ତି। ଆହୁରି ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ୧ ସେଣ୍ଟିମିଟରର ହକି ବିଶ୍ବକପ୍ ଟ୍ରଫି। ପେନସିଲ୍ ମୁନରେ ୩୦ ସେଣ୍ଟିମିଟର କାର୍ଭିଂ କରି ହକି ବିଶ୍ବକପ୍ ଲୋଗୋ ପ୍ରସ୍ତୁତ କରିଛନ୍ତି। ଚକ୍ ଆର୍ଟ ପାଇଁ ୩ ଦିନ ସମୟ ଲାଗିଥିବା ବେଳେ ପେନସିଲ୍ ମୁନରେ କାର୍ଭିଂ କରିବାକୁ ୫ ଦିନ ଲାଗିଥିବା କହିଛନ୍ତି ବିଜୟ। ଏହାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ ଆଶା ରଖିଛନ୍ତି।

ବିଶ୍ବକପ୍ ଅବସରରେ ବିଶ୍ୱର ସର୍ବକ୍ଷୁଦ୍ର ମାତ୍ର ୫ ମିଲିମିଟର ହକି ଷ୍ଟିକ୍ ତିଆରି କରିଥିବା ଦର୍ଶାଇଛନ୍ତି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। କାଠରେ ସେ ୨ଟି ହକି ଷ୍ଟିକ୍ ତିଆରି କରିଛନ୍ତି ଯାହାର ଉଚ୍ଚତା ମାତ୍ର ୫ ମିଲିମିଟରର ଏବଂ ଓସାର ମାତ୍ର ୧ ମିଲିମିଟର। ଅନ୍ୟଟିର ଉଚ୍ଚତା ୧ ସେଣ୍ଟିମିଟର ଏବଂ ଓସାର ମାତ୍ର ୧ ମିଲିମିଟରର। ଏହା ତିଆରି କରିବାକୁ ସତ୍ୟଙ୍କୁ ୩୦ ମିନିଟ୍ ସମୟ ଲାଗିଥିଲା। ଏହା ଆଗାମୀ ଦିନରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ସହ ଅନ୍ୟ ରେକର୍ଡସ୍ ପୃଷ୍ଠାରେ ସ୍ଥାନିତ ହେବା ଆଶା ରଖିଛନ୍ତି ସତ୍ୟ।

Comments are closed.