ହକି ବିଶ୍ବକପ୍: ବିଜୟରୁ ଜର୍ମାନୀର ଅଭିଯାନ, ଜାପାନକୁ ୩-୦ରେ ହରାଇଲା

ଭୁବନେଶ୍ୱର: ଦୁଇ ଥରର ଚାମ୍ପିୟନ ଜର୍ମାନୀ ୩-୦ରେ ଜାପାନକୁ ହରାଇ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ପୁଲ୍ ବି’ର ଏହି ମ୍ୟାଚରେ ଜର୍ମାନୀ ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ ଗୋଲ୍ ସ୍କୋର କରି ତିନି ପଏଣ୍ଟ ହାତେଇଛି ।

ପ୍ରଥମାର୍ଦ୍ଧରେ ଶକ୍ତିଶାଳୀ ଜର୍ମାନୀକୁ କଡ଼ା ଟକ୍କର ଦେଇଥିଲା ଜାପାନ । ଜର୍ମାନୀକୁ ଗୋଲ୍ କରିବାକୁ ସାମାନ୍ୟତମ ସୁଯୋଗ ଦେଇନଥିଲା ଜାପାନୀ ଦଳ । ଆର୍ଜେଣ୍ଟିନାରୁ ପଟ ପରିବର୍ତ୍ତନ କରି ଜର୍ମାନୀ ପାଇଁ ଖେଳୁଥିବା ଷ୍ଟାର ଫରୱାର୍ଡ ଗୋଞ୍ଜାଲୋ ପେଲିୟାଟଙ୍କୁ ପ୍ରଥମାର୍ଦ୍ଧରେ ଦୁଇଟି ସୁଯେଗା ମିଳିଥିଲା । ହେଲେ ଜାପାନ ରକ୍ଷଣଭାଗ ପ୍ରଶଂସନୀୟ ପ୍ରଦର୍ଶନ ସହ ପେଲିୟାଟଙ୍କ ଦୁଇଟି ପେନାଲ୍‌ଟି କର୍ଣ୍ଣର ସଟ୍ ବ୍ଲକ୍ କରିଥିଲେ । ପ୍ରଥମାର୍ଦ୍ଧରେ ଉଭୟ ଦଳ ପରସ୍ପରର ଗୋଲ ପୋଷ୍ଟ ଭେଦ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା ।

ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ନିଜ ଫରୱାର୍ଡ ଲାଇନ୍ ଅପରେ ସାମନ୍ୟ ପରିବର୍ତ୍ତନ କରି କ୍ୟାପଟେନ ମ୍ୟାଟ୍ସ ଗ୍ରାମବୁସଙ୍କୁ ଆକ୍ରମଣର ଅଗ୍ରଭାଗରେ ରଖିଥିଲା । ଦଳର ଏହି ରଣନୀତି ଫଳପ୍ରଦ ହୋଇଥିଲା । ଗ୍ରାମବୁସ ଜର୍ମାନୀ ପାଇଁ ୩୬ତମ ମିନିଟରେ ପ୍ରଥମ ଗୋଲ୍ କରିଥିଲେ । ପୁଣି ୬ ମିନିଟ ବ୍ୟବଧାନରେ ଜର୍ମାନୀ ଅଗ୍ରଣୀକୁ ଡବଲ୍ କରିବାରେ ସଫଳ ହୋଇଥିଲା । ସାଥୀ ଖେଳାଳି ମ୍ୟୁଲରଙ୍କ ପାସକୁ ପାଇ ଖ୍ରୀଷ୍ଟୋଫର ରୁର୍ ବଲକୁ ଜାପାନ ଗୋଲପୋଷ୍ଟ ଭିତରକୁ ପଠାଇ ଦେଇଥିଲେ । ମ୍ୟାଚର ୪୯ତମ ମିନିଟରେ ରୁର୍ ପୁଣି ଦଳର ତୃତୀୟ ଗୋଲରେ ଭାଗିଦାର ସାଜିଥିଲେ । ରୁରଙ୍କ ଠାରୁ ଏକ ସୁନ୍ଦର ପାସ୍ ପାଇ ଥିଏସ୍ ପ୍ରିଞ୍ଜ୍ ଜର୍ମାନୀକୁ ୩-୦ରେ ଅଗ୍ରଣୀ କରାଇଥିଲେ । ରୁର୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

Comments are closed.