ବ୍ରହ୍ମପୁର: ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ଆୟୋଜିତ ସିଲ୍କ ସିଟି ଫେଷ୍ଟ୍ ମଙ୍ଗଳବାର ସନ୍ଧ୍ୟାରେ ଶେଷ ହେବାକୁ ଯାଉଛି। ବିଭିନ୍ନ ଦିନରେ ବଲିଉଡ୍ ତାରକା ଓ ସିଙ୍ଗର୍ ମହୋତ୍ସବ ମଞ୍ଚ ଉପରୁ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଏଥିସହ ଖାଦ୍ୟ ଷ୍ଟଲ୍ ଓ ବୁକ୍ ଷ୍ଟଲ୍ ଦେଖଣାହାରୀ ତଥା ମହୋତ୍ସବକୁ ଆଗନ୍ତୁକଙ୍କୁ ମନୋରଞ୍ଜନ ଓ ମଜା ଉଠାଇବାର ଭରପୁର ସୁଯୋଗ ଆଣି ଦେଉଛି। ଏହାରି ମଧ୍ୟରେ ଆକର୍ଷଣୀୟ ସାଜିଛି ପଲ୍ଲୀଶ୍ରୀ ମେଳା। ପ୍ରତିଦିନ ପୂର୍ବାପେକ୍ଷା ଅଧିକ ଲୋକଙ୍କ ଭିଡ଼ ମେଳାରେ ଜମୁଛି। ଏସ୍ଏଚ୍ଜି ଦ୍ଵାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବାଦେ ଟେରାକୋଟା, ମାଟି ତିଆରି ବାସନକୁସନ, କାଠ ନିର୍ମିତ ସାମଗ୍ରୀ, ବେଲଗୁଣ୍ଠାର ପିତ୍ତଳ ମାଛ, ତାଳପତ୍ର ପଟ୍ଟଚିତ୍ର, ଝୋଟ ତିଆରି ବ୍ୟାଗ୍ ସମେତ ବିଭିନ୍ନ ପ୍ରସାଧନ ସାମଗ୍ରୀ, ପୋଷାକପତ୍ର, ସ୍ମୋକ୍ ବିସ୍କୁଟ୍, ଶୀତବସ୍ତ୍ର, ଧୂପକାଠି, ଆଚାର ଓ ପାମ୍ପଡ଼, ଚୁଡ଼ି ଆଦି ବିଭିନ୍ନ ଷ୍ଟଲ୍ରେ ଲୋକଙ୍କ ସମାଗମ ହେଉଛି।
ବଲାଙ୍ଗିର ଜିଲ୍ଲାରୁ ଆସିଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର କୋଶଲ ଟେରାକୋଟା ଏବଂ ହସ୍ତତନ୍ତ ସାମଗ୍ରୀ ଷ୍ଟଲରେ ଦେଖିବାକୁ ମିଳୁଛି ଚିକିଟା ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ଏବଂ ବାସନ କୁସନ। ଠାକୁର ମୂର୍ତ୍ତି, କଡ଼େଇ, ତାୱା, ଫୁଲଦାନି, ମଟନ୍ ଓ ଭାତ ହାଣ୍ଡି ଭଳି ଅନେକ ମୂର୍ତ୍ତିକା ନିର୍ମିତ ସାମଗ୍ରୀ କିଣି ନେବାକୁ ଉତ୍ସାହ ଦେଖାଉଛନ୍ତି କ୍ରେତା। ପ୍ରାକୃତିକ ଉପାୟରେ କେବଳ ମୂର୍ତ୍ତିକାରେ କୌଣସି ରଙ୍ଗ ବା ଅଠା ବ୍ୟବହାର କରା ନଯାଇ ପ୍ରସ୍ତୁତ ଏସବୁ ସାମଗ୍ରୀ ଲୋକଙ୍କ ମନକୁ ଛୁଉଁଛି। ବରଗଡ଼ ଜିଲ୍ଲାରୁ ଆସିଥିବା ମହିଳା ଏସ୍ଏଚ୍ଜିରେ ମିଳୁଛି ଟେରୋକୋଟା ତଥା ମୂର୍ତ୍ତିକା ନିର୍ମିତ ଚାହା କପ୍, ଆଳତୀ କର୍ପୁର ଷ୍ଟାଣ୍ଡ, ପାଣି ଜଗ୍, କଡ଼େଇ ଆଦି। ସେହିପରି ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମର ପଟ୍ଟଚିତ୍ର ଯେଉଁଥିରେ ଡ୍ରଇଁଙ୍ଗ୍ ସିଟ୍ରେ ଅଙ୍କାଯାଇଥିବା ଦେବୀଦେବତାଙ୍କ ଚିତ୍ର, ଶ୍ରୀବିଷ୍ଣୁଙ୍କ ଦଶାବତାର, ଶ୍ରୀରାଧାକୃଷ୍ଣ ଚିତ୍ର ଆଧ୍ୟାତ୍ମପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଜଗତସିଂହପୁରରୁ ଆସିଥିବା ମହିଳା ଗୋଷ୍ଠୀଙ୍କ ପରିବେଶ ଅନୁକୂଳ ବିଭିନ୍ନ ଚିତ୍ରାଙ୍କିତ ଝୋଟ ତିଆରି ବ୍ୟାଗ୍, ଅଦା- ପୁଦିନା- ପାନ ପତ୍ର- ଜିରା- ତ୍ରିଫଳା ଆଦି ଫଳରୁ ପ୍ରସ୍ତୁତ ହର୍ବାଲ୍ ଖାଦ୍ୟ ସାମଗ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଆହୁରି ମଧ୍ୟ ହିଞ୍ଜିଳିର କାଠ ଶିଳ୍ପୀ ଅରୁଣ ସାହୁଙ୍କ ବିଭିନ୍ନ କଳାକୃତି ଯଥା ହନୁମାନ ଚାଳିଶା ବହି, ତାଜମହଲ, ଦେବାଦେବୀ ଓ ମହାପୁରୁଷଙ୍କ ଫଟୋ, ଠାକୁରଙ୍କ ନାମ ଖୋଦେଇ ହୋଇଥିବା କାଠ ପ୍ଲେଟ୍, ଭାରତ ମାନଚିତ୍ର, କାଠର ଚାବି ରିଙ୍ଗ୍ ଆଦିର ନିଖୁଣ କଳାକୃତି ସହ ଭଳି ବିଭିନ୍ନ ସାମଗ୍ରୀ ଲୋକଙ୍କ ବେଶ୍ ପସନ୍ଦ ଆସୁଛି। ବେଲଗୁଣ୍ଠାର ପିତ୍ତଳ ମାଛ ୪୦୦ରୁ ୪୦୦୦ ଟଙ୍କାରେ କିଣି ନେଉଛନ୍ତି ବହୁ ସଂଖ୍ୟକ ଗ୍ରାହକ।
Comments are closed.