ଭ୍ରାମ୍ୟମାଣ ପାଠାଗାର ବହିର ଏକ ଅନନ୍ୟ ଉତ୍ସବ, ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

ବରଗଡ଼: ପୁସ୍ତକ ବ୍ୟକ୍ତିକୁ ଯୁଗୋପଯୋଗୀ କରାଏ, ଜୀବନ ଗଠନରେ ସହାୟକ ହୁଏ,ସ°ସ୍କାର ବାନ କରିବା ସହ ବ୍ୟକ୍ତିର ଚିନ୍ତା ଓ ଚେତନାକୁ ପ୍ରସାରିତ କରିଥାଏ ବୋଲି ବରଗଡ଼ର ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ବ୍ଲକ ପରିକ୍ରମା କ୍ରମରେ ସୋହେଲା ବ୍ଲକର ହଳଦୀପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି।

ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଅବସରପ୍ରାପ୍ତ ଅଧ୍ୟାପକ ଟେକଚାନ୍ଦ ଦୁଆନ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ପୁସ୍ତକର ଏକ ଉତ୍ସବ ବୋଲି ମତବ୍ୟକ୍ତ କରିବା ସହ ପୁସ୍ତକ ପଠନ ବ୍ୟକ୍ତିକୁ ଯୁଗୋପଯୋଗୀ କରି ଏକ ସ°ସ୍କାରବାନ ମଣିଷ ଭାବେ ଗଢିତୋଳିଥାଏ ଓ ତା’ର ଚିନ୍ତା ଓ ଚେତନାକୁ ପ୍ରସାରିତ କରିଥାଏ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବ୍ୟକିଶୋର ମହାନନ୍ଦ, ସହକାରୀ ଶିକ୍ଷକ ଦୀପ୍ତି ପ୍ରକାଶ ଦାଶ, ଗୁପ୍ତା ଭୋଇ, ଶିକ୍ଷୟିତ୍ରୀ ପ୍ରିୟମ୍ବଦା ସାହୁ, ଅନୀତା ନାୟକ ଓ ଈତିଶ୍ରୀ ପାଢ଼ୀ ପୁସ୍ତକର ଉପାଦେୟତା ବିଷୟରେ ଆଲୋଚନା କରି ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇଥାଏ ବୋଲି କହିଥିଲେ।

ପାଠକୀୟ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କଲ୍ୟାଣୀ ସୁନା, ବର୍ଷା ବିଶି ଓ ସୁବ୍ରତ ସୁନା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ଜିଲ୍ଲା ସ୍ତରରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଥିଲେ। ପାଠାଗାରର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ଜଗନ୍ନାଥ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.