ଭାରତୀୟ ସ୍ୱାଧିନତା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ୨୩ ଜାନୁଆରୀ ୧୮୯୭ କଟକର ଓଡ଼ିଆ ବଜାରଠାରେ ଜନ୍ମ ନେଇଥିଲେ ସୁଭାଷ। ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ଏକମାତ୍ର ନେତାଜୀ ।
ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା,ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ । ମାତା ଯେ ହେତୁ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କର ଭକ୍ତଥିଲେ ସେଥିଲାଗି ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ କେବଳ ଠାକୁର ରାମକୃଷ୍ଣଙ୍କର ସମ୍ପର୍କିତ ବିଷୟ ବସ୍ତୁ କଥା କହି ପ୍ରଭାବିତ କରୁଥିଲେ । ନେତାଜୀ ଙ୍କର ଜନ୍ମ ଯଦିଓ ଓଡ଼ିଶାରେ ହେଲେ ତାଙ୍କର ପିତା ଜାନକୀନାଥ ବୋଷଙ୍କର ବାସ୍ତବରେ ଜନ୍ମ ସ୍ଥାନ ହେଉଛି ପଶ୍ଚିମବଙ୍ଗର ଚବିଶ ପ୍ରାଗଣା ଜିଲ୍ଲାରେ । ସୁଭାଷଙ୍କର ପିତା ଜାନକୀ ନାଥ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ ।ତେଣୁ ଆଇନ ବ୍ୟବସାୟ ତାଙ୍କର ପ୍ରଧାନ କର୍ମ । ସେତେବେଳେ କୈଣସି କାରଣରୁ ଜାନକୀନାଥ କଟକ ଆସନ୍ତି, କଟକର ଐତିହାସିକ ପରିବେଶ ତାଙ୍କୁ ବହୁଭାବ ରେ ଆକୃଷ୍ଟ କରିବାରୁ ସେ କଟକରେ ରହି ଆଇନ ବ୍ୟବସାୟ କରିବାକୁ ଶ୍ରେଷ୍ଠ ସ୍ଥାନ ଭାବରେ ବାଛି ନେଲେ ଓ କଟକରେ ରହି ଆଇନ ବ୍ୟବସାୟ ଚଳେଇଲେ । ତା ଛଡା ଏହି ସମୟରେ କଟକ ତଥା ଓଡ଼ିଶା ଥିଲା ବଙ୍ଗଳା ପ୍ରେସିଡେନ୍ସିର ଏକ ଅଂଶ । ଜାନକୀ ନାଥଙ୍କର ଆଇନ ବ୍ୟବସାୟ କ୍ଷେତ୍ରରେ ଯୁକ୍ତି ପ୍ରବଣତା ଏବଂ ବିଚକ୍ଷଣରେ ପ୍ରଭାବିତ ହୋଇ ତଥା ସନ୍ତୁଷ୍ଟ ହୋଇ ତତ୍କାଳୀନ ଇଂରେଜ ସରକାର ତାଙ୍କୁ ଗଭର୍ଣ୍ଣମେଣ୍ଟର ପ୍ଲିଡ଼ର ଭାବରେ ନିଯୁକ୍ତି ତଥା ରାୟବାହାଦୁର ପଦବୀ ପ୍ରଦାନ କରିଥିଲେ ।
ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୮ ମସିହା ରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନ ରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭି ସୀତା- ରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।୧୯୩୯ରେ ସେ ପୁଣି ଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ ।
୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ।ସଶସ୍ତ୍ର ଆନ୍ଦୋଳନ ଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ । ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାଜିନିଙ୍କ ଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ ।
ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚମାସରେ ବର୍ଲିନଠାରେ ପହଞ୍ଚି ଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କ ରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରି ଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ। ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ । ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା ।
ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ । ସେହି ମହାନ ଯୋଦ୍ଧା ଙ୍କ ଜନ୍ମ ତିଥିରେ ତାଙ୍କ ଚରଣ ରେ ଆମର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Comments are closed.