ରାଜ୍ୟସ୍ତରୀୟ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ: ସ୍ୱାଧୀନତା ସଂଗ୍ରାମରେ ଦୁଇ ମହାନ ବୀରଙ୍କ ଅବଦାନର ସ୍ମୃତିଚାରଣ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସଭାପତି ଭାବେ ଯୋଗଦେଇ ଉଭୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ ଓ ଅସୀମ ପରାକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଜନ୍ମଭୂମିକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ବୀର ସୁରେନ୍ଦ୍ର ସାଏ ୨୦ ବର୍ଷରୁ ଊର୍ଦ୍ଧ୍ୱକାଳ ସଶସ୍ତ୍ର ସଂଗ୍ରାମ କରିବା ସହ ଦୀର୍ଘ ୩୭ ବର୍ଷକାଳ କାରାଗାରରେ ବନ୍ଦୀ ଜୀବନ କଟାଇଥିଲେ । ସମ୍ବଲପୁରର ସ୍ଥାନୀୟ ଲୋକଙ୍କୁ ଏକତ୍ରିତ କରି ‘ ଭଲ୍‌ଗୁଲାନ୍ ’ ନାମକ ସଶସ୍ତ୍ର ବିଦ୍ରୋହର ସୂତ୍ରପାତ କରାଇଥିଲେ । ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜର ବ୍ୟକ୍ତିଗତ ସୁଖଶାନ୍ତିକୁ ଜଳାଞ୍ଜଳି ଦେଇ ଜୀବନର ୨୩ ବର୍ଷର କର୍ମମୟ ଜୀବନକୁ ଦେଶମାତୃକାର ସେବାରେ ସମର୍ପଣ କରିଥିଲେ । ଯୁବବର୍ଗ ଏହି ଯୁଗପୁରୁଷଙ୍କ ସୁଗୁଣରେ ଅନୁପ୍ରାଣିତ ହୋଇ କାର୍ଯ୍ୟକଲେ ଭାରତ ଏକ ସର୍ବଶ୍ରେଷ୍ଠ ଦେଶରେ ପରିଣତ ହୋଇପାରିବ ବୋଲି ଦର୍ଶାଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଭୟ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ , ଅସୀମ ପରାକ୍ରମ , ବୀରତ୍ଵ , ଦୃଢ଼ ଇଚ୍ଛାଶକ୍ତି ଓ ଉଚ୍ଚ ଆଦର୍ଶ ଅନନ୍ୟ ଓ ଅତୁଳନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ସୌଭିକ୍ ବିଶ୍ଵାଳ ଓ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ଦୁଇ ବୀର ସଂଗ୍ରାମୀ ଦେଶର ସ୍ଵାଧୀନତା ପାଇଁ ଯେଉଁ ବଳିଷ୍ଠ ନେତୃତ୍ୱ ଓ ଉଚ୍ଚ ଆଦର୍ଶ , ସାଂଗଠନିକ କ୍ଷମତା ଓ ଅବଦମିତ ଦେଶପ୍ରେମ ଓ ତ୍ୟାଗ ଦେଇଯାଇଛନ୍ତି ତାହା ଚିରସ୍ମରଣୀୟ ହୋଇରହିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଏବଂ ଶିକ୍ଷାବିତ୍ ଡ . ନାରାୟଣ ପଣ୍ଡା ଦୁଇ ମହାପୁରୁଷଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିବାବେଳେ ବୀର ସୁରେନ୍ଦ୍ର ସାଏଙ୍କର ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ ଓ ୩୭ ବର୍ଷ କାରାବରଣ ଏବଂ ସୁଭାଷଙ୍କ ନେତୃତ୍ୱରେ ‘ ଆଜାଦ୍ ହିନ୍ଦ୍ ଫୌଜ ’ ଓ ‘ ଦିଲ୍ଲୀ ଚଲୋ ’ ଆହ୍ଵାନ ବାସ୍ତବରେ ଅବିସ୍ମରଣୀୟ ବୋଲି କହିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ର ନାଥ ପରିଡ଼ା କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ପ୍ରଦାନ କରି ଦୁଇ ମହାପୁରୁଷଙ୍କ କର୍ମମୟ ଜୀବନ ଚିରଦିନ ପାଇଁ ପ୍ରେରଣାଦାୟୀ ଓ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ପ୍ରାରମ୍ଭରେ ଅତିଥିମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଂଶୁମାନ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ , ଗଣମାଧ୍ୟମର ପ୍ରତିନିଧୂ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Comments are closed.