ଗୁଳିମାଡରେ ଆହତ ମନ୍ତ୍ରୀ ନବ ଦାସଙ୍କ ପରଲୋକ

ଭୁବନେଶ୍ବର: ସାରା ଓଡ଼ିଶା ସ୍ତବ୍ଧ। ଶେଷରେ ଗୁଳିମାଡରେ ଆହତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହେଉଥିଲା। ଏହି ଘଟଣାରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଦାସ ବ୍ରଜରାଜନଗରକୁ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିବାକୁ ଯାଉଥିଲେ। ଏହି ସମୟରେ ଗାନ୍ଧୀଛକ ଏବଂ ଏମସିଏଲ ଜିଏମ୍ ଅଫିସ ମଝିରେ କର୍ମୀମାନେ ସ୍ବାଗତ ପାଇଁ ତାଙ୍କୁ ଅପେକ୍ଷା କରିଥିଲେ। ମନ୍ତ୍ରୀ କାର୍ ରୁ ଓହ୍ଲାଇବା ପରେ କର୍ମୀମାନେ ଫୁଲମାଳ ସହ ଜିନ୍ଦାବାଦ ଧ୍ବନୀ ଦେଉଥିବା ବେଳେ ଅଚାନକ ଗୁଳି ଫୁଟିବାର ଶଦ୍ଦ ଶୁଭିଲା। ନିକଟରେ ଥିବା ଗାନ୍ଧୀଛକ ଫାଣ୍ଡିର ଏଏସ୍ଆଇ ଗୋପାଳ ଦାସ ତାଙ୍କ ରିଭଲଭରରୁ ୪୵୫ ରାଉଣ୍ଡ ଗୁଳି ମନ୍ତ୍ରୀଙ୍କୁ ଟାର୍ଗେଟ କରି ମାରିଥିଲେ। ଏଥିରୁ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିବାରୁ ସେ ତଳେ ପଡଯାଇଥିଲେ। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଏୟାରଲିଫ୍ଟ କରି ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।

ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ନବ ଦାସ ସମ୍ବଲପୁର ଜିଏମ୍ କଲେଜର ଛାତ୍ର ସଂସଦ ସଭାପତି ଥିଲେ। ପରେ କଂଗ୍ରେସର ସକ୍ରିୟ ନେତା ଭାବେ କାର୍ଯ୍ଯ କରି ଆସୁଥିଲେ। ଗତ ୨୦୦୪ ରେ ସେ ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଟିକଟରେ ଲଢି ପରାଜିତ ହୋଇଥିଲେ। ହେଲେ ୨୦୦୯ ଏବଂ ୨୦୧୪ରେ କଂଗ୍ରେସ ଟିକଟରେ ଜିତି ବିଧାୟକ ହୋଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେଡି ଟିକେଟରେ ବିପୁଳ ଭୋଟରେ ବିଜୟ ଲାଭ କରି ବର୍ତ୍ତମାନ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଥିଲେ। ତାଙ୍କ ନେତୃତ୍ୱରେ ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିକୁ ବୃହତ ସଫଳତା ମିଳିଥିଲା। ରାଜ୍ୟରେ କୋଭିଡର ସଫଳ ମୁକାବିଲା ସାଙ୍ଗକୁ ବିରାଟ ସ୍ବାସ୍ଥ୍ୟ ଭିତ୍ତିଭୂମି ଛିଡା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ତାଙ୍କ ସ୍ତ୍ରୀ ସମେତ ଏକମାତ୍ର ପୁଅ ବିଶାଳ ଓ ଏକମାତ୍ର ଝିଅ ଦୀପାଳି ଏବଂ ପରିବାର ବର୍ଗଙ୍କୁ ଛାଡିଯାଇଛନ୍ତି।

Comments are closed.