ଫେରିବ ଗଞ୍ଜାମ ହକିର ଗୌରବ 

ଛତ୍ରପୁର: ଓଡ଼ିଶା ଲଗାତର ଦ୍ଵିତୀୟ ଥର ପାଇଁ ହକି ବିଶ୍ବ କପ୍ ସଫଳତାର ସହ ଆୟୋଜନ କରି ଅନ୍ତର୍ଜାତୀୟ କ୍ରୀଡ଼ାରେ ନିଜ ପ୍ରତିଷ୍ଠାକୁ ଅଧିକ ମଜବୁତ କରିପାରିଛି। ଏହି ଅବସରରେ ରେକର୍ଡ ୧୫ ମାସ ସମୟ ମଧ୍ୟରେ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ ଭଳି ଭିତ୍ତିଭୂମିକୁ ମଧ୍ୟ ସାକାର କରିପାରିଛନ୍ତି ରାଜ୍ୟ ସରକାର। ହେଲେ କେବଳ ସେତିକି ନୁହେଁ, ତୃଣମୂଳସ୍ତରରେ ମଧ୍ୟ ହକି ଖେଳର ପ୍ରସାର ସାଙ୍ଗକୁ ହକିକୁ ବ୍ୟାପକ କରିବାକୁ ମଧ୍ୟ ସମାନ୍ତରାଳ ପ୍ରୟାସ ଚଳାଇଛନ୍ତି ଓଡ଼ିଶା ସରକାର। ସେହି ପ୍ରୟାସର ଫଳ ସ୍ବରୂପ ଖୁବ୍ ଶୀଘ୍ର ଏକଦା ରାଜ୍ୟରେ ହକିର ଅନ୍ୟତମ ଗଡ଼ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ହକିର ହୃତ୍‌ଗୌରବ ଫେରିବାକୁ ଯାଉଛି। ଗତ ଦଶନ୍ଧିରେ ଯେଉଁଠି ହକି ଖେଳ ପ୍ରାୟ ବନ୍ଦ ହୋଇ ଯାଇଥିଲା, ସେଠି ଏବେ ହକି ଟର୍ଫ ବିଛା ସରିଛି। ଏକ ଜାତୀୟସ୍ତରର ପ୍ରଶିକ୍ଷଣ ଏକାଡେମୀ ଖୋଲିଛି। କୋଚ୍ ନିଯୁକ୍ତ ହୋଇଛନ୍ତି, ଆଉ ପ୍ରାୟ ୭୦-୭୫ ବାଳକ ବାଳିକା, ଯୁବକ ଯୁବତୀ ନିୟମିତ ଦୁଇ ଓଳା ପଡ଼ିଆରେ ହକି ଷ୍ଟିକ୍ ଧରି ପ୍ରାକ୍ଟିସ୍ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ଯେଉଁ ହକି ଟର୍ଫର ଶିଳାନ୍ୟାସ କରିଥିଲେ, ଆଉ କିଛି ଦିନ ପରେ ତାହାର ଉଦ୍‌ଘାଟନ କରି ଜିଲ୍ଲାର ଖେଳାଳିଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବାକୁ ଯାଉଛନ୍ତି। ଗଞ୍ଜାମ ଜିଲ୍ଲାରେ ହକି ଖେଳ ପୁଣି ତାର ପୂର୍ବ ଗୌରବମୟ ଦିନ ଆଣିଦେବ ସେହି ଆଶା ଉଦ୍‌ଜୀବିତ ହୋଇ ଉଠିଛି।

ଗତ ଶତାବ୍ଦୀର ଅଶୀ- ନବେ ଦଶକ ସମୟରେ ରାଜ୍ୟ ଦଳରେ ଆଖିଦୃଶିଆ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ବ୍ରହ୍ମପୁରର ହକି ଖେଳାଳି ସାମିଲ୍ ହେଉଥିଲେ। ଜିଲ୍ଲାର ବହୁ ନାଁକରା ଖେଳାଳି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିଥିଲେ। ଛତ୍ରପୁର ମାଟିରୁ ଗୋଟିଏ ସମୟରେ ୫-୬ ଜଣ ଏନ୍‌ଆଇଏସ୍ ତାଲିମପ୍ରାପ୍ତ ପ୍ରଶିକ୍ଷକ ସୃଷ୍ଟି ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ ଇନ୍‌ଚାର୍ଜ କାଳୁ ଚୌଧୁରୀ, ଯାଜପୁରରେ କାର୍ଯ୍ୟରତ ଅମୂଲ୍ୟ ବେହେରା, ଛତ୍ରପୁରରେ ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତି ପାଇଥିବା ସନ୍ତୋଷ କୁମାର ଗୌଡ଼ଙ୍କ ସମେତ ଦିପ୍ତେଶ ପଟ୍ଟନାୟକ, ଅନୀଲ କୁମାର ବେହେରା ପ୍ରମୁଖ କିଛି ନାମ ଉଲ୍ଲେଖନୀୟ। ଛତ୍ରପୁରର ଅନ୍‌ସ୍ଲୋ ହାଇସ୍କୁଲ, ବ୍ରହ୍ମପୁରର କୁଇନ୍ ମିଶନ୍ ହାଇସ୍କୁଲ, କେ.ସି. ହାଇସ୍କୁଲ, ପୁରୁଣା ବ୍ରହ୍ମପୁର ହାଇସ୍କୁଲ ଆଦିରୁ ସୃଷ୍ଟି ହେଉଥିଲେ ତୃଣମୂଳସ୍ତରର ଖେଳାଳି ଯେଉଁମାନେ ପରବର୍ତ୍ତୀ ସମୟରେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଦଳ ସମେତ ଜିଲ୍ଲା, ରାଜ୍ୟ ଦଳରେ ପ୍ରତିନିଧିତ୍ବ କରିବା ସୁଯୋଗ ପାଉଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବହୁବାର ରନର୍ସଅପ୍ ବା ତୃତୀୟ ସ୍ଥାନରେ ରହୁଥିଲା ଗଞ୍ଜାମ ଜିଲ୍ଲା ସ୍କୁଲ ହକି ଦଳ। ତେବେ ପରବର୍ତ୍ତୀ ସମୟରେ କ୍ରିକେଟ୍ ଖେଳର ବ୍ୟାପକତା, ଭିଭିଭୂମିର ଅଭାବ, ଯୁବ ପିଢ଼ିର ଅନାଗ୍ରହ, ମ୍ୟାଚ୍ ଆୟୋଜନ ନହେବା ଫଳରେ ଗଞ୍ଜାମ ଜିଲ୍ଲାରେ ହକି ଖେଳ ପ୍ରାୟ ବନ୍ଦ ହୋଇ ଯାଇଥିଲା।

ତେବେ ଚାରି ବର୍ଷ ତଳେ ରାଜ୍ୟରେ ପ୍ରଥମ ବିଶ୍ବକପ୍ ହକି ଆୟୋଜନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାରେ ହକି ଖେଳର ପୁନରୁଦ୍ଧାର ପାଇଁ ଦୃଷ୍ଟିନିବେଶ କରିଥିଲେ। ତାଙ୍କରି ପରାମର୍ଶ ଓ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ଛତ୍ରପୁରକୁ ପୁଣି ଥରେ ହକି ଖେଳର କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ପ୍ରଚେଷ୍ଟା। ୨୦୨୦ ନଭେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁରରେ ସିନ୍ଥେଟିକ୍ ହକି ଟର୍ଫ ପାଇଁ ଘୋଷଣା କରିଥିଲେ। ନ୍ୟୁ ପୋଲିସ ଲାଇନ୍‌ରେ ୩ ଏକର ଜମିରେ ନିର୍ମାଣାଧୀନ ସିନ୍ଥେଟିକ୍ ଟର୍ଫ କୋର୍ଟ କାର୍ଯ୍ୟ ପ୍ରାୟ ସରିବାକୁ ଆସିଲାଣି। ଶୀଘ୍ର ଏହା ଉଦ୍‌ଘାଟିତ ହେବ। ଯୁବ ପିଢ଼ି ସେଠାରେ ପେସାଦାର ହକି ଖେଳ ଅଭ୍ୟାସ କରିପାରିବେ। ରାଜ୍ୟ ସରକାର ଏଠାରେ ତାଲିମ କେନ୍ଦ୍ର ପାଇଁ ଏନ୍‌ଆଇଏସ୍ ପ୍ରଶିକ୍ଷିତ ହକି କୋଚ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି। ଅପରପକ୍ଷରେ ୨୦୨୦ ମସିହାରୁ ଛତ୍ରପୁରରେ ଖୋଲିଥିବା ଟାଟା ନାଭାଲ ହକି ଏକାଡେମୀ ମଧ୍ୟ ଖେଳର ପ୍ରସାରରେ ସହାୟକ ସାଜିଛି। ପିଲାଙ୍କୁ ଖେଳ ସାମଗ୍ରୀ ଦିଆଯାଇଛି। ଦୁଇ ଜଣ ହକି ପ୍ରଶିକ୍ଷକ ନିୟମିତ ନୂଆ ଖେଳାଳିଙ୍କୁ ତାଲିମ ଦେଉଛନ୍ତି। ଏଣୁ ଦୃଢ଼ ଆଶା କରାଯାଉଛି ଯେ ପୁଣି ଏହି କ୍ରୀଡ଼ା ଉତ୍କର୍ଷତାର ପଥରେ ଆଗେଇଯିବ। ନିକଟରେ ରାଜ୍ୟରେ ଦ୍ଵିତୀୟ ଥର ହକି ବିଶ୍ଵକପ୍ ଆୟୋଜନ ନେଇ ଯେଉଁ ଉନ୍ମାଦନା, ଉତ୍ସାହ ତୃଣମୂଳସ୍ତରରେ ଦେଖିବାକୁ ମିଳିଥିଲା, ତାହାହିଁ ଆଗାମୀ ଦିନରେ ପୁଣି ଥରେ ସ୍କୁଲ ଓ କଲେଜସ୍ତରରୁ ଉଦୀୟମାନ ଖେଳାଳି ସୃଷ୍ଟି ପାଇଁ ପଥପ୍ରଦର୍ଶକ ସାଜିବ। ଆଗାମୀ ଦିନରେ ନିୟମିତ ମ୍ୟାଚ୍ ଖେଳାଯିବ, ଗଞ୍ଜାମର ହକି ପୁଣି ଥରେ ତାର ଗୌରବମୟ ଅତୀତ ଫେରିପାଇବ ତାହା ନିଶ୍ଚିତ।

Comments are closed.