ଏସିଆ ବୁକ୍ ଅଫ୍ ରେକର୍ଡସରେ ଆଇଟିଆଇ ହକି ଷ୍ଟିକ୍

ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଆଇଟିଆଇକୁ ଆଉ ଏକ ସଫଳତା। ଏହି ଶିଳ୍ପ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ ଆଉ ଏକ କଳାକୃତି ପୁଣି ଏକ ରେକର୍ଡ ପୁସ୍ତକରେ ସ୍ଥାନ ପାଇଛି। ହକି ବିଶ୍ବକପ୍ ଉପଲକ୍ଷେ ଆଇଟିଆଇ ଓପନ୍ ଏୟାର୍ ସ୍କ୍ରାପ୍ ମ୍ୟୁଜିୟମରେ ସ୍ଥାପିତ ୪୩ ଫୁଟ ଉଚ୍ଚର ଦୁଇଟି ହକି ଷ୍ଟିକ୍ ଏବଂ ୨.୫ ଫୁଟ ଗୋଲେଇ ବିଶିଷ୍ଟ ବଲ୍ ଏବେ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ ହୋଇଛି। ୩ କୁଇଣ୍ଟାଲ୍ ଅବ୍ୟବହୃତ ତଥା ପରିତ୍ୟକ୍ତ ଲୁହା ଓ ଅନ୍ୟାନ୍ୟ ସାମଗ୍ରୀରେ ନିର୍ମିତ ଏହି ସ୍କ୍ରାପ୍ କଳାକୃତି ବିଶାଳ ସ୍କ୍ରାପ୍ ହକି ଷ୍ଟିକ୍ ମାନ୍ୟତା ପାଇଛି। ଓଡ଼ିଶାର ଦକ୍ଷତା ବିଶ୍ବସ୍ତରୀୟ ବୋଲି ଏହି ସଫଳତାରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଇଟିଆଇ ଅଧ୍ୟକ୍ଷ ଡଃ ରଜତ ପାଣିଗ୍ରାହୀ। ଏହା ଆଇଟିଆଇ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷାର୍ଥୀଙ୍କ ନିଷ୍ଠାପର ପ୍ରୟାସର ସଫଳ ଉଦାହରଣ ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ଯେ ପୂର୍ବରୁ ବ୍ରହ୍ମପୁର ସରକାରୀ ଆଇଟିଆଇ ଦ୍ବାରା ନିର୍ମିତ ଅନେକ ସ୍କ୍ରାପ୍ କଳାକୃତି ଗିନିଜ୍ ବୁକ୍ ସମେତ ବିଭିନ୍ନ ରେକର୍ଡ ବୁକରେ ସାମିଲ ହୋଇସାରିଛି। ସେହି ରେକର୍ଡରେ ଏବେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି।

Comments are closed.