ଆୟୁଷ୍ମାନ ଯୋଜନା କଥା କହି ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ ବିଜେପି : ବିଜେଡି

ଭୁବନେଶ୍ବର – କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ଶାସକ ବିଜେଡି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଗୌତମବୁଦ୍ଧ ଦାସ କହିଛନ୍ତି, ବଜେଟରେ ଆୟୁଷ୍ମାନ ଭାରତ ପାଇଁ ମାତ୍ର ୭୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଏହାକୁ ଭାଗ କରାଯାଏ ଓଡ଼ିଶା ଭାଗରେ ୨୦୦ କୋଟି ଟଙ୍କା ପଡ଼ିବ। କିନ୍ତୁ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ପ୍ରତି ଜିଲ୍ଲା ଭାଗରେ ୨୦୦ କୋଟି ଟଙ୍କା ପଡୁଛି । ଯଦି ଆୟୁଷ୍ମାନ ଭାରତରେ ମିଳିବାକୁ ଥିବା ୨୦୦ କୋଟି ଟଙ୍କା ଗୋଟିଏ ଜିଲ୍ଲାରେ ଖର୍ଚ୍ଚ ହେବ, ଅନ୍ୟ ୨୯ ଜିଲ୍ଲା କଣ କରିବେ ବୋଲି ବିଜେଡି ନେତାଏଁ ପ୍ରଶ୍ନ କରିଛନ୍ତି।

ସ୍ୱାସ୍ଥ୍ୟ ସେବା ଲାଗି ଗୋଟିଏ ଜିଲ୍ଲାର ବ୍ୟୟ ବରାଦରେ ସାରାରାଜ୍ୟକୁ ସାମିଲ କରିବାକୁ ରାଜ୍ୟ ବିଜେପି ଚାହୁଁଛି କି ବୋଲି ପ୍ରଶ୍ନ କରିଛି ବିଜେଡି ? ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟ ୨ ଗୁଣା ହୋଇ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିଛି । ବିଏସକେୱାଇରେ ୫୦୦ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରଯାଇଛି। ଏହି ଯୋଜନାରେ ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ୫ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ରଖାଯାଇଛି । ବିଜେପି ଆଉ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କଥା ନ ଉଠାଇ ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ ବୋଲି ବିଜେଡି କହିଛି ।

Comments are closed.