ବର୍ଷକ ମଧ୍ୟରେ କେନ୍ଦ୍ରାପଡାରେ ହେବ ଶିଳ୍ପ ପ୍ରତିଷ୍ଠାନ, ସ୍ଥାନ ଚିହ୍ନଟ ପ୍ରକ୍ରିୟା ଅନୁଧ୍ୟାନ କଲେ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ଶକ୍ତି , ଶିଳ୍ପ ଓ ଏସ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଡୁବୁରୀ –ପାରାଦ୍ୱୀପ ଏକ୍ସପ୍ରେସ ହାଇୱେ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର , କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖୁଛନ୍ତି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା , ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର୍‌ ସିଂ ପୁନିଆ , ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର , କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ଋତୁରାଜ , କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସଂପତ୍ ମାଡ଼କର , ଇଡ୍‌ର ଜି.ଏମ୍ . କଲ୍ୟାଣ କୁମାର ମହାନ୍ତିଙ୍କ ଗହଣରେ ଆସି ସେ ପ୍ରଥମେ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ , ଚଣ୍ଡିଖୋଲ – ପାରାଦ୍ଵୀପ ଟୋଲଗେଟ୍ ସନ୍ନିକଟ ଶ୍ରୀରାମପୁର ମୌଜାର କେତେକ ଅବ୍ୟବହୃତ ଜମି ପରିଦର୍ଶନ କରିଥିଲେ । ଜମି ନିକଟରେ ଏକ୍ସପ୍ରେସ ହାଇୱେ ଏବଂ ରେଳ ଲାଇନ ତଥା ବିଦ୍ୟୁତ ଲାଇନ ଥିବାହେତୁ ଏ ସ୍ଥାନ ଶିଳ୍ପ ଅନୁକୂଳ ଥିବା ସେ ପ୍ରକାଶ କରିଥିଲେ । ଏସବୁ ସ୍ଥାନ ଚାଷ ଉପଯୋଗୀ ନୁହେଁ ଏବଂ ଘରୋଇ ମାଲିକାନାରେ ଥିବା ସତ୍ତ୍ବେ ଏଠାରେ କୃଷି କାର୍ଯ୍ୟ କରାଯାଉ ନଥିବା ଦେଖାଯାଇଥିଲା ।

ପରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲର କେତେକ ସ୍ଥାନ ବୁଲି ଦେଖୁଥିଲେ । ସେଠାରୁ କେନ୍ଦ୍ରାପଡ଼ା ଯାଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବୈଠକ କରି ଜିଲ୍ଲାପାଳଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ମହାକାଳପଡ଼ା ତହସିଲର ଅମେଇପାଳ ମୌଜା , କଳଗଡ଼ା ମୌଜା , ଯଦୁପୁର ମୌଜା , ଅଂଗୁଳାଇ ମୌଜା , ବେରୁହାଁ ମୌଜା , ଡେରାବିଶ ତହସିଲର ଫକୀରାବାଦ ମୌଜା , ତିଲକପୁର ମୌଜା , ନୂଆହାଟ ମୌଜାଗୁଡ଼ିକରେ ଉପଲବ୍ଧ ଜମି ନକ୍ସା ସବୁର ଅନୁଧ୍ୟାନ କରାଯାଇଥିଲା ।

ଗୋଟିଏ ପଟେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଅନ୍ୟ ପଟେ ପାରାଦ୍ୱୀପ ଶିଳ୍ପାଞ୍ଚଳ ବହୁଳଭାବେ ଗଢ଼ି ଉଠିଥିଲେ ହେଁ ମଧ୍ୟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଶିଳ୍ପ ପ୍ରତିଷ୍ଠାନ ହୋଇପାରୁ ନାହିଁ । ତେଣୁ ଏସବୁ ଚିହ୍ନଟ ଜମିକୁ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ ସକାଶେ କିପରି ପ୍ରସ୍ତୁତ କରାଯାଇପାରିବ ସେନେଇ ବିଭିନ୍ନ ଆନୁଷଙ୍ଗିକ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି , ଏକ୍ସପ୍ରେସ ହାଇୱେକୁ ଲାଗି ରହିଥିବା ସରକାରୀ ଜମିକୁ ପ୍ରାଥମିକତା ଭିଭିରେ ଚିହ୍ନଟ କରି ତା’ର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପରାମର୍ଶ ଦେଇଥିଲେ ।

ସେଠାରେ ନୂତନ ଶିଳ୍ପାନୁଷ୍ଠାନ ଗଢ଼ିଉଠିଲେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ସେ ମତ ରଖିଥିଲେ । ଯେଉଁ ବେସରକାରୀ ଜମି ଏହି ଉଦ୍ଦେଶ୍ୟରେ କ୍ରୟ କରାଯିବ ସେଥରେ ଜମିର ଉପଯୁକ୍ତ ମୂଲ୍ୟ ସିଧାସଳଖ ପଟ୍ଟାଦାରଙ୍କ ଖାତାରେ ଜମା ହେବ , ଏଥରେ କୌଣସି ତୃତୀୟ ପକ୍ଷର ସଂପୃକ୍ତି ରହିବ ନାହିଁ ବୋଲି ସେ ସୂଚିତ କରିଥିଲେ । ତେବେ ସମସ୍ତ ତଥ୍ୟ ଅବଗତ ହେବା ପରେ ହେମନ୍ତ ଶର୍ମା କଳଗଡ଼ାଠାରେ ଥିବା ଜମି ଚକଡ଼କୁ ପ୍ରଥମ , କଳଗଡ଼ାର ଦ୍ଵିତୀୟ ଚକଡ଼ାକୁ ଦ୍ୱିତୀୟ ଓ ମଣିକୁନ୍ଦା ଜମି ଚକଡ଼ାକୁ ତୃତୀୟ ଭାବେ ପ୍ରାଥମିକତା ସୂତ୍ରରେ ବାନ୍ଧିବାକୁ କହିଥିଲେ । ଏସବୁ ଜମିର କିସମ , ଜମି ମାଲିକଙ୍କ ଜାତି , ଜମି ବିକ୍ରି ପାଇଁ ତାଙ୍କ ମନୋଭାବ ଇତ୍ୟାଦି ଉପରେ ଅଧିକ ଅନୁଧ୍ୟାନ କରିବାକୁ ସେ ଜିଲ୍ଲାପାଳ , ଜମି ଅଧିଗ୍ରହଣ ଅଧିକାରୀ ଓ ରାଜସ୍ଵ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୋକେ ଜମି ବିକ୍ରି ପାଇଁ ଇଚ୍ଛୁକ ହେଲେ ସରକାରୀ ମୂଲ୍ୟାୟନର ଯଥେଷ୍ଟ ଅଧିକ ମୂଲ୍ୟରେ କ୍ରୟ କରାଯିବ ବୋଲି ସେ କହିଥିଲେ ।

ସେଠାରୁ ପାରାଦ୍ଵୀପ ଯାଇ ପାରାଦ୍ଵୀପ ପ୍ଲାଷ୍ଟିକ ପାର୍କଠାରେ ସିପେଟ୍ ଦ୍ଵାରା ପରିଚାଳିତ ତାଲିମ କାର୍ଯ୍ୟକ୍ରମର ସଂଚାଳନ ସହ ସେଠାରେ ପ୍ଲାଷ୍ଟିକର ବିଭିନ୍ନ ବ୍ୟବହାରଯୋଗ୍ୟ ଉପକରଣର ନିର୍ମାଣ କୌଶଳ ବୁଲି ଦେଖୁଥିଲେ । ସଂପ୍ରତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ , ମହାନଦୀ କୋଲଡ୍ ଫିଲଡ୍ ଲିମିଟେଡ୍‌ ଏବଂ ଓଡ଼ିଶା ଅନୁସୂଚିତ ଜାତି / ଜନଜାତି ଉନ୍ନୟନ ନିଗମ ଦ୍ଵାରା ପ୍ରାୟୋଜିତ ଯୁବକଯୁବତୀଙ୍କୁ ତାଲିମ ଦିଆଯାଉଥିବା ଅନୁଧ୍ୟାନ କରିଥିଲେ । ପରେ ସେଠାରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଇର ଜମି ଅଧଗ୍ରହଣ ଅଧିକାରୀମାନଙ୍କ ଉପସ୍ଥିତିରେ ଇଡ୍‌କୋ ଦ୍ଵାରା ଶିଳ୍ପପୁଞ୍ଜ ପ୍ରତିଷ୍ଠା ଓ ବିକାଶ ନିମନ୍ତେ କରାଯାଉଥିବା ଜମି ଅଧୁଗ୍ରହଣ ପ୍ରକ୍ରିୟା ସଂପର୍କରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା । ସେଠାରେ ଓଡ଼ିଶା ଶକ୍ତି ସଂଚରଣ ନିଗମ ଓ ଟିପିଓସିଡିଏଲ୍ ଦ୍ଵାରା କରାଯାଉଥିବା ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରାଯାଇ ଆଗାମୀ ୨୦ / ୩୦ ବର୍ଷକୁ ଆଖିରେ ରଖି ବିଦ୍ୟୁତର ଆବଶ୍ୟକତାକୁ ଆକଳନ କରି ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା ।

Comments are closed.