ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପାଣି ପଞ୍ଚାୟତର ସଫଳତା: ପ୍ରକଳ୍ପ ସେଚାଞ୍ଚଳ ୩୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ପଦରବଳୀ ଗ୍ରାମର ଗୋବିନ୍ଦ ଚନ୍ଦ୍ର ଗୌଡ , ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଜଣେ ସଫଳ ଚାଷୀ । ଏହି ଜଳସେଚନ ପ୍ରକଳ୍ପ ଆରମ୍ଭରୁ ଏକ ଦୀର୍ଘ ମିଆଦି ଜଳ ପରିଚାଳନା ସହିତ ଜଳସେଚନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି । ଏହି ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତର ଚାଷୀମାନେ ଜଳକର ଆଦାୟ କରୁଛନ୍ତି । ଦକ୍ଷ ପରିଚାଳନା କାର୍ଯ୍ୟକ୍ରମ ସହିତ ଫସଲ ବିବିଧିକରଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମମାନ ସଫଳତାର ସହ ସମ୍ପାଦନ କରୁଛନ୍ତି ।

ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ନେତୃତ୍ବରେ ସମସ୍ତଙ୍କର ସହଯୋଗରେ ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସେଚାଞ୍ଚଳକୁ ସେମାନେ ୩୦ ପ୍ରତିଶତ ବୃଦ୍ଧି କରିପାରିଛନ୍ତି । ଉନ୍ନତ ଜ୍ଞାନ କୌଶଳର ଉପଯୋଗ କରି ବିଭିନ୍ନ ଉନ୍ନତିମୂଳକ କୃଷି କାର୍ଯ୍ୟକ୍ରମ କରୁଥିବାରୁ ସେମାନଙ୍କର ଏହି ଉଦ୍ୟମ ଅନ୍ୟ ପ୍ରକଳ୍ପ ତଥା ପାଣି ପଞ୍ଚାୟତ ପାଇଁ ଉଦାହରଣ ହୋଇଛି । ତେଣୁ ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତକୁ ଉତ୍ତମ ଜଳ ଉପଭୋକ୍ତା ସଂଘ ଭାବରେ ୪ର୍ଥ ଜାତୀୟ ଜଳ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସେମାନେ ଗର୍ବିତ ବୋଲି କୁହନ୍ତି ଶ୍ରୀ ଗୌଡ ।

Comments are closed.