ଭଞ୍ଜବିହାର ହେବ ପ୍ରଦୂଷଣମୁକ୍ତ, ସଂସ୍କୃତିସମ୍ପନ୍ନ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍ ଅର୍ଥାତ୍ ଭଞ୍ଜବିହାର ହେବ ପ୍ରଦୂଷଣମୁକ୍ତ ଓ ସଂସ୍କୃତିସମ୍ପନ୍ନ। ଝାଉଁ ବଣ ସବୁଜିମା ସାଙ୍ଗକୁ ବଡ଼ ବଡ଼ ଗଛଲତାରେ ଭରା ବିଶ୍ଵବିଦ୍ୟାଳୟ କ୍ୟାମ୍ପସକୁ ଅଧିକ ସ୍ୱଚ୍ଛ ଓ ସତେଜ ବାୟୁରେ ଭରିଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବିଶ୍ବବିଦ୍ୟାଳୟ ପ୍ରଶାସନ। ପରୀକ୍ଷାମୂଳକ ଭାବେ ସପ୍ତାହରେ ଗୋଟିଏ ଦିନ ଶନିବାର ଏଣିକି କ୍ୟାମ୍ପସରେ ପେଟ୍ରୋଲ୍ ଓ ଡିଜେଲ ଚାଳିତ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ଆସନ୍ତା ୧୧ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଯେଉଁମାନେ ଏଭଳି ଗାଡ଼ି ମୋଟର ଆଣିଥିବେ ସେମାନେ କ୍ୟାମ୍ପସ୍ ବାହାରେ ଗାଡ଼ି ରଖିବେ‌। ବ୍ୟାଟେରୀଚାଳିତ ଗାଡ଼ି ଧରି ଯାଆସ କରିବେ କିମ୍ବା ପାଦରେ ଚଲାବୁଲା କରି ବିଶ୍ଵବିଦ୍ୟାଳୟ ପରିସରରେ ନିଜ କାର୍ଯ୍ୟ କରିବେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ବୁଧବାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ବିଜ୍ଞପ୍ତି ପ୍ରକାରେ ଏଣିକି ପ୍ରତି ଶୁକ୍ରବାର ସମସ୍ତ ପ୍ରଫେସର୍‌, ରିଡରଙ୍କ ସମେତ କର୍ମଚାରୀମାନେ ଖଦି ତିଆରି ପୋଷାକ ବା ଶାଢ଼ୀ ପିନ୍ଧି ବିଶ୍ବବିଦ୍ୟାଳୟକୁ ଆସିବେ। ଏହି ନିଷ୍ପତ୍ତି ଆସନ୍ତା ୧୦ ତାରିଖରୁ ଲାଗୁ ହେବ। ଏଭଳି ପଦକ୍ଷେପ ଦ୍ବାରା ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ (ଭଞ୍ଜବିହାର) ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ ରହିବ ତ ଆରପଟେ ଆପଣା ସଂସ୍କୃତି ଓ ପରମ୍ପରାର ଝଲକ ମଧ୍ୟ ବିଶ୍ବବିଦ୍ୟାଳୟ ଷ୍ଟାଫଙ୍କ ମଧ୍ୟରେ ଦେଖିବାକୁ ମିଳିପାରିବ।

Comments are closed.