ଝାରସୁଗୁଡ଼ାରେ କୃଷି ମନ୍ତ୍ରୀଙ୍କ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଜି ଝାରସୁଗୁଡ଼ା ଗସ୍ତ ସମୟରେ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସର୍କିଟ୍ ହାଉସ୍‌ଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ଵାଇଁ କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ପ୍ରକଳ୍ପ , ଫାର୍ମପଣ୍ଡ ଯୋଜନା , ସୌର ଜଳନିଧ୍ଵ , ମିଲେଟ୍ ମିଶନ , କୃଷି ଯାନ୍ତ୍ରିକୀକରଣ , କୃଷି ସାମଗ୍ରୀ ଯୋଗାଣର ସ୍ଥିତି , ‘ ଘରଦୁଆରେ ପୁଷ୍ଟି ’ ଆଦି ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହିତ ଗୋ – ସୁଗମ ପୋର୍ଟାଲର କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ ବଜେଟ ବ୍ୟୟବରାଦ ଅର୍ଥକୁ ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥୁ ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ।

ବୈଠକରେ ବାରି ଅଗଣା କୁକୁଡ଼ା ଚାଷ ସମେତ ବିଭିନ୍ନ ଅଣ୍ଡାଦିଆ ଏବଂ ବ୍ରଏଲର କୁକୁଡ଼ା ଚାଷ , ମତ୍ସ୍ୟ ପୋଖରୀ ଯୋଜନା ଓ ବ୍ଲାୟୋଫ୍ଲକ୍ ପଦ୍ଧତିରେ ମାଛଚାଷ ସଂପର୍କରେ ସମୀକ୍ଷା କରିଥିଲେ ।

ବୈଠକରେ ଝାରସୁଗୁଡ଼ା ଜିଲ୍ଲାର ସିଡିଭିଓ ଡ . ପବିତ୍ର କୁମାର ପରିଜା , ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ମନୋରଞ୍ଜନ ନନ୍ଦ , ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ଦାଶ , ଜିଲ୍ଲା ମତ୍ସ୍ୟ ଅଧିକାରୀ କୃତିଲ ଚନ୍ଦ୍ର ଦାସ , କୃଷି ବିଭାଗର ସ୍କିମ୍ ଅଫିସର ଡି.ଏସ୍ . ବରିହା , ଆପିକଲର ଡିଷ୍ଟ୍ରିକ୍ଟ ମ୍ୟାନେଜର ଗିରିଶଙ୍କର ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.