ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ବର: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ବରରେ ପହଁଚିଥିଲେ ।

ଦିବା ୧୧ଟା ୪୧ ମିନିଟ୍ ସମୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପରେ ରାଜ ଭବନଠାରେ ମଧ୍ୟାହ୍ନ ଭୋଜନ କରିଥିଲେ ।

ପରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରୀ , ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଅଧ୍ୟାପିକା ବିଣାପାଣି ମହାନ୍ତି ଓ ଶକୁନ୍ତଳା ବଳିୟାର ସିଂଙ୍କର ନାମ ନେଇ ସେତେବେଳର ଅଧ୍ୟାପକ ଓ ଅଧ୍ୟାପିକାଙ୍କର ଶିକ୍ଷାଦାନ ପଦ୍ଧତି ସେମାନଙ୍କୁ ଅନୁପ୍ରାଣିତ କରୁଥିଲା ବୋଲି କହିଥିଲେ । ରାଷ୍ଟ୍ରପତି ଭାରତର ବହୁ ମହିୟସୀ ମହିଳାମାନଙ୍କର ଉଦାହରଣ ଦେଇ କହିଲେ ଯେ , ସାହିତ୍ୟ , ସଂସ୍କୃତି , ନୃତ୍ୟ , କଳା , ମହାକାଶ ବିଜ୍ଞାନ , ରାଜନୀତି , ଶାସନ ବ୍ୟବସ୍ଥା ଆଦି ପ୍ରତ୍ୟେକ କ୍ଷେତ୍ରରେ ନାରୀମାନ ନିଜକୁ ପ୍ରତିଷ୍ଠିତ କରି ନିଜ ନିଜର ଶ୍ରେଷ୍ଠତ୍ଵ ପ୍ରତିପ୍ରାଦନ କରିଛନ୍ତି । ଏହି ଅବସରରେ ସେ କସ୍ତୁରବା ଗାନ୍ଧୀ , ମା ସରଳା ଦେବୀଙ୍କ ଠାରୁ ଆରମ୍ଭ କରି ପ୍ରତିଭା ରାୟ , ୟାମିନୀ କୃଷ୍ଣମୂର୍ତ୍ତୀ , କଳ୍ପନା ଚାଓଲା , କଳ୍ପନା ଦାସ , ସୋନାଲ ମାନସିଂହ ପର୍ଯ୍ୟନ୍ତ ଉଲ୍ଲେଖୀନୀୟ ସଫଳତା ତଥା ଦେଶପାଇଁ ଯୋଗଦାନ ରହିଥିବା ବହୁ ପ୍ରେରଣାଦାୟୀ ନାରୀମାନଙ୍କର ଉଦାହରଣ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ , ନାରୀ ସଶକ୍ତିକରଣ ଆଜି କେବଳ ସ୍ଲୋଗାନ ହୋଇ ରହିନାହିଁ , ବରଂ ବହୁ କ୍ଷେତ୍ରରେ ତାହା ବାସ୍ତବ ରୂପ ନେଇଛି । ରାଜନୀତିରେ ମହିଳା ମାନଙ୍କର ପ୍ରତିନିଧି କ୍ରମାଗତ ବଢି ଚାଲିଛି ଏବଂ ୧୦୦ରୁ ଅଧିକ ମହିଳା ବର୍ତ୍ତମାନ ସଂସଦରେ ପ୍ରତିନିଧି କରୁଛନ୍ତି ।

୨୦୪୭ ସୁଦ୍ଧା ଭାରତକୁ ବୈଭବଶାଳୀ ରାଷ୍ଟ୍ରରୂପେ ଗଢିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସଂପ୍ରତି ବୈଷୟକ ଜ୍ଞାନ କୌଶଳ ଦ୍ରୁତ ପରିବର୍ତ୍ତନର ବାହକ ହୋଇଥିବା ବେଳେ ସଦ୍ୟତମ ଟେକ୍ନୋନୋଲୋଜିର ସହାୟତାରେ ବିକାଶ କ୍ଷେତ୍ରରେ ଅଗ୍ରସର ହେବା ସହ ଜ୍ଞାନ ବିଜ୍ଞାନରେ ସମସ୍ତଙ୍କୁ ଦକ୍ଷ ହେବାକୁ ପଡିବ ବୋଲି ମାନ୍ୟବର ରାଷ୍ଟ୍ରପତି ପ୍ରକାଶ କରିଥିଲେ । ଏହା ସହିତ ପ୍ରକୃତ ପ୍ରଗତି ପାଇଁ ମାନବୀୟ ମୂଲ୍ୟବୋଧକୁ ଜୀବନଧାରାର ଅଙ୍ଗ କରିବା ତଥା ପ୍ରତ୍ୟହ ଯୋଗାଭ୍ୟାସ ଉପରେ ସେ ଗୁରୁତ୍ବ ଦେଇଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କହିଲେ ଯେ , ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିକ୍ଷା ନୀତି ଆମ ଦେଶରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ । ଭାରତର ଆଧ୍ୟାତ୍ମିକତା ବିଶ୍ବନିୟନ୍ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ବୋଲି କହିବା ସହିତ ଏହାର ମହକ , ସୁଗନ୍ଧ ଓ ସଂଗୀତ ବିଶ୍ବ ଭାତୃତ୍ଵ ପ୍ରତିଷ୍ଠାରେ ସହାୟକ ହୋଇପାରିଛି ବୋଲି ମାନ୍ୟବର ରାଜ୍ୟପାଳ ପ୍ରକାଶ କରିଥିଲେ । ଏ କ୍ଷେତ୍ରରେ ସମଗ୍ର ବିଶ୍ବରେ ଓଡିଶା ମାଟି ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛି ବୋଲି ରାଜ୍ୟପାଳ କହିଥିଲେ ।
କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ଓଡିଆ ଅସ୍ମିତାର ପ୍ରତୀକ କୁଳବୃଦ୍ଧ ମଧୁସୁଦନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମା ‘ ରମାଦେବୀ ଓଡିଆ ଜନଜୀବନକୁ ବିଶେଷ କରି ପ୍ରଭାବିତ କରିଥିଲେ । ରମାଦେବୀ ଘର ଭିତରେ ସୀମିତ ନରହି ତତକାଳୀନ ରକ୍ଷଣଶୀଳ ସମାଜରେ ଚଉକାଠ ଡେଇଁ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସବୁକ୍ଷେତ୍ରରେ ମହିଳାମାନେ ନେତୃତ୍ବ ନେବା ପାଇଁ ଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତାର ବିକାଶ ନିମନ୍ତେ ମହିଳା ଲିଡରସିପ୍ ପାଠ୍ୟକ୍ରମ ଉପରେ ସେ ଗୁରୁତ୍ଵ ଦେଇଥିଲେ ।

ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ , କହିଲେ ଯେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ସହିତ କ୍ରୀଡାକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ୧୦୦୦ ଆସନ ବିଶିଷ୍ଟ ବିଶ୍ବବିଦ୍ୟାଳୟର ପ୍ରେକ୍ଷାଳୟକୁ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ବଳରେ ଭୁବନେଶ୍ବର କ୍ରୀଡା ସଙ୍ଗେ ସଙ୍ଗେ ଏଜୁକେସନ ହବ୍ ହୋଇପାରିଛି ବୋଲି କହିଥିଲେ । ବିଶ୍ବବିଦ୍ୟାଳୟର ଉନ୍ନତି ପ୍ରତି ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି ବୋଲି କହିଥିଲେ । ଛାତ୍ରୀମାନେ ସେମାନଙ୍କର ଗବେଷଣାତ୍ମକ ଜ୍ଞାନ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ , ସାଧାରଣ ଉଦ୍ୟୋଗ , ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ ।

ସମାବର୍ତ୍ତନ ଉତ୍ସବରେ ବିଜ୍ଞାନ ଓ କାରିଗରୀ କୌଶଳ କ୍ଷେତ୍ରରେ ଗବେଷଣା ଓ ବିଶେଷ ଅବଦାନ ପାଇଁ ଡ . ସୌମ୍ୟ ସ୍ୱାମୀନାଥନଙ୍କୁ ଡି.ଏସ.ସି ( ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ) ଡିଗ୍ରୀରେ ଭୂଷିତ କରାଯାଇଥିବା ବେଳେ ପୂର୍ଣ୍ଣମାସୀ ଜାନୀଙ୍କୁ ସୃଜନାତ୍ମକ ସାହିତ୍ୟ ଓ ସମାଜସେବା ପାଇଁ ଡି.ଲିଟ . , ସୁନୀତା କ୍ରିଷ୍ଣନଙ୍କୁ ସମାଜସେବା ଏବଂ ନାରୀ ସଶକ୍ତିକରଣ ପାଇଁ ଡି.ଲିଟ ଏବଂ ଡ . ଅରୁଣା ମହାନ୍ତିଙ୍କୁ ଶାସ୍ତ୍ରୀୟ ନୃତ୍ୟ , କଳା ଓ ସଂସ୍କୃତି ପାଇଁ ଡି.ଲିଟ ଉପାର୍‌ରେ ଭୂଷିତ କରାଯାଇଥିଲା ।

ସେହିପରି ୨ଜଣଙ୍କୁ ପି.ଏଚ.ଡି. ଡିଗ୍ରୀ , ୧୭ଜଣଙ୍କୁ ଏମ.ଫିଲ୍ ଡିଗ୍ରୀ ପ୍ରଦାନ ସହ ୨୨ ଟି ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ପ୍ରାପ୍ତ ଛାତ୍ରୀମାନଙ୍କୁ ରାଷ୍ଟ୍ରପତି ଓ ରାଜ୍ୟପାଳ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ । ସର୍ବୋଚ୍ଚ ନମ୍ବର ପ୍ରାପ୍ତ ସ୍ବୟଂ ପ୍ରଭା ବେହେରା ( ଅର୍ଥନୀତି ) , ଋତୁପର୍ଣ୍ଣା ନାୟକ ( ଶିକ୍ଷା ) , ବିଦିଶା ଷଡଙ୍ଗୀ ( ଇଂରାଜୀ ) , ଅର୍ଜନା ରଥ ( ସଂସ୍କୃତ ) , ନମିତା ରାଣୀ ବେହେରା ( ଗୃହ ବିଜ୍ଞାନ ) , ଜ୍ୟୋତି ସାହୁ ( ଓଡିଆ ) , ଶୁଭଶ୍ରୀ ବିଶ୍ବାଳ ( ରାଜନୀତି ବିଜ୍ଞାନ ) , ଅରୂପା ପାଣିଗ୍ରାହୀ ( ଜେଣ୍ଡର ଷ୍ଟଡିଜ୍ ) , କବିତା ସିଂହ ( ବାୟୋଟେକ୍ନୋଲୋଜି ) , ସୌଦାମିନି ସାହୁ ( କମ୍ପ୍ୟୁଟର ସାଇନ୍ସ ) , ବିଶ୍ବାସିନୀ ପ୍ରିୟଦର୍ଶିନୀ ( ଜୀବନ ବିଜ୍ଞାନ ) , ପ୍ରତୀକ୍ଷା ପରିଜା ( ଇଣ୍ଡଷ୍ଟ୍ରିଆଲ ବାୟୋ ଟେକ୍ନୋଲୋଜି ) , ଦେବଜାନୀ ମହାପାତ୍ର ( ସାମ୍ବାଦିକତା ଓ ଗଣଯୋଗାଯୋଗ , ସ୍ନେହମୟୀ ଦାସ ( ବାଣିଜ୍ୟ ) , ମୁନା କୁଇନଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ ସ୍ନାତକ ଭାବେ କୁରୁସୁଧା ଅନୀତା ( ବିଏସସି ) , ଜି.ଇପସିତା ( ବିକମ ) , ଅସ୍ମିତା ବେଉରା ( ହୋମ୍ ସାଇନ୍ସ ) କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଆହୁରି ମଧ୍ୟ ବିଶ୍ବବିଦ୍ୟାଳୟ ତରଫରୁ ୭୪୭ ଜଣଙ୍କୁ ସ୍ନାତକୋତ୍ତର ଡିଗ୍ରୀ , ୯୨ ଜଣଙ୍କୁ ବିଏଡ୍ ଡିଗ୍ରୀ ଏବଂ ୬ , ୫୭୨ ଜଣଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଯିବା ନେଇ ଘୋଷଣା କରାଯାଇଛି ।

ଏହି ଅବସରରେ ବିଶ୍ବବିଦ୍ୟାଳୟ ତରଫରୁ ସମାଜ ବିଜ୍ଞାନ ପତ୍ରିକା , ମା ରମାଦେବୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ , ସମାବର୍ତ୍ତନ ସ୍ମରଣିକା ଉନ୍ମୋଚିତ ହୋଇଥିଲା । | ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଭବ୍ୟ ସ୍ବାଗତ ଜ୍ଞାପନ କରାଯାଇଥିଲା । ପ୍ରାରମ୍ଭରେ ବିଶ୍ବ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ସେ ଉପସ୍ଥିତ ଥିବା ପୁରାତନ ସହପାଠିନୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଫଟୋ ଉଠାଇଥିଲେ । କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଶ୍ବ ବିଦ୍ୟାଳୟର କୁଳ ସଚିବ ଶ୍ୟାମଳୀ ମହାପାତ୍ରଙ୍କ ସମେତ ସମସ୍ତ ପ୍ରାଧ୍ୟାପକ , ପାଧ୍ୟାପିକା ଓ ଛାତ୍ରୀମାନଙ୍କ ସହଯୋଗରେ ଏହି ସମାବର୍ତ୍ତନ ଉତ୍ସବ ସମାହିତ ହୋଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ଏବଂ ଏକାଡେମିକ କାଉନସିଲର ସଦସ୍ୟ , ସଦସ୍ୟା , ଅନ୍ୟାନ୍ୟ ବିଶ୍ବ ବିଦ୍ୟାଳୟରୁ କୁଳପତି ଏବଂ ଶିକ୍ଷାବିତ୍ , ସାହିତ୍ୟିକ , ପ୍ରଶାସନିକ ଅଧିକାରୀ , ଛାତ୍ରୀ , ପୁରାତନ ଛାତ୍ରୀ , ଅଭିଭାବକ , ବିଶ୍ବବିଦ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ ।

Comments are closed.