ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟରେ ଅଗନା ଅଗନି ବନସ୍ତର ଭୟଶଙ୍କୁଳ ଦେଓନଦୀ ଗର୍ଭରେ ଅବସ୍ଥିତ ମହାନ ଆଦି ଶକ୍ତିପୀଠ ଦେବୀକୁଣ୍ଡ । ଏଠାରେ ମା ଅମ୍ବିକାଙ୍କ ଯୋନିମଣ୍ଡଳ କାହିଁ କେଉଁ କାଳରୁ ତନ୍ତ୍ରମନ୍ତ୍ରରେ ପୂଜାପାଇ ଆସୁଛି। ଦକ୍ଷିଣ ଓ ଉତ୍ତର ପାର୍ଶ୍ଵରେ ବୁଢା ଓ ବୁଢୀ ନାମକ ଦୁଇଟି ସୁଉଚ୍ଚ ଗିରିଶୃଙ୍ଗର ପାଦ ଦେଶରେ ପ୍ରବାହିତ ନଦୀ ଗର୍ଭରେ ହରିଦ୍ରାକୁଣ୍ଡ, ତୈଳକୁଣ୍ଡ, ଭୁଦାନକୁଣ୍ଡ, ଦେବୀକୁଣ୍ଡ ଓ ଦେବକୁଣ୍ଡ ନାମରେ କ୍ରମାନ୍ୱୟେ ୫ଟି ପୃଥକ ପୃଥକ କୁଣ୍ଡ ରହିଛି ।
ଦେବୀ ଅମ୍ବିକା ଏହି ସ୍ଥାନରେ ଆବିର୍ଭାବ ହେବା ସମ୍ବନ୍ଧରେ ପୌରାଣିକ ପ୍ରମାଣ ମଧ୍ୟ ରହିଛି । ସତ୍ୟଯୁଗରେ ସ୍ୱର୍ଗର ରାଜା ଦକ୍ଷପ୍ରଜାପତି ଆୟୋଜନ କରିଥିବା ଧର୍ମଯଜ୍ଞକୁ ନିଜ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କରିନଥିବାରୁ ବର୍ଷଙ୍କ କନ୍ୟା ସତୀ (ମା ପାର୍ବତୀ) ଯଜ୍ଞ ସ୍ଥଳରେ ନିଜ ସ୍ବାମୀଙ୍କ ଅପମାନ ସହି ନପାରି ଯଜ୍ଞକୁଣ୍ଡରେ ଝାସ ଦେବାପରେ ମା ପାର୍ବତୀଙ୍କ ଉର୍ଦ୍ଧ୍ବ ଶରୀରକୁ କାନ୍ଧରେ ପକାଇ ଶିବ ଯୋଗାଧିଷ୍ଠ ହୋଇ ବସିରହିଲେ । ନାରାୟଣ ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ ୫୧ ଖଣ୍ଡ କରି ବାୟୁ ଦ୍ୱାରା ପ୍ରତିଖଣ୍ଡକୁ ବିଭିନ୍ନ ସ୍ଥାନକୁ ନେଇ ନିକ୍ଷେପ କଲେ । ତା’ ମଧ୍ୟରୁ ସର୍ବପ୍ରଥମେ ମା’ଙ୍କର ମୁଖଶ୍ରୀ ଆସି ପଡିଲା ଶ୍ରୀକ୍ଷେତ୍ର ଧାମରେ । ସେଠାରେ ପୂଜିତା ଆଦିଶକ୍ତିଙ୍କ ନାମ ବିମଳା ଦେବୀ । ସେହିପରି ଦେବୀଙ୍କ ବାମପଦର ଅଙ୍ଗୁଳି ବିରାଟ ରାଜ୍ୟର ଏହି ଘନ ଅରଣ୍ୟ ଭିତରେ ପଡି ଏଠାରେ ଦେବୀକୁଣ୍ଡ ନାମରେ ଖ୍ୟାତ ହେଲା ।ମା ଅମ୍ବିକା ସାକ୍ଷାତ ସ୍ୱରପରେ ପୂଜା ପାଇଲେ। ଏହାର ପ୍ରମାଣ ଶ୍ରୀ ବିଦ୍ୟାରତ୍ନରେ ଲେଖା ଅଛି-
‘ବିରାଟ ଦେଶ ମଧ୍ୟେ ତୁ ବାମ ପାଦାଙ୍ଗୁଳି ନିପାତିନଂ
ଭୈରବ ଅମୃତକ୍ଷଶ୍ଚ ଦେବୀ ତତ୍ରାଃ ଅମ୍ବିକା ପ୍ଲୁତା।’
ପ୍ରତ୍ୟେକ ମାସରେ ଉକ୍ତ ଦେବୀକୁଣ୍ଡ ଜଳ ଉପରେ ଏକ ରକ୍ତ ପେଣ୍ଡୁ ଭାସିବାର ଦେଖାଯାଏ ଏବଂ ଏହାର ପାଣି ଲାଲ ଦେଖାଯାଏ। ଏଣୁ ଅମ୍ବିକା ମାତା ଏ ପର୍ଯ୍ୟନ୍ତ ମାସିକ ରଜସ୍ୱଳା ହେଉଥିବାର ଲୋକବିଶ୍ୱାସ ରହିଛି।ସେହିପରି ଏଠାରେ ରହିଥିବା ୫ଟି କୁଣ୍ଡ ମଧ୍ୟରୁ ହରିଦ୍ରା କୁଣ୍ଡର ଅଧୀଶ୍ଵରୀ ଗୌରୀ ଦେବୀ, ତୈଳ କୁଣ୍ଡର ଅଧୀଶ୍ଵରୀ ବାରାହୀ ଦେବୀ, ଭୁଦାରକୁଣ୍ଡର ଅଧୀଶ୍ଵରୀ ମା ପାର୍ବତୀ ଶୈଳଜା ଦେବୀ, ଦେବୀ କୁଣ୍ଡର ଅଧୀଶ୍ଵରୀ ମା ଅମ୍ବିକା ଓ ଦେବକୁଣ୍ଡର ଅଧୀଶ୍ଵର ଶ୍ରୀ ଶ୍ରୀ ଭୈରବ ଅମୃତାକ୍ଷ ଅଟନ୍ତି। ଏହି କୁଣ୍ଡର ଉତ୍ତରରେ ‘ଭୀମଜଗତି’ ଅବସ୍ଥିତ। ସିଂହାସନ ଅନୁରୂପ ଏକ ବିରାଟ ପ୍ରସ୍ତର ରହିଛି । ଲୋକକଥା ଅନୁଯାୟୀ ଦ୍ବାପର ଯୁଗରେ ପଞ୍ଚପାଣ୍ଡବ ଅଜ୍ଞାତବାସରେ ଆସି ଏହି ବିରାଟ ରାଜ୍ୟରେ ଥିଲେ ଏବଂ ଏହି ଜଗତିରେ ମହାମଲ୍ଲ ଭୀମ ବସୁଥିଲେ । ପ୍ରାୟ ୩୦ ଫୁଟ ଛାଡି ଏକ ବୃହତ ଶାଳାଖଣ୍ଡର ନିମ୍ନ ଦେଶରେ ଅଛନ୍ତି ମା’ ବିରାଟେଶ୍ୱରୀ ବୀରାଟପାଟ । ଦକ୍ଷିଣରେ ଦେବୀ ବଗଳାମୁଖୀଙ୍କ ଆସ୍ଥାନ । ପୂର୍ବପଟରେ ଧୃତରୁଦ୍ର ମହାଦେବଙ୍କ ପୀଠ । ପ୍ରସ୍ତର ଚଟାଣ ଉପରେ ୧୦୮ ଶିବଲିଙ୍ଗ ସହ ଶକ୍ତି ସ୍ୱରୂପିଣୀ ଯୋନି ସଂକେତ ମାନ ରହିଛି।
ଦେବୀ ଅମ୍ବିକାଙ୍କ ପୀଠସ୍ଥଳୀ ସମ୍ମୁଖରେ ବଟକଭୈରବ ଓ ଗଣେଶ ପୂଜା ପାଇଥାନ୍ତି । ମା’ ଗୌରୀ ଦେବୀଙ୍କ ଆସ୍ଥାନ ପୀଠ ସମ୍ମୁଖରେ ରହିଅଛି । ପୂଜା ସମୟରେ ଗୌରୀଦେବୀଙ୍କ ନୀତିରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ପ୍ରତିବର୍ଷ ବାସନ୍ତୀକ ପୂଜା ସମୟରେ ଷୋଡଶ ଉପଚାରରେ ପୂଜା ଦିଆଯାଏ । ଏହି ପୂଜାରେ ୧୦୮ ବଉଳ ନଚେତ ପଦ୍ମପୁଲ ମା’ଙ୍କୁ ଅର୍ପଣ କରାଯାଇଥାଏ । ମା’ଙ୍କୁ ହଳଦିଆ ବସ୍ତ୍ର ପରିଧାନ ପାଇଁ ଦିଆଯାଏ । ସେହିପରି ଏହି ଅମ୍ବିକା ପୀଠରେ ଶାରଦୀୟ ଦୁର୍ଗା ପୂଜା ନବଦିନାତ୍ମକ ଭାବରେ ପାଳନ କରାଯାଏ । ତେବେ ମୁଖ୍ୟତଃ ଚାମୁଣ୍ଡା ବା ତନ୍ତ୍ରମନ୍ତ୍ରରେ ଏହି ପୀଠରେ ମହା ସପ୍ତମୀ, ମହା ଅଷ୍ଟମୀ, ମହା ନବମୀ ଓ ବିଜୟା ଦଶମୀ ପାଳନ କରାଯାଇଥାଏ । ମକର ସଂକ୍ରାନ୍ତି ସମୟରେ ଏହି ପୀଠରେ ବେଶ ଭିଡ଼ ଜମିଥାଏ । ଏଠାରେ ବ୍ରାହ୍ମଣ ଓ ଦେହୁରୀ ଉଭୟ ପୂଜା କରିଥାନ୍ତି । ପୂର୍ବେ ରାସ୍ତାଘାଟର ସୁବିଧା ନଥିବା ହେତୁ ଦୁଗଧା ନାମକ ଗ୍ରାମରୁ ସବାରିବାଲା ବ୍ରାହ୍ମଣମାନଙ୍କୁ ଚଉଡୋଲାରେ ବୋହି ନେଇ ଦେବୀଙ୍କ ପୂଜାକର୍ମ କରୁଥିଲେ । ଅନେକଙ୍କ ମତରେ ରକ୍ତ ଷୋଡଶ ପୂଜାରେ ପୂର୍ବେ ମହିଷା ବଳି ମଧ୍ୟ ଦିଆଯାଉଥିଲା । ପର ପର୍ଯ୍ୟାୟରେ ବଳିପ୍ରଥା ବନ୍ଦ ହୋଇ ଯାଇଛି।
ତେବେ ଏହି ପୀଠ ଘଞ୍ଚ ଅରଣ୍ୟ ଭିତରେ ଥିବାରୁ ଲୋକଲୋଚନକୁ ଆସିପାରି ନଥିଲା । କିନ୍ତୁ ପରମ ତନ୍ତ୍ର ସାଧକ ମୟୂରଭଞ୍ଜ ରାଜବଂଶୀୟ ଲାଲସାହେବ ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜଦେଓ ଦେବୀ ଅମ୍ବିକାଙ୍କର କୃପା ଦର୍ଶନ ପରେ ସ୍ୱପ୍ନାଦେଶ ପାଇ ଏହି ସ୍ଥାନରେ ସାଧନା କରି ୧୯୫୪ ମସିହାରେ ଏହି ଗୁପ୍ତ ପୀଠକୁ ଲୋକଲୋଚନକୁ ଆଣିଥିଲେ। ଧୀରେ ଧୀରେ ଏହା ଏକ ସାର୍ବଜନୀନ ତୀର୍ଥ କ୍ଷେତ୍ରର ମାନ୍ୟତା ଲାଭ କରିଛି ।
Comments are closed.