ଚାଉଳ ବନ୍ଦ କରାଯିବା ପ୍ରସଙ୍ଗରେ ବିଜେଡିର ଯୁଦ୍ଧ ଡାକରା, କାଲିଠାରୁ କେନ୍ଦ୍ର ବିରୋଧରେ ପ୍ରତିବାଦ

ଭୁବନେଶ୍ୱର -ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ କେନ୍ଦ୍ର ବନ୍ଦ କରିବା ପ୍ରତିବାଦରେ କାଲିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି । କାଲିଠାରୁ ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି । ପ୍ରେସମିଟ୍ କରି ଶାସକ ଦଳ ଏହି ଘୋଷଣା କରିଛି । ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ । ୧୫ରେ ଚାଷୀ, କର୍ମୀଙ୍କୁ ନେଇ ପଞ୍ଚାୟତ ଅଫିସ ଆଗରେ ଆନ୍ଦୋଳନ କରାଯିବ । ଆସନ୍ତା ୧୬ରେ ବ୍ଲକ ହେଡକ୍ୱାର୍ଟର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ।

କୋଭିଡ କାରଣରୁ ଗରିବ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏଭଳି ସ୍ଥିତିରେ ଚାଉଳ କାଟିବା କାରଣରୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ କ୍ଷତିଗ୍ରସ୍ତ ହେବେ ବୋଲି ବିଜେଡି କହିଛି ।

ବିଜେଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଧାନ କିଣା କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ବଜେଟରେ କମ କରାଯାଇଛି । ଉଷୁନା ଚାଉଳ ୧୮ ଲକ୍ଷ ମେଟ୍ରିକ ଟନ ଉଠୁଥିବା ବେଳେ ବର୍ତ୍ତମାନ ତାହା ୪ ଲକ୍ଷକୁ ହ୍ରାସ କରାଯାଇଛି । କେବଳ ବରଗଡ଼ ଜିଲ୍ଲାରେ ୪ ଲକ୍ଷ ଟନ ଉଷୁନା ଚାଉଳ ଆସୁଛି ।ଏଭଳି ସ୍ଥଳେ ଆଉ ୨୯ ଜିଲ୍ଲା କ’ଣ କରିବେ ବୋଲି ଦଳ ପ୍ରଶ୍ନ କରିଛି । ଏଭଳି ନିଷ୍ପତ୍ତି ଦ୍ୱାରା ଧାନ କିଣା ବାଧାପ୍ରାପ୍ତ ହେବ ଓ ପଶ୍ଚିମ ଓଡ଼ିଶାର ଚାଷୀ ବହୁଳ ମାତ୍ରାରେ ପ୍ରଭାବିତ ହେବେ । ଏହାଦ୍ୱାରା ଧାନ ସଂଗ୍ରହ ବାଧାପ୍ରାପ୍ତ ହେବ । ଏପରିକି ୧୪ ହଜାର କୋଟି ଟଙ୍କା ବକେୟା ରହିଥିବା ବେଳେ କେନ୍ଦ୍ର ତାହା ଦେଉନି ବୋଲି କହିଛି ବିଜେଡି ।

Comments are closed.