ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍: ଆସନ୍ତା ମାସରୁ ବିମାନ ଉଡ଼ାଣ ଆଶା

ବ୍ରହ୍ମପୁର: ଶେଷରେ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ଆସନ୍ତା ମାସରୁ ନନ୍-ସିଡ୍ୟୁଲ୍ ତଥା ବି-୨ ଟାଇପ୍ ବିମାନ ଉଡ଼ାଣ ଆରମ୍ଭ ହେବା ନେଇ ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି। ଏହି ଏୟାରଷ୍ଟ୍ରିପ୍‌କୁ ନନ୍-ସିଡ୍ୟୁଲ୍ ମାନ୍ୟତା ପ୍ରଦାନ ସହ କ୍ଷୁଦ୍ର ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଡ଼ କରିବାରେ ଲାଗିଛି ରାସ୍ତା ଏବଂ କୋଠାବାଡ଼ି ଡିଭିଜନ୍‌-୨ (ଗଞ୍ଜାମ)। ବିମାନ ଚଳାଚଳକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପୋର୍ଟେବଲ୍‌ କ୍ୟାବିନ୍‌ ଉପଲବ୍ଧ କରିବାକୁ ପ୍ରୟାସ ଚାଲିଛି। ଇଣ୍ଡିଆ ୱାନ୍ ଏୟାର କମ୍ପାନୀ ଜରିଆରେ ଆରମ୍ଭ ହେବ ବିମାନ ଚଳାଚଳ।

ବର୍ତ୍ତମାନ ବିମାନ ଚଳାଚଳ ଆରମ୍ଭ ହେବା ସହ ସମାନ୍ତରାଳ ଭାବେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିବ। ସମ୍ପ୍ରତି ୯୭୫ ମିଟର ଲମ୍ବା, ୧୫୦ ମିଟର ଓସାର ଏହି ଏୟାରଷ୍ଟ୍ରିପ୍‌କୁ ବିଶ୍ବବିଦ୍ୟାଳୟ ଠାରୁ ମିଳିଥିବା ଅତିରିକ୍ତ ୧୫ ଏକର ଜମି ବିନିଯୋଗରେ ସମ୍ପ୍ରସାରିତ କରାଯିବ। ୭୫୦ ମିଟର ରନୱେକୁ ଅଧିକ ଲମ୍ବା କରାଯିବ। ସେଥିପାଇଁ ବିଶ୍ବବିଦ୍ୟାଳୟ ଠାରୁ ଉଚ୍ଚଶିକ୍ଷା ବିଭାଗ ଜରିଆରେ ପୂର୍ତ୍ତ ବିଭାଗକୁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରପକ୍ଷରେ ଆସନ୍ତା ମାସରୁ କ୍ଷୁଦ୍ର ବିମାନ ଚଳାଚଳ ପାଇଁ ଏହି ବିମାନ ପଡ଼ିଆକୁ ନନ୍-ସିଡ୍ୟୁଲ୍ ଏୟାରଷ୍ଟ୍ରିପ୍ ଭାବେ ରୂପାନ୍ତରିତ କରାଯାଉଛି। ବିମାନ ଚଳାଚଳ ପାଇଁ ପାର୍ଶ୍ଵ ପରିବେଶକୁ ଉପଯୁକ୍ତ କରିବା ଦୃଷ୍ଟିରୁ ଏୟାରଷ୍ଟ୍ରିପ୍ ଚତୁଃପାର୍ଶ୍ଵ ସଫେଇ କାର୍ଯ୍ୟ ଆଗେଇ ଚାଲିଛି। ବିମାନ ଉଡ଼ାଣ ଓ ଅବତରଣ ସୁବିଧା ଦୃଷ୍ଟିରୁ ଏୟାରଷ୍ଟ୍ରିପ୍ ପରିସର ଓ ପାଚେରୀ ନିକଟସ୍ଥ ଅନାବନା ଲଟାବୁଦା, ଗଛ ସଫେଇ କାମ କରାଯାଉଛି। ଯଥା ଶୀଘ୍ର ଏହି କାମ ସରିବା ପରେ ପୋର୍ଟେବଲ୍‌ କ୍ୟାବିନ୍ ପ୍ରସ୍ତୁତ କରାଯିବ। ତା ପରେ ମାର୍ଚ୍ଚ ମାସରେ ଯେକୌଣସି ସମୟରେ କ୍ଷୁଦ୍ର ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ୬ରୁ ୧୨ଟିକିଆ ଆସନ ବିଶିଷ୍ଟ ବିମାନ ଉଡ଼ାଣ ଭରିବ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା ମୁତାବକ ଗତ ଶୁକ୍ରବାର ଇଣ୍ଡିଆ ୱାନ୍ ଏୟାର କମ୍ପାନୀର ଏକ ବୈଷୟିକ ପ୍ରତିନିଧି ଦଳ ଏୟାରଷ୍ଟ୍ରିପ୍ ସ୍ଥିତି ତଦାରଖ କରିଛନ୍ତି। ରନୱେ କିପରି ରହିବ ଏବଂ ଛୋଟ ବିମାନ ଉଡ଼ାଣ ପାଇଁ ଆଉ କ’ଣ ଭିତ୍ତିଭୂମି ଆବଶ୍ୟକ ତାହା ଅନୁଧ୍ୟାନ କରାଯାଇଛି। ସେମାନେ ରିପୋର୍ଟ ଦେବା ପରେ ବିମାନ ଚଳାଚଳ ଶୀଘ୍ର ଆରମ୍ଭ କରିବା ନେଇ ପଦକ୍ଷେପ ନିଆଯିବ। ଗୋଟିଏ ପଟେ ଫେବ୍ରୁଆରୀ ଶେଷ ସୁଦ୍ଧା ପୋର୍ଟେବୁଲ କ୍ୟାବିନ୍ ପ୍ରସ୍ତୁତ କରାଯିବ ତ ଆରପଟେ ନନ୍‌ସିଡ୍ୟୁଲ୍ ଏୟାରଷ୍ଟ୍ରିପ୍‌ ସ୍ଥାୟୀ କାର୍ଯ୍ୟାଳୟ କୋଠା କାମ ଡିସେମ୍ବର ସୁଦ୍ଧା ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.