କେନ୍ଦ୍ରର ଚାଷୀ ମାରଣା ନୀତିକୁ ବିରୋଧ, ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟରେ ବିଜେଡିର ଧାରଣା

ବରଗଡ଼: ରାଜ୍ୟର ବିଭିନ୍ନ ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା କରାଯାଉଛି । କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତିକୁ ବିରୋଧ କରି ଏହି ଧାରଣା ଦିଆଯାଇଛି । ଏହିକ୍ରମରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଏଥିରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ କେନ୍ଦ୍ର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ୧୦ କେଜି ଚାଉଳ ବଦଳରେ ୫ କେଜି ଚାଉଳ ଦେବାର ଯୋଜନା ବିରୁଦ୍ଧରେ ଦଳୀୟ କର୍ମୀ ଓ ନେତା, ଚାଷୀ ସାମିଲ ହୋଇ ବିଭିନ୍ନ ନାରା ଦେଇ ଏକ ବିଶାଳ ରାଲିରେ ବାହାରି ଏନ.ଏ.ସି ଘେରାଉ କରିଥିଲେ । ସେଠାରେ ଇଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଓ ବ୍ଲକ ଘେରାଉ କରିବା ସହ ପ୍ରତିବାଦ ସଭା କରିଥିଲେ । ବ୍ଳକରେ ବିଡ଼ିଓ ପ୍ରସନ୍ନ କୁମାର ପାଣ୍ଡେଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ସେହିପରି ସୋହେଲା, ଭଟଲି, ଅମ୍ବାଭୋନା ବ୍ଲକରେ ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂଙ୍କ ତତ୍ୱାବଧାନରେ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା ଓ ଧାରଣା ଦିଆଯିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Comments are closed.