ପରମ୍ପରା ଅନୁଯାୟୀ ଗତକାଲି ପୁରୀର ଶ୍ରୀଲୋକନାଥ ମନ୍ଦିରରେ ପାଳିତ ହୋଇଯାଇଛି ପବିତ୍ର ପଙ୍କୋଦ୍ଧାର ଏକାଦଶୀ

ପୁରୀର ଶ୍ରୀଲୋକନାଥ ମନ୍ଦିର ରେ ପାଳିତ ହୋଇଯାଇଛି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଜାଗର ଆଉ ଦୁଇ ଦିନ ରହିଥିବା ବେଳେ ଗତକାଲି ଥିଲା ଏକାଦଶୀ। ସ୍ଥାନୀୟ ମତରେ ପଙ୍କୋଦ୍ଧାର ଏକାଦଶୀ ବୋଲି ଜଣାଯାଏ।

ପଙ୍କୋଦ୍ଧାର ଏକାଦଶୀ ଏକ ଏମିତି ଦିନ,ଏହିଦିନ ବାବା ଶ୍ରୀଲୋକନାଥଙ୍କର ପ୍ରତ୍ୟକ୍ଷ ଦର୍ଶନ ମିଳି ଥାଏ। ବର୍ଷସାରା ବାବା ଙ୍କ ଶ୍ରୀଲିଙ୍ଗ ଜଳରେ ବୁଡି ରୁହନ୍ତି। ଏହି ଦିବ୍ୟ ଲିଙ୍ଗ ରୁ ଆପେ ଆପେ ଜଳ ଝରେ। ଆଉ ସେହି ଜଳର ସହିତ ବର୍ଷ ସାରା ପାଣିଲାଗି ମଧ୍ୟ ହେଉଥାଏ। ଭକ୍ତଙ୍କ ଦ୍ଵାରା ଅର୍ପଣ ହେଉଥିବା ବେଲପତ୍ର,ଫୁଲ ଓ ବିଭିନ୍ନ ଲାଗି ସାମଗ୍ରୀ ସବୁ ସେଇ ପାଣିରେ ପଡ଼ିଥାଏ ଓ ଏହା ବର୍ଷସାରା ରହି ପଙ୍କରେ ପରିଣତ ହୋଇଯାଏ। ଏଣୁ ଠାକୁରଙ୍କ ଗର୍ଭ ଗୃହକୁ ଯାଇ ପୂଜା କରିବା ସମ୍ଭବ ହୋଇ ନ ଥାଏ। ଜାଗର ପୂର୍ବରୁ ଏକାଦଶୀ ଦିନ ଏହି ପଙ୍କକୁ ସମ୍ପୃକ୍ତ ସେବକ ଓ ଭକ୍ତ ବାହାର କରିଲେ ବାବା ଲୋକନାଥଙ୍କ ଦିବ୍ୟ ଲିଙ୍ଗଙ୍କର ଦର୍ଶନ ସମ୍ଭବ ହୋଇଥାଏ।

ପଙ୍କୋଦ୍ଧାର ପାଇଁ ଠାକୁରଙ୍କ ସେବାୟତ ବହୁତ ପରିଶ୍ରମ କରନ୍ତି। ଶୁଦ୍ଧପୂତ ଭାବେ ସେମାନେ ଏକାଠି ହୋଇ ପଙ୍କୋଦ୍ଧାର କରିବାରେ ଲାଗି ପଡ଼ନ୍ତି। ଏହାକୁ କାଢି ବାହାରେ ଆଣି ପକାଇବା ପାଇଁ ବହୁତ ସମୟ ଲାଗିଯାଏ। ପଙ୍କ ବାହାରିବା ପରେ ବାବାଙ୍କ ଅପୂର୍ବ ଦର୍ଶନରେ ଶରୀରର ପୀଡ଼ାକୁ ଭୁଲିହୁଏ। ଏହି ପଙ୍କ ହେଉଛି ବାବା ଶ୍ରୀ ଲୋକନାଥଙ୍କର ପ୍ରସାଦ। ଏହାର ମହିମାରେ ରୋଗ ବ୍ୟାଧି ଭଲ ହେଉଥିବାର ଦୃଢ଼ ବିଶ୍ୱାସ ରହିଛି।

ଭକ୍ତ ମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ଏମିତି କିଛି ଭକ୍ତ ଅଛନ୍ତି,ଯିଏ କି ପ୍ରତି ବର୍ଷ ଏ ସୌଭାଗ୍ୟ ପାଆନ୍ତି। ଯିଏ ଏହି ଦର୍ଶନ ପାଇଛନ୍ତି, ସେମାନେ ତାଙ୍କ ଅନୁଭୂତି ବର୍ଣ୍ଣନା କଲାବେଳେ ଭାବବିହ୍ଵଳ ହୋଇ ପଡ଼ନ୍ତି। ସ୍ଵଳ୍ପ ଆଲୁଅରେ ଗର୍ଭଗୃହ ର ପାହାଚ ଓହ୍ଲାଇ ତଳକୁ ଯିବାକୁ ହୁଏ।

ଏବେ ଦିନକୁ ଦିନ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ପଙ୍କୋଦ୍ଧାର ସମୟରେ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଭକ୍ତ ଧୌର୍ଯ୍ୟର ସହ ଅପେକ୍ଷା କରୁଛନ୍ତି।

ପଙ୍କୋଦ୍ଧାର ପରେ ପରେ ଅଳ୍ପ ସମୟ ପାଇଁ ଶ୍ରୀ ଲିଙ୍ଗଙ୍କ ଦର୍ଶନ ସମ୍ଭବ ହୁଏ, କାହିଁକି ନାଁ ଅନବରତ ଝରୁଥିବା ଜଳରେ ପୁନର୍ବାର ବାବା ଲୁଚି ଯାଆନ୍ତି। ମନ୍ଦିରକୁ ଲାଗି ଥିବା ପାର୍ବତୀ ପୁଷ୍କରିଣୀର ଏକ ଝର ଗର୍ଭଗୃହ ରେ ପଡିଥିବାର ଲୋକମାନେ ବିଶ୍ଵାସ କରନ୍ତି।

ଯେଉଁ ଶୈବପୀଠରେ ବର୍ଷ ସାରା ଠାକୁରଙ୍କ ଲିଙ୍ଗ ପାଣିରେ ବୁଡି ରହନ୍ତି, ସେହି ମନ୍ଦିର ରେ ଏହିଦିନ ପଙ୍କୋଦ୍ଧାର ହୋଇଥାଏ। ବାବା ଶ୍ରୀଲୋକନାଥଙ୍କର ଏହି ପବିତ୍ର ଉତ୍ସବକୁ ଦର୍ଶନ କରିବା କୁ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Comments are closed.