ଆର୍.ଉଦୟଗିରିରେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ବେତାରସିଂ ଗାଁର ଶୁକ୍ରବାର ରାତିରେ ଅଘଟଣ ଘଟି ୨ ଜଣଙ୍କ ଜୀବନ ଚାଲି ଯାଇଛି। ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ବିବାହ ଭୋଜି ପାଇଁ ଘର ଆଗରେ ଲାଗିଥିବା ଜେନେରେଟରରୁ ନିର୍ଗତ ଧୂଆଁ ଘର ଭିତରେ ପଶି ଶ୍ୱାସରୁଦ୍ଧ କରିବା କାରଣରୁ ଏଭଳି ଘଟିଛି। ମୃତକମାନେ ହେଲେ ସେହି ଗାଁର କମଳ ନାୟକଙ୍କ ୨୦ ବର୍ଷୀୟ ଭାଇ ଗଣେଶ ନାୟକ, ୧୨ ବର୍ଷୀୟା ବଡ଼ ଝିଅ ଅମ୍ବିକା ନାୟକ। ୭ ବର୍ଷୀୟା ସାନ ଝିଅ ଝୁମୁରି ନାୟକଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାପା ମାଧବ ନାୟକ ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି। ପରିବାରରେ ବାହାଘର ଭୋଜି ଚାଲିଥିଲା ବେଳେ ଏଭଳି ଘଟଣା ଏବେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଚନ୍ଦ୍ରଗିରି ପୁଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଘଟଣାର ଅନୁଧ୍ୟାନ କରୁଛନ୍ତି।

Comments are closed.