ଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶିବାଳୟ, ହୁମା ମେଳା ଆରମ୍ଭ

ସମ୍ବଲପୁର : ପବିତ୍ର ମହାଶିବରାତ୍ରୀ ଅବସରରେ ସାରା ସମ୍ବଲପୁର ଚଳଚଞ୍ଚଳ ହୋଇଉଠିଛି। ସବୁ ଶିବାଳୟରେ ଭକ୍ତଙ୍କ ଭିଡ ଲାଗି ରହିଥିବା ବେଳେ ବିଳମ୍ବିତ ରାତି ଯାଏ ଭକ୍ତଙ୍କ ଦର୍ଶନ ଜାରି ରହିଛି। ଏଥିରେ ବିଶ୍ବ ପ୍ରସିଦ୍ଧ ହୁମା ବକ୍ର ମନ୍ଦିରରେ ଆଜି ଠାରୁ ସପ୍ତାହବ୍ୟାପି ହେଉଥିବା ହୁମା ମେଳା ମଧ୍ୟ ଆରମ୍ଭ ହୋଇଛି। ଏହାଛଡା ଅଷ୍ଟଶମ୍ଭୁର ଅନ୍ୟତମ ପ୍ରସିଦ୍ଧ ପୀଠ ମାନେଶ୍ବରର ମାନଧାତା ମନ୍ଦିର ସମେତ ସମ୍ବଲପୁରର ସୋମନାଥ ବାବା, ପାହାଡେଶ୍ବର ବାବା, ବାଲୁଙ୍କେଶ୍ବର ବାବା, ଲୋକନାଥ ବାବା, ଜାଗେଶ୍ବର ବାବା ଆଦି ସମସ୍ତ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଛି।

ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ବକ୍ର ଶୈବ ମନ୍ଦିର ହୁମାରେ ଶିବରାତ୍ରୀ ମହା ସମାରୋହରେ ପାଳିତ ହେଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡ, ଯାତ୍ରା କମିଟି, ବ୍ଲକ୍ ତଥା ସ୍ଥାନୀୟ ପଞ୍ଚାୟତ ପ୍ରଶାସନ, ସେବାୟତ ଓ ପୁଲିସ ପ୍ରଶାସନର ସମନ୍ବୟରେ ବ୍ୟାପକ ଶୃଙ୍ଖଳା ବ୍ୟବସ୍ଥା କରାଯାଇଛି। ପାର୍କିଂ ବ୍ୟବସ୍ଥା ସତ୍ତ୍ବେ ଦୀର୍ଘ 2 କିମି ପର୍ଯ୍ୟନ୍ତ ଯାନବାହନର ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି। ସେପଟେ, ଆଜି ଠାରୁ ସପ୍ତାହବ୍ୟାପି ଚାଲିବାକୁ ଥିବା ପ୍ରସିଦ୍ଧ ହୁମା ମେଳା ମଧ୍ୟ ଆରମ୍ଭ ହୋଇଛି। ବିବାହ ଋତୁ ସମୟ ଥିବାରୁ ଘରକରଣା ସାମଗ୍ରୀ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗିରହିଛି। ଏହାଛଡା ଫାଷ୍ଟଫୁଡ ଦୋକାନ, ଖେଳଣା ଦୋକାନ, ଫେନ୍ସି ଦୋକାନ, ଦୋଳଚକ୍ରି ଆଦି ମେଳାକୁ ଆକର୍ଷଣୀୟ କରିଛି। ମାଁ ଝାଡ଼େଶ୍ବରୀ ମହାବିଦ୍ୟାଳୟ, ମଥୁରା ପ୍ରସାଦ ଉଚ୍ଚବିଦ୍ୟାଳୟ ଓ ପାଞ୍ଚଫୁଟ ଉଚ୍ଚବିଦ୍ୟାଳୟର ରେଡ଼କ୍ରସ ଛାତ୍ର ସ୍ବେଚ୍ଛାସେବୀ ଭାବେ ଦାୟିତ୍ବ ନିର୍ବ।ହ କରୁଛନ୍ତି। ଶୃଙ୍ଖଳା ରକ୍ଷା ସକାଶେ ପୁଲିସ୍ ଫୋର୍ସ ମୁତୟନ ଅଛନ୍ତି। ଭୋର 5ଟାରେ ମଙ୍ଗଳ ଆରତୀ ଓ ସୂର୍ଯ୍ୟ ପୂଜା ପରେ ଶ୍ରଦ୍ଧାଳୁଙ୍କ ଦେବ ଦର୍ଶନ ଆରମ୍ଭ ହୋଇଛି। ପାରମ୍ପାରିକ ନୀତି କାର୍ଯ୍ୟ।ନୁସାରେ ରାତି ପ୍ରାୟ 10ଟାରେ ହୋତାବରଣ, ରୁଦ୍ରାଭିଷେକ, ଷୋହଳ ପୂଜା ଆଦି କାର୍ଯ୍ୟକ୍ରମ ପରେ ପ୍ରାତଃ 4ଟାରେ ମନ୍ଦିର ଚୁଡ଼ାରେ ମହାଦୀପ ଉଠିଛି।

Comments are closed.