ଆଜି ଜନ୍ମତିଥି ଅବସରରେ…..
ଶ୍ରୀରାମକୃଷ୍ଣଙ୍କ କଥା ‘ଯିଏ ରାମ, ଯିଏ କୃଷ୍ଣ, ଏବେ (ଆପଣା ଶରୀରକୁ ଦେଖାଇ) ସେ ଏହି ଦେହକୁ ଆସିଛନ୍ତି । …କିନ୍ତୁ ଏଥର ଛଦ୍ମବେଶରେ ଆସିଛନ୍ତି; ଯେପରି ଜମିଦାର ଗୋପନରେ କେବେ କେବେ ଜମିଦାରୀ ଦେଖିବାକୁ ଯାଆନ୍ତି, ଠିକ୍ ସେହିଭଳି ।’ ଶ୍ରୀରାମକୃଷ୍ଣଙ୍କର କୌଣସି ପ୍ରକାର ଐଶ୍ୱର୍ଯ୍ୟ ନ ଥିଲା । ସେ ଏକ ପ୍ରକାର ନିରକ୍ଷର ହୋଇ ଆସିଥିଲେ । ଜଟା ବଳ୍କଳ ମଧ୍ୟ ଧାରଣ କରି ନାହାନ୍ତି। ହିମାଳୟର ଗହ୍ୱରକୁ ମଧ୍ୟ ତପସ୍ୟା କରିବାକୁ ଯାଇ ନାହାନ୍ତି । ବାହ୍ୟତଃ ସେ ଥିଲେ ଅତି ସାଧାରଣ ମଣିଷ । କେବଳ ପରାଭକ୍ତି, ପରମ ଜ୍ଞାନ, ଅପୂର୍ବ ତ୍ୟାଗ, ଜ୍ୱଳନ୍ତ ବୈରାଗ୍ୟ ଉଦ୍ବେଳ ଈଶ୍ୱରପରାୟଣତା ଓ ବିଶ୍ୱପ୍ଳାବୀପ୍ରେମ- ଏହା ହିଁ ଥିଲା ତାଙ୍କର ଏକମାତ୍ର ଐଶ୍ୱର୍ଯ୍ୟ । ସେ ଦିନେ ଭକ୍ତମାନଙ୍କୁ କହିଥିଲେ, ‘ବହୁ ଲୋକ ଯେତେବେଳେ ଈଶ୍ୱରଜ୍ଞାନରେ ଶ୍ରଦ୍ଧାଭକ୍ତି କରିବେ, ସେତେବେଳେ ଏହାର (ଶରୀରର) ଅନ୍ତର୍ଦ୍ଧାନ ହେବ ।’
୧୮୮୫ ଖ୍ରୀ:ର ଏପ୍ରିଲ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣ ଙ୍କ ଶରୀରରେ କଠିନ ରୋଗର ସଞ୍ଚାର ହେଲା । ଗଳାଭିତର ଫୁଲିଯାଇ କ୍ରମେ ସେଥିରେ ଘାଆ ହେଲା।କଥାକହିବା ମଧ୍ୟ କଷ୍ଟକର ହୋଇପଡ଼ିଲା। ଏଡ଼େ ଅସୁସ୍ଥ ଶରୀରରେ ମଧ୍ୟ ସେଲୋକ ମାନଙ୍କୁ ଉପଦେଶ ଦେବାରୁ ବିରତ ହେଉ ନ ଥିଲେ । ଧର୍ମପିପାସୁ କେହି ଆସିବା ମାତ୍ରକେ ଅବିରାମ ଭଗବତ୍ ଚର୍ଚ୍ଚା କରୁଥିଲେ। କାହାକୁ ବା ସ୍ପର୍ଶ କରି, କାହାପ୍ରତି କୃପାଦୃଷ୍ଟି ଢାଳି, କାହାକୁ ବା ଆଶୀର୍ବାଦ କରି ମନରେ ଧର୍ମଭାବର ସଞ୍ଚାର କରିଦେଉଥିଲେ । ଏଣେ ସାମାନ୍ୟ ଭଗବତ୍ଚର୍ଚ୍ଚାରେ ହିଁ ସେ ଗଭୀର ସମାଧିସ୍ଥ ହୋଇ ପଡ଼ୁଥିଲେ ଏବଂ ସେହି ଭାବାବସ୍ଥାରେ ସ୍ତ୍ରୀ-ପୁରୁଷ ସଭିଙ୍କୁ କୃପା କରି ସଭିଙ୍କ ଅନ୍ତରରେ ଧର୍ମଭାବ ଉଦ୍ବୁଦ୍ଧ କରି ଦେଉ- ଥିଲେ । ଚିକିତ୍ସା ପାଇଁ ଭକ୍ତଗଣ ତାଙ୍କୁ ପ୍ରଥମେ କଲିକତାର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ନେଇ ଆସିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ଉପଶମ ହେଲା ନାହିଁ । ଦିନେ ଭାବାବେଶରେ ସେ କହିଲେ, ‘ମା’ ଦେଖାଇ ଦେଲେ-କେତେ ପ୍ରକାର ଭାବର ଲୋକ ଆସି ଛୁଅଁନ୍ତି, ତାଙ୍କର ଦୁର୍ଦ୍ଦଶା ଦେଖି ମନରେ ଦୟା ହୁଏ; ସେସବୁର (ଦୁଷ୍କର୍ମର) ଫଳ ତ ଭୋଗିବାକୁ ହେବ । ସେହିସବୁ ଗ୍ରହଣ କରି ଏ ଅବସ୍ଥା ହେଲା । ନ ହେଲେ ଏ ଶରୀର କେବେ କିଛି ଅନ୍ୟାୟ କରି ନାହିଁ-ସେଥିରେ ରୋଗ ହେବ କାହିଁକି ?’ ଜୀବର ପାପଭାର ଗ୍ରହଣ କରି ତାଙ୍କ ଦେହରେ ଏହି କଠିନ ରୋଗ ହୋଇଥିଲା ।
ପରମହଂସଦେବ ଅସୁସ୍ଥ ହୋଇ କଲିକତା ଆସିଛନ୍ତି-ଏ ସମ୍ବାଦ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଦଳ ଦଳ ହୋଇ ଲୋକେ ତାଙ୍କୁ ଦର୍ଶନ ପାଇଁ ଆସିବାକୁ ଲାଗିଲେ।ସେ ସଭିଙ୍କୁ ଆଶାର ବାଣୀ ଶୁଣାଉଥିଲେ,ନାନା ଭାବର କୃପାକରୁଥିଲେ ଏବଂ ଏହି ଦେହର ଅସୁସ୍ଥତା ଅବଲମ୍ବନ କରି ଠାକୁର ଶ୍ରୀରାମକୃଷ୍ଣ କାଶୀପୁର-ଉଦ୍ୟାନରେ ତ୍ୟାଗୀ ଶିଷ୍ୟଗଣଙ୍କୁ ନେଇ ଭାବୀ ‘ଧର୍ମସଂଘ’ର ସୂଚନା କରିଥିଲେ । ତ୍ୟାଗୀଗଣଙ୍କର ପ୍ରଥମ ଶିକ୍ଷା ହେଲା କାମ-କାଞ୍ଚନ ତ୍ୟାଗ । ତ୍ୟାଗ-ବୈରାଗ୍ୟ, ପ୍ରେମ-ଦୟା, ଭକ୍ତି-ବିଶ୍ୱାସ, ସାରଲ୍ୟ-ସତ୍ୟନିଷ୍ଠାର ପ୍ରତିମୂର୍ତ୍ତି ଓ ସର୍ବଜୀବଙ୍କ ସୁହୃଦ୍ ଶ୍ରୀରାମକୃଷ୍ଣ ଦେହତ୍ୟାଗ ପୂର୍ବରୁ ତାଙ୍କ ଶିଷ୍ୟଗଣଙ୍କ ମଧ୍ୟରେ ବିଶେଷ ଆଧ୍ୟାତ୍ମିକ ଶକ୍ତି ସଂଚାରିତ କରି ଜୀବ-କଲ୍ୟାଣ ପାଇଁ ସେମାନଙ୍କର ଜୀବନ-ଉତ୍ସର୍ଗ କରିବାକୁ ନିର୍ଦ୍ଦେଶ ଦେଲେ ।
୧୮୮୬ ଖ୍ରୀଷ୍ଟାବ୍ଦରେ ଜାନୁଆରୀ ପହିଲା ଏକ ବିଶେଷ ସ୍ମରଣୀୟ ଦିନ । ସେଦିନ କୃପାମୂର୍ତ୍ତି ଶ୍ରୀରାମକୃଷ୍ଣ କାଶୀପୁର ଉଦ୍ୟାନରେ ଯେତେ ଭକ୍ତ ଥିଲେ, ସମସ୍ତଙ୍କୁ ଭାବାବେଶରେ କହିଥିଲେ, ‘ତୁମ ସମସ୍ତଙ୍କର ଚୈତନ୍ୟ ହେଉ ।’ଏତିକି କହି ସମସ୍ତ- ଙ୍କ ବକ୍ଷସ୍ଥଳ ସ୍ପର୍ଶ କରି ସେମାନଙ୍କର ଚୈତନ୍ୟ ସମ୍ପାଦନ କରି ସଭିଙ୍କୁ ବନ୍ଧନରୁ ମୁକ୍ତ କରି ଦେଇ- ଥିଲେ। ଏହି ଶକ୍ତିପୂର୍ଣ୍ଣ ସ୍ପର୍ଶର ଫଳସ୍ୱରୂପ ଭକ୍ତଗଣ ଙ୍କ ଅନ୍ତର ଭୂମାନନ୍ଦରେ ପ୍ରତିଷ୍ଠିତ ହୋଇଥିଲା ।
ଦିନେ ଭାବାବେଶରେ ଶ୍ରୀରାମକୃଷ୍ଣ କହିଲେ, ‘ଅବତାରଙ୍କୁ ଦେଖିବା ଯାହା, ଭଗବାନଙ୍କୁ ଦେଖିବା ମଧ୍ୟ ସେଇଆ ।’ ଅନ୍ୟ ସମୟରେ ଗଭୀର ସମାଧିରୁ ବ୍ୟୁତ୍ଥିତ ହୋଇ କହିଥିଲେ, ‘ଏହା ଭିତରେ (ଅର୍ଥାତ୍ ତାଙ୍କ ଶରୀରରେ) ଦୁହେଁ ଅଛନ୍ତି-ଜଣେ ସେ ସ୍ୱୟଂ, ଆଉ ଜଣେ ଭକ୍ତ ହୋଇ ରହିଛନ୍ତି, ଯାହାଙ୍କ ହାତ ଭାଙ୍ଗିଥିଲା ଦକ୍ଷିଣେଶ୍ୱର ରେ ।’…ଦିନେ ଭାବାବେଶରେ ପଡ଼ିଯାଇ ଶ୍ରୀରାମକୃଷ୍ଣ ଙ୍କର ହାତ ଭାଙ୍ଗିଯାଇଥିଲା । ବହୁ ଦିନ ଧରି ପଟା ବାନ୍ଧି ହାତକୁ ରଖିବାକୁ ପଡ଼ିଥିଲା । ସେହି ଘଟଣା ଉଲ୍ଲେଖ କରି ସେ ଏକଥା କହିଥିଲେ । ‘ତାଙ୍କରି ପୁଣି ରୋଗ ହୋଇଛି ।…ସେ ଅବତାର ହୋଇ ମଣିଷ ରୂପରେ ଭକ୍ତ ମେଳକୁ ଆସନ୍ତି । ଭକ୍ତଗଣ (ପାର୍ଷଦଗଣ) ତାଙ୍କ ସଙ୍ଗରେ ଆସି ପୁଣି ଚାଲିଯାଆନ୍ତି ।’ ଧର୍ମ କୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଯାଇ ପ୍ରଥମ ଥର ସିଏ କହିଥିଲେ ‘ଯେତେ ମତ ସେତେ ପଥ’। କିନ୍ତୁ ସମସ୍ତ ଙ୍କ ଲକ୍ଷସ୍ଥଳ ଏକ।କେବଳ ଈଶ୍ୱର ପ୍ରାପ୍ତି ବା ଈଶ୍ୱରାନୁଭୁତି।
Comments are closed.