ବର୍ଷାଧିକ କାଳ ବିରୋଧର ଅନ୍ତ, ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗରେ ତ୍ବରାନ୍ବିତ ହେଲା ଶିଳ୍ପାୟନ 

ଛତ୍ରପୁର: ବର୍ଷାଧିକ କାଳ ବିରୋଧର ଅନ୍ତ ଘଟାଇବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଯେଉଁ କାଳିପଲ୍ଲୀ ଓ ଆଖପାଖ ଗ୍ରାମବାସୀ ଏକାଧିକ ଥର ପୋଲିସ ଓ ପ୍ରଶାସନ ସହ ହିଂସାତ୍ମକ ମୁହାଁମୁହିଁ ହୋଇଥିଲେ ଆଜି ସେମାନେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ପଥ ସୁଗମ କରିବାକୁ ରାଜି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଓ ପୋଲିସ ପ୍ରଶାସନର ଧୈର୍ଯ୍ୟପୂର୍ଣ୍ଣ ନିରନ୍ତର ପ୍ରୟାସ ସାଙ୍ଗକୁ ଗ୍ରାମବାସୀଙ୍କ ମନରୁ ଅହେତୁକ ଭୟ ଦୂର କରି ଶିଳ୍ପ ପ୍ରତିଷ୍ଠାର ସୁଫଳ ବାବଦରେ ସେମାନଙ୍କୁ ସଚେତନ କରାଇବାର ସୁଫଳ ସ୍ବରୂପ ଏବେ କାଳିପଲ୍ଲୀ ଗ୍ରାମବାସୀ ଛତ୍ରପୁର ନିକଟ ଟାଟା ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସଇଜେଡ୍) ପରିସରରେ ସ୍ମାର୍ଟ କେମିକାଲ୍ସ କାରଖାନା ପ୍ରତିଷ୍ଠାରେ ପ୍ରଶାସନକୁ ସହାୟତା କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଗ୍ରାମବାସୀଙ୍କ ମନରେ ଭ୍ରାନ୍ତ ଧାରଣା ଉପୁଜିଥିବା ବେଳେ ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ କିଭଳି ନିଯୁକ୍ତି ସୁଯୋଗ ବ୍ୟାପକ ହୋଇପାରିବ ତଥା ଆଗାମୀ ଦିନରେ ପାରିପାର୍ଶ୍ବିକ ବିକାଶର ଧାରା କିପରି ତ୍ବରାନ୍ବିତ ହେବ ସେ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ଜିଲ୍ଲା ପ୍ରଶାସନ। ଗ୍ରାମବାସୀଙ୍କ ସହ ସୋହାଦ୍ଦ୍ୟମୂଳକ ପରିବେଶରେ ଏକାଧିକ ଥର ବୈଠକ ଓ ଆଲୋଚନା କରି ବିରୋଧକୁ ସମ୍ମତିରେ ପରିଣତ କରାଇ ପାରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ଜଗମୋହନ ମୀନାଙ୍କ ତତ୍ତ୍ୱାବଧାନରେ ପ୍ରଶାସନ ଏ ଦିଗରେ ନିରନ୍ତର ପ୍ରୟାସ ଚଳାଇ ରଖିଥିଲା। କିଭଳି ଏହି ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ଅଞ୍ଚଳର ଶିଳ୍ପ ଦୃଶ୍ୟପଟ୍ଟ ଆଗାମୀ ଦିନରେ ପରିବର୍ତ୍ତନ ହେବା ସହ ଲୋକେ ତ୍ୱରିତ ଶିଳ୍ପାୟନ ନିମନ୍ତେ ସହଯୋଗୀ ମନୋଭାବ ପୋଷଣ କରିବେ ତାହା ଉପରେ ଜିଲ୍ଲା ପ୍ରଶାସନର ଫୋକସ୍ ରହିଥିଲା। ଆଉ ତାହା ଏବେ ସଫଳ ହୋଇଛି ଓ ଟାଟା ଶିଳ୍ପ ପାର୍କ ମଧ୍ୟରେ ସ୍ମାର୍ଟ କେମିକାଲ୍ସ କାରଖାନା ପ୍ରତିଷ୍ଠାର ପଥ ସୁଗମ ହେବା ବାଟ ଖୋଲିଛି।

ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲ୍ସର ଅଂଶବିଶେଷ ଉଦ୍ୟୋଗ ସ୍ମାର୍ଟ କେମିକାଲ୍ସ ଟେକ୍ନୋଲୋଜି ଗୋପାଳପୁର ଟାଟା ଏସ୍ଇଜେଡ୍ ପରିସରରେ ୨୨୦୦ କୋଟିର ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରୁଛି। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩୭୭ କେଟିପିଏ। ଏହା ବ୍ୟାପକ ଭାବେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ଲାଣ୍ଟ ନିର୍ମାଣ ପର୍ଯ୍ୟାୟରେ ୧୫୦୦ ଓ ଅପରେସନ୍ ପର୍ଯ୍ୟାୟରେ ପ୍ରାୟ ୩୫୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଆଣିଦେବ। ତେବେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ଆଗାମୀ ଦିନରେ ଆହୁରି ଅନେକ ଆନୁସଙ୍ଗିକ କାରଖାନା ପ୍ରତିଷ୍ଠା ହେବାର ସମ୍ଭାବନା ସୃଷ୍ଟି ହେବ ଯାହା ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ଆଣିଦେବ। ଜିଲ୍ଲାପାଳ ପରିଡ଼ାଙ୍କ କହିବା ମୁତାବକ ଆମେ ଗ୍ରାମବାସୀଙ୍କୁ ଏହି ପ୍ଲାଣ୍ଟ ପ୍ରତିଷ୍ଠାର ସୁଫଳ ବାବଦରେ ସଚେତନ କରାଇଛୁ। କିଭଳି ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ତାହା ବୁଝାଇଛୁ। ଫଳରେ ଦୀର୍ଘ ଦିନ ଧରି ଚାଲି ଆସିଥିବା ବିରୋଧରେ ପୂର୍ଣ୍ଣଛେଦ ପଡ଼ିଛି। କାରଖାନା ପ୍ରତିଷ୍ଠା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଗୋପାଳପୁର ରାଜ୍ୟର ପରବର୍ତ୍ତୀ ଅର୍ଥନୈତିକ ହବ୍ ସାଜିବାକୁ ଯାଉଛି।

ଲୋକଙ୍କ ବିରୋଧର ଅନ୍ତ ସହ କେମିକାଲ୍ସ କାରଖାନା ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି। ୨୦୨୪ ଅଗଷ୍ଟ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆଖପାଖରେ ଗୋପାଳପୁର ବନ୍ଦର, ମାଇନିଂ ହବ୍ ଥିବା ବେଳେ ପରବର୍ତ୍ତୀ ସମୟରେ ଏହି ପ୍ଲାଣ୍ଟକୁ ଆଧାର କରି ଅନ୍ୟାନ୍ୟ ପ୍ଲାଣ୍ଟ ପ୍ରତିଷ୍ଠା ହେବାର ସମ୍ଭାବନା ଉଜ୍ବଳ ହୋଇଉଠିଛି। ଫଳରେ ଘରୋଇ ଚାହିଦା ପୂରଣ ସହ ରପ୍ତାନୀ ହୋଇ ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହୋଇପାରିବ। ମୋଟାମୋଟି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିଳ୍ପାୟନ ଅନୁକୂଳ ପୁଞ୍ଜିନିବେଶ ନୀତିର ଫଳସ୍ବରୂପ ରାଜ୍ୟକୁ ଅଧିକରୁ ଅଧିକ ଶିଳ୍ପ କାରଖାନା ଆକୃଷ୍ଟ ହୋଇ ଆସିବା, ଓଡ଼ିଶାରେ ନିଜ ପ୍ଲାଣ୍ଟ ପ୍ରତିଷ୍ଠା କରିବା ସହ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେଇ ସେମାନଙ୍କ, ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ବିକ ତଥା ରାଜ୍ୟର ଆର୍ଥିକ ବିକାଶରେ ଯୋଗଦାନ କରିବା ସମ୍ଭବପର ହେବାରେ ଲାଗିଛି।

Comments are closed.