ବଜେଟ ଅଧିବେଶନ ଆରମ୍ଭ , ବିଭିନ୍ନ ଯୋଜନାର ସଫଳତା ବିଷୟରେ କହିଲେ ରାଜ୍ୟପାଳ

ଭୁବନେଶ୍ୱର – ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଛନ୍ତି। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ସ୍ଥାନ ପାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ହକି ବିଶ୍ୱକପ୍ ସଫଳତା ବର୍ଣ୍ଣନା କରିଛନ୍ତି ରାଜ୍ୟପାଳ । ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇଛି । ଧାନ ଉତ୍ପାଦନରେ ଓଡ଼ିଶା ଏବେ ଆଗରେ ରହିଛି ବୋଲି ରାଜ୍ୟପାଳ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। ରାଜ୍ୟପାଳ କହିଛନ୍ତି ଯେ, ମିଲେଟ ମିଶନ ଜରିଆରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରାଯାଇଛି । କାଳିଆ ଯୋଜନା ଜରିଆରେ ଚାଷୀଙ୍କୁ ସହାୟତା ଦିଆଯାଉଛି । କାଳିଆ ଛାତ୍ରବୃତ୍ତି ଗରିବ ମେଧାବୀ ଛାତ୍ରଙ୍କୁ ସହାୟତା ଦେଉଛି ବୋଲି ରାଜ୍ୟପାଳ କହିଛନ୍ତି।

ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଏଥିରେ ମୋଟ ୨୭ଟି କାର୍ଯ୍ୟ ଦିବସ ର‌ହିଛି । ଆସନ୍ତା ୨୪ ତାରିଖରେ ୨୦୨୩-୨୪ ବର୍ଷର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comments are closed.