ମହିଳା ସଫେଇ କର୍ମଚାରୀଙ୍କ ମଣିଷପଣିଆ, ଅଳିଆ ଗଦାରୁ ମିଳିଥିବା ସୁନା ଚେନ୍ ଫେରାଇଲେ

ଭୁବନେଶ୍ୱର – ଆଜି ବି ବଞ୍ଚିଛି ମାନବିକତା, ମଣିଷପଣିଆ । ଲୋକଙ୍କ ମଧ୍ୟରେ ରହିଛି ସହୃଦୟତା । ଭୁବନେଶ୍ଵରର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ କାମ କରୁଥିବା ଜଣେ ସଫେଇ କର୍ମଚାରୀ ମାନବିକତାର ପରିଚୟ ଦେଇ ଅଳିଆ ମଧ୍ୟରୁ ସେ ପାଇଥିବା ଏକ ସୁନା ଚେନ୍ ସେ ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି। ମାସକୁ ମାତ୍ର ୧୦ ହଜାର ଟଙ୍କା ପାରିଶ୍ରମିକ ପାଉଥିବା ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂହ ୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚେନ ନିଜ ପାଖରେ ରଖିପାରିଥାନ୍ତେ । କିନ୍ତୁ ଅଭାବଗ୍ରସ୍ତ ହେଲେ ବି ଅଳିଆରୁ ପାଇଥିବା ସୁନା ଚେନ୍ ଫେରାଇ ସଚ୍ଚୋଟତାର ପରିଚୟ ଦେଇଛନ୍ତି ପୂଜାରାଣୀ ।

ଭୁବନେଶ୍ୱରର କାନନ ବିହାର ଫେଜ-୨ରେ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ କାମ କରିଥାନ୍ତି ପୂଜା। ଦୁଇ ଦିନ ପୂର୍ବେ ଅଳିଆ ସଫା କରୁଥିବା ବେଳେ ସେ ଏକ ସୁନା ଚେନ୍‌ ପାଇଥିଲେ। ଚାହିଁଥିଲେ ଚୁପ୍‌ଚାପ୍‌ ତାହାକୁ ନିଜ ପାଖରେ ରଖି ପାରିଥାନ୍ତେ। ମାତ୍ର ସେ ତାହା ନ କରି ସୁନା ଚେନକୁ ବିଏମ୍‌ସି ଅଫିସରେ ଜିମା ଦେଇଥିଲେ। ପ୍ରକୃତ ମାଲିକଙ୍କୁ ଖୋଜି ବିଏମସି ସୁନା ଚେନ୍ ଫେରାଇ ଦେଇଥିଲା । ଚେନ୍‌ ଫେରିପାଇଥିବା ମହିଳା ପୂଜାରାଣୀଙ୍କୁ ବେଶ ପ୍ରଶଂସା କରିଛନ୍ତି । ପୂଜାରାଣୀଙ୍କୁ ବିଏମସି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

Comments are closed.