ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍ – ୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଠାରେ ଫେବୃଆରୀ ୨୦ ତାରିଖ ଠାରୁ ଆଦିବାସୀ ମେଳା ଆରମ୍ଭ ହୋଇଥିଲା । ୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ମେଳାରେ ବଣପାହାଡ଼ ଘେରା ଆଦିବାସୀ ଅଞ୍ଚଳରେ ରହିଥିବା ଗ୍ରାମଗୁଡ଼ିକର ଅବିକଳ ରୂପନେଇ ମେଳା ପରିସରରେ ପ୍ରାଚୀନ ଜନଜାତି ଦୁନିଆର ୧୦ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ଘରର ମଡେଲ ପ୍ରଦର୍ଶିତ ହୋଇଥିଲା । ଏଥରେ ପରମ୍ପରା ସହିତ ପ୍ରଗତିର ଝଲକ ଦେଖିବାକୁ ମିଳିଥିଲା ।
ଏ ମଧ୍ୟରେ ନୂଆପଡ଼ା ଜିଲ୍ଲା ବୁକୁଟିଆ ଭୁଜିଆଙ୍କ ଘର ପାରମ୍ପରିକ ସାଜସଜ୍ଜାରେ ବିକାଶର ବାର୍ତ୍ତା ବଖାଣୁଛି । ଏମାନଙ୍କ ଲାଲ ବଙ୍ଗଳା କେବଳ ସଂସ୍କୃତି ଦୃଷ୍ଟିରୁ ମହାନ୍ ନୁହେଁ ବରଂ ଏମାନଙ୍କ ରକ୍ଷଣଶୀଳତାକୁ ବୁଝାଇଛି ।
ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳସ୍ଥ କୁଟିଆ କନ୍ଧ ଘର ଓ ବେଲଘରଙ୍କ କୁଟିଆ କନ୍ଧ ଘର ଭିତରେ ନିର୍ମାଣ ଗତ ସାମଞ୍ଜସ୍ୟ ଥିଲେ ମଧ୍ୟ ସୌନ୍ଦର୍ଯ୍ୟାନୁଭବରେ ବେଶ୍ ପାର୍ଥକ୍ୟ ଅଞ୍ଚଳ ଭେଦରେ ସାଂସ୍କୃତିକ ବିବିଧତାର ସୂଚନା ଦେଉଛି । ସେହିପରି ଗଜପତି ଜିଲ୍ଲା ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳର ସଉରା ଓ ଲାଞ୍ଜିଆ ସଉରା ଘର ନିର୍ମାଣଶୈଳୀରେ ସମାନତା ଥିଲେ ମଧ୍ୟ ଇଡ଼ିତାଲ ଚିତ୍ରର ବିବିଧ ବୈଚିତ୍ର ସ୍ଵତନ୍ତ୍ର ଅନୁଭବ ଆଣିଦେଉଛି । ଡଙ୍ଗରିଆ କନ୍ଧମାନଙ୍କର ନିଜସ୍ଵ ଶୈଳୀ ଦର୍ଶକଙ୍କୁ ଆକର୍ଷିତ କରିବାରେ ଲାଗିଥିବାବେଳେ ପାହାଡ଼ି ଖଡ଼ିଆମାନଙ୍କର ଗୃହ ନିର୍ମାଣ ବେଶ୍ ସୁନ୍ଦର ହୋଇଛି । ସେହିପରି ବଣ୍ଡାମାନଙ୍କର ମଧ୍ୟ ଘର ପରମ୍ପରା ସହିତ ପ୍ରଗତି ସୂଚନା ଦେଉଛି । ସହରୀ ମଣିଷଙ୍କ ପାଇଁ ଏହା ସଂସ୍କୃତିର ସନ୍ଧାନ ହୋଇଥିବାବେଳେ ଜଣେ ଗବେଷକ ପାଇଁ ଏହା କିଛିଟା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ଵାଭାବିକ । ଆଦିବାସୀ ମେଳାରେ ପ୍ରଦର୍ଶିତ ପ୍ରାଚୀନ ଜନଜାତିଙ୍କ ଗ୍ରାମ ଦର୍ଶକମାନଙ୍କ ନିମନ୍ତେ ବେଶ୍ ଆକର୍ଷଣୀୟ ହୋଇଥିଲା ।
ଆୟୋଜିତ ସନ୍ଧ୍ୟାରେ ଜନଜାତିଙ୍କ ଦ୍ଵାରା ପରିବେଷିତ କୋୟା ନୃତ୍ୟ , ଗଦବା ନୃତ୍ୟ , ଭୂମିଆ ନୃତ୍ୟ , କିନ୍ଦରୀ ନୃତ୍ୟ , ଲାଞ୍ଜିଆ ସଉରା ନୃତ୍ୟ , ଜେମ୍ସା ନୃତ୍ୟ ଓ ଚାଙ୍ଗୁ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା ।
Comments are closed.