ମହିଳା ଟି୨୦ ବିଶ୍ୱକପ: ଭାରତର ଟାଇଟଲ୍ ଆଶା ଧୂଳିସାତ୍, ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୫ ରନରେ ହାରିଲା

କେପ୍ ଟାଉନ୍‌: ଭାରତର ପ୍ରଥମ ବିଶ୍ୱକପ ଟାଇଟଲ ଆଶା ପୁଣି ଥରେ ଧୂଳିସାତ ହୋଇଛି । ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପରେ ଗୁରୁବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଠାରୁ ୫ ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଭାରତ ପୁଣିଥରେ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍ ଆଉଟରେ ଝୁଣ୍ଟିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇ ୧୭୨ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଏହାର ଜବାବରେ କ୍ୟାପଟେନ୍ ହରମନପ୍ରୀତ କୌର ଓ ଜେମିମା ରଡ୍ରିଗ୍ୱେଜଙ୍କ ଲଢୁଆ ପାଳି ସତ୍ତ୍ୱେ ଭାରତ ବିଜୟଲକ୍ଷ୍ୟରେ ପହଞ୍ଚିବାରେ ବିଫଳ ହୋଇଥିଲା । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହି ରୋମାଞ୍ଚକ ବିଜୟ ସହ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଅଷ୍ଟ୍ରେଲିଆର ମୁକାବିଲା ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ସେମିର ବିଜେତା ଦଳ ସହ ହେବ ।
ଅଷ୍ଟ୍ରେଲିଆ ପ୍ରଦତ୍ତ ୧୭୩ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ମାତ୍ର ୨୮ ରନରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଶେଫାଳି ବର୍ମା (୯)ଙ୍କ ଖରାପ ଫର୍ମ ଜାରି ରହିଥିଲା । ଉପଅଧିନାୟିକା ସ୍ମୃତି ମନ୍ଧାନା (୨) ମଧ୍ୟ ଫେଲ୍ ମାରିଥିବା ବେଳେ ୟସ୍ତିକା ଭାଟିଆ (୪) ବି ଶସ୍ତାରେ ଆଉଟ୍ ହୋଇଥିଲେ । ଏହି ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ କ୍ୟାପଟେନ ହରମନପ୍ରୀତ ଓ ଜେମିମା ଲଢୁଆ ପ୍ରଦର୍ଶନ ସହ ଭାରତର ଆଶା ଉଜ୍ଜୀବିତ କରିଥିଲେ । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ଅଷ୍ଟ୍ରେଲୀୟ ଶିବିରରେ ଛନକା ସୃଷ୍ଟି କରିଥିଲେ ।ଦୁହେଁ ଚତୁର୍ଥ ୱିକେଟ୍ ଭାଗିଦାରୀରେ ୬୯ ରନ୍ ଯୋଡିଥିଲେ । ତେବେ ୧୧ତମ ଓଭରରେ ଜେମିମାଙ୍କୁ ଆଉଟ୍ କରି ଡାର୍ସି ବ୍ରାଉନ୍ ଏହି ଯୋଡ଼ି ଭାଙ୍ଗିଥିଲେ । ଜେମିମା ମାତ୍ର ୨୪ଟି ବଲରେ ୬ଟି ଚୌକା ସହ ୪୩ ରନ୍ କରିଥିଲେ । ହେଲେ ହରମନପ୍ରୀତ ଅର୍ଦ୍ଧଶତକ ପୂରଣ କରିବା ସହ ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ୧୫ତମ ଓଭରରେ ସେ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଯାଇଥିଲେ । ହରମନପ୍ରୀତ ୩୪ଟି ବଲରେ ୬ଟି ଚୌକା ଓ ଗୋଟିଏ ଛକା ସହ ୫୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।

ହରମନପ୍ରୀତଙ୍କ ୱିକେଟ୍ ପରେ ଭାରତ ଚାପରେ ଆସି ଯାଇଥିଲା । ତଥାପି ଲକ୍ଷ୍ୟ କଷ୍ଟକର ନଥିଲା । ହେଲେ ସବୁଥର ପରି ଏଥର ମଧ୍ୟ ଭାରତୀୟ ଦଳ ବଡ଼ ମ୍ୟାଚର ଚାପ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ରିଚା ଘୋଷ (୧୪) ସେମିରେ ବିଫଳ ହୋଇଥିଲେ । ଦଳ ୱିକେଟ୍ ହରାଇ ଚାଲିଥିଲା । ଶେଷ ଓଭରରେ ବିଜୟ ପାଇଁ ଭାରତକୁ ୧୬ ରନ୍ ଆବଶ୍ୟକ ହେଉଥିବା ବେଳେ ମାତ୍ର ୧୦ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଅଷ୍ଟ୍ରେଲିଆ ତରଫରୁ ଆଶଲେ ଗାର୍ଡନର ଓ ବ୍ରାଉନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ୍ ହରାଇ ୧୭୨ ରନ୍ କରିଥିଲା । ଦଳ ପକ୍ଷରୁ ବେଥ ମୁନୀ ୫୪, କ୍ୟାପଟେନ୍ ମେଗ୍ ଲାନିଙ୍ଗ୍ ଅପରାଜିତ ୪୯, ଆଶଲେ ଗାର୍ଡେନର ୩୧ ଓ ଆଲିସା ହିଲି ୨୫ ରନ କରିଥିଲେ । ଭାରତ ତରଫରୁ ଶିଖା ପାଣ୍ଡେ ୨ଟି ଓ୍ବିକେଟ୍ ନେଇଥିଲେ ।

Comments are closed.